ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଗୌରବ ୭୮ ବର୍ଷୀୟ ପଦ୍ମିନୀ ଯୋଗ୍ ସେବାସପିରଥି ( Padmini Jog Sevaspirathi) । ଯିଏକି ଜଣେ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ପତ୍ନୀ । ସେ ନିଜ ଜୀବନକୁ ଯେପରି ଭାରତ ମାତାର ସେବାରେ ସମର୍ପଣ କରିଛନ୍ତି । ସ୍ବାମୀଙ୍କ ପରି ସେ ନିଜକୁ ଦେଶ ସେବାରେ ନିୟୋଜିତ କରିଛନ୍ତି । ପ୍ରାୟ ୧୦୦୦ ଫୁଟ ଉଚ୍ଚରେ ସେ ସରୁକ୍ଷା କର୍ମୀଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି (Padmini Jog teaching yoga to soldiers ) । ସାରା ଦେଶରେ ପ୍ରତିକୂଳ ପାଗରେ ମଧ୍ୟ ଏପରି ସେ ସେନାଧିକାରୀମାନଙ୍କୁ ଯୋଗ ଶିକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ।
ପଦ୍ମିନୀ ଗୃହ ବିଜ୍ଞାନରେ ସ୍ନାତକ କରିବା ପରେ କର୍ଣ୍ଣେଲ ପ୍ରତାପ ଯୋଗଙ୍କୁ ବିବାହ କରିଥିଲେ । ଏହାପରେ ସେ ୨ ସନ୍ତାନଙ୍କ ମାଆ ହୋଇଥିଲେ । ମାତ୍ର ଘରେ ରହି ସବୁବେଳେ ରୋଷେଇ ଆଦି କରି ଅଥୟ ହୋଇପଡ଼ିଥିଲେ ପଦ୍ମିନୀ । ଏହାପରେ ସେ ମଣ୍ଟେସୋରୀ କୋର୍ସ କରି ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ ଦେଉଥିଲେ । ସ୍ବାମୀଙ୍କ ଅବସର ପରେ ସେ ନିଜ ହୋମଟାଉନ ନାଗପୁରରେ ପହଞ୍ଚିଥିଲେ । ନାଗପୁରରେ ଥିବା ଏକ ଯୋଗ କ୍ୟାମ୍ପକୁ ଦେଖି ଯୋଗ ପ୍ରତି ତାଙ୍କ ଆଗ୍ରହ ଜାତ ହୋଇଥିଲା । ଏହା ଦମ୍ପତିଙ୍କୁ ଆକୃଷ୍ଟ କରିଥିଲା ।
ଏହା ବି ପଢନ୍ତୁ- Modi in Global Headline: ଗୁଜୁରାଟରେ କମାଲ କଲା BJP, ବିଶ୍ୱର ଟପ୍ ଖବରକାଗଜ ଶିରୋନାମାରେ ମୋଦି
ଏନେଇ ପଦ୍ମିନୀ କହିଛନ୍ତି, "ଯୋଗ ପ୍ରତି ଆମେ ଦୁହେଁ ଆକୃଷ୍ଟ ହୋଇଥିଲେ । ଏହାପରେ ଘରେ ଆମେ ଯୋଗ ଅଭ୍ୟାସ କରିଥିଲୁ । ଏହାପରେ ଆମେ ହରିଦ୍ବାରରେ ବାବା ରାମଦେବଙ୍କ ଠାରୁ ତାଲିମ ନେଇ ଯୋଗ କୋର୍ସ କରିଥିଲୁ । ଏହାପରେ ଆମେ ଅଧିକରୁ ଅଧିକ ଯୋଗ କୋର୍ସ କରିଥିଲୁ । ଭୋପାଳର ସିହୋରରେ ଏକ କ୍ୟାମ୍ପ ମଧ୍ୟ କରିଥିଲୁ, ଯେଉଁଥିରେ ପ୍ରାୟ ୬୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଧୀରେ ଧୀରେ ଆମେ ସାରା ଦେଶରେ ଭ୍ରମଣ କରି ଯୋଗ କ୍ୟାମ୍ପ କରିଥିଲୁ ।"
ପଦ୍ମିନୀ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ, ବୃଦ୍ଧାଶ୍ରମ, ରୋଟାରୀ କ୍ଲବ ଆଦିରେ ଯୋଗ କ୍ୟାମ୍ପର ଆୟୋଜନ କରିଥିଲେ । ଏହି ସମୟରେ ପଦ୍ମିନୀଙ୍କ ସହିତ ଦୁଃଖଦ ଘଟଣା ଘଟିଥିଲା । ତାଙ୍କ ସ୍ବାମୀ ତଥା ଅବସରପ୍ରାପ୍ତ ଆର୍ମି ଅଫିସର ପ୍ରତାପ ହୃଦଘାତରେ ଗତ ୨୦୧୪ରେ ମୃତ୍ୟୁବରଣ କରିଥିଲେ । ଏହାପରେ ସ୍ବାମୀଙ୍କ ପରି ସେ ନିଜକୁ ଦେଶସେବାରେ ସମର୍ପିତ କରିବା ଲାଗି ମନସ୍ଥ କରିଥିଲେ । ସ୍ବାମୀଙ୍କ ମୃତ୍ୟୁର ମାସେ ପରେ ପଦ୍ମିନୀ ବେଙ୍ଗାଲୁରୁ ଆର୍ମି ପବ୍ଲିକ ସ୍କୁଲରେ କ୍ୟାମ୍ପର ଆୟୋଜନ କରିଥିଲେ । ଏହାପରେ ସେ ଏକାକୀ ଏପରି କ୍ୟାମ୍ପର ଆୟୋଜନ କରିବା ଆରମ୍ଭ କରିଥିଲେ ।
ଏଯାବତ ସେ ସେନାଧିକାରୀଙ୍କ ଲାଗି ପ୍ରାୟ ୯୪୦ରୁ ଅଧିକ କ୍ୟାମ୍ପର ଆୟୋଜନ କରିଛନ୍ତି । ଜମ୍ମୁକାଶ୍ମୀରରେ ସେ ସମୁଦ୍ର ସ୍ତରଠୁ ପ୍ରାୟ ୧୨.୩୦୦ ଉଚ୍ଚରେ ଯୋଗ କ୍ୟାମ୍ପର ଆୟୋଜନ କରିଥିଲେ । ପଦ୍ମିନୀଙ୍କ କହିବାନୁସାରେ ପରିବାରଠୁ ଦୂରରେ ରହି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସେନାଧିକାରୀଙ୍କ ଅବସାଦ ଓ ଦୁଃଖକୁ ଦୂର କରିବା ଲାଗି ଯୋଗର ନିହାତି ଆବଶ୍ୟକ ରହିଛି । ଏଥିଲାଗି ସମସ୍ତେ ଯୋଗାସନ କରିବା ଆବଶ୍ୟକ । ଆମ ଦୈନିକ କାର୍ଯ୍ୟକଳାପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବା ଉଚିତ ।