ଦିସପୁର: ସ୍ବାଧୀନତା ସଂଗ୍ରାମ ସହିତ ଅନେକ ଅନ୍ଧବିଶ୍ବାସ, କୁପ୍ରଥାକୁ ରୋକିବା ପାଇଁ ପ୍ରୟାସ କରିଥିଲେ ଗାନ୍ଧିଜୀ ଜାତିର ପିତା ମହାତ୍ମା ଗାନ୍ଧୀ । ୧୯୩୨ ମସିହାରେ ହରିଜନ ସେବକ ସଂଘ ନାମରେ ସେ ଏକ ସଂଗଠନ ଗଢ଼ିଥିଲେ । ଦେଶରେ ଦଳିତଙ୍କୁ ମୁଖ୍ୟ ଧାରାକୁ ଆଣିବା ଥିଲା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ । ଦଳିତ ଶ୍ରେଣୀ ମନ୍ଦିର, ବିଦ୍ୟାଳୟ ଆଦି ସ୍ଥାନକୁ କିଭଳି ସୁରୁଖୁରୁରେ ଯାଇପାରିବେ ସେ ଦିଗରେ କାର୍ଯ୍ୟ କରିଥିଲା ହରିଜନ ସେବକ ସଂଘ । ଦେଶରେ ଅନ୍ୟ ସ୍ଥାନ ସହ ଆସାମରେ ମଧ୍ୟ ଏହି ଅଭିଯାନର ପ୍ରଭାବ ଦେଖିବାକୁ ମିଳିଥିଲା । ଆସାମର ହରିଜନ ବନ୍ଧୁ ବୋଲାଉଥିବା କ୍ରିଷ୍ଣା ନାଥଶର୍ମା ଏହି ଅଭିଯାନର ମଙ୍ଗ ଧରିଥିଲେ ।
ଜଣେ ସଚ୍ଚୋଟ ଗାନ୍ଧୀବାଦୀ ବ୍ୟକ୍ତିତ୍ବ ଥିଲେ କ୍ରିଷ୍ଣା ନାଥଶର୍ମା । ସେ ହରିଜନ ସେବକ ସଂଘ ସହ କାର୍ଯ୍ୟ କରୁଥିବାରୁ ତାଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ନିଆଁପାଣି ବାସନ୍ଦ ମଧ୍ୟ ଭୋଗିବାକୁ ପଡ଼ିଥିଲା । ୧୮୮୭ ମସିହା ଫେବ୍ରୁଆରୀ ୨୮ ତାରିଖରେ ଆସାମର ଜୋରହାଟ ଜିଲ୍ଲା ସର୍ବାଇବନ୍ଧରେ ଜନ୍ମ ନେଇଥିଲେ କ୍ରିଷ୍ଣା ନାଥଶର୍ମା । ହରିଜନ ଅଭିଯାନରେ ଦଳିତଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ କ୍ରିଷ୍ଣା ସଂଘର୍ଷ ଜାରି ରଖିଥିଲେ । ବିଜ୍ଞାନ ଓ ଆଇନରେ ସ୍ନାତକୋତ୍ତର ହାସଲ କରିଥିଲେ କ୍ରିଷ୍ଣା । ଏହାପରେ ସେ କିଛି ସମୟ ପାଇଁ ଓକିଲାତି ଅଭ୍ୟାସ ମଧ୍ୟ କରିଥିଲେ । ତେବେ ୧୯୨୧ ମସିହାରେ ସେ ଓକିଲାତି ଛାଡ଼ି ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଆସାମରେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ବାହକ ସାଜିଥିଲେ କ୍ରିଷ୍ଣା ନାଥଶର୍ମା । ସେ ଏକ ସମ୍ଭ୍ରାନ୍ତ ଶ୍ରେଣୀ ପରିବାରର ସଦସ୍ୟ ଥିଲେ । ତେବେ ଅସହଯୋଗ ଆନ୍ଦୋଳନ ପାଇଁ ସେ ନିଜ ଅୟସ ଆରାମ ଜୀବନକୁ ବଳିଦାନ ଦେଇଥିଲେ । ସେହି ସମୟରେ ସେ ଜଣେ ଜଣାଶୁଣା ବାରିଷ୍ଟର ମଧ୍ୟ ଥିଲେ । କିନ୍ତୁ ଆନ୍ଦୋଳନ ପାଇଁ ସେ ସବୁ କିଛି ତ୍ୟାଗ କରିଥିଲେ । ସେ ଆସାମରେ କଂଗ୍ରେସ କନ୍ଫରେନ୍ସ ଦାୟିତ୍ବରେ ମଧ୍ୟ ରହିଥିଲେ । ୧୯୨୧ରେ ଜୋରହାଟରେ କଂଗ୍ରେସର ଦାୟିତ୍ବ ନେଇଥିଲେ କ୍ରିଷ୍ଣା ନାଥଶର୍ମା । ସେହି ବର୍ଷ ନବୀନ ଚନ୍ଦ୍ର ବୋର୍ଦୋଲୋଇ, ତରୁଣ ରାମ ଫୁକାନ ଓ କୁଲାଧାର ଛଲିହାଙ୍କ ସହ କ୍ରିଷ୍ଣାଙ୍କୁ ମଧ୍ୟ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡି଼ଥିଲା । ସେହି ସମୟରେ ଗାନ୍ଧୀଙ୍କ ଚିନ୍ତାଧାରାରେ ଆସାମରେ ଦଳିତଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ପାଇଁ ଅନେକ ଆନ୍ଦୋଳନ କରିଥିଲେ କ୍ରିଷ୍ଣା । ଏଥିପାଇଁ ଉପାନ୍ତ ଅଞ୍ଚଳରେ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ସ୍କୁଲ, କଲେଜ ସ୍ବାସ୍ଥ୍ୟ ପାଇଁ ହସ୍ପିଟାଲ, ରାସ୍ତା ଆଦି ନିର୍ମାଣ କରାଯାଇଥିଲା ।
ଆସାମରେ ଛୁଆଁଅଛୁଆଁ ଭେଦଭାବକୁ ଦୂର କରିବାରେ ସକ୍ଷମ ହୋଇଥିଲେ ସ୍ବାଧୀନତା ସଂଗ୍ରାମୀ କ୍ରିଷ୍ଣା ନାଥଶର୍ମା । ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିବା ସତ୍ତ୍ବେ ଦଳିତଙ୍କ ହକ୍ ପାଇଁ ଲଢ଼ିଥିଲେ କ୍ରିଷ୍ଣା । ନିଜ ଘରେ ପ୍ରାର୍ଥନା ସଭା କରି ଦଳିତମାନଙ୍କୁ ସେଥିରେ ସାମିଲ କରିଥିଲେ । ସେହି ସମୟରେ ଏହା କୌଣସି ବାହାଦୁର କାମଠୁ କମ୍ ନଥିଲା । ୧୯୩୪ ମସିହାରେ ଯେତେବେଳେ ଦ୍ବିତୀୟ ଥର ପାଇଁ ଗାନ୍ଧୀ ଆସାମ ଗସ୍ତରେ ଆସିଥିଲେ, ଦଳିତଙ୍କ ଉନ୍ନତି ପାଇଁ ନାମ୍ଘର ଉଦଘାଟନ କରିଥିଲେ । ୧୯୩୪ ଗାନ୍ଧୀଙ୍କ ଆସାମ ଗସ୍ତ ବେଳେ ତାଙ୍କ ସହ କ୍ରିଷ୍ଣା ମଧ୍ୟ ରହିଥିଲେ । କ୍ରୀଷ୍ଣାଙ୍କ ଯୋଗୁଁ ଆସାମର ଜୋରହାଟ ଜିଲ୍ଲା ମାଷ୍ଟରହାଟରେ ଦଳିତଙ୍କ ପାଇଁ ନାମଘର ପ୍ରତିଷ୍ଠା ହୋଇ ପାରିଥିଲା । ବର୍ତ୍ତମାନର କ୍ରିଷ୍ଣା ଆଶ୍ରମ କ୍ରିଷ୍ଣା ନାଥଶର୍ମାଙ୍କ ବାସଭବନ ଥିଲା ।
ଜଣେ ସଚ୍ଚୋଟ ଗାନ୍ଧୀବାଦୀ କ୍ରିଷ୍ଣା ବାପୁଙ୍କୁ ନିଜ ଆଦର୍ଶ ମାନି ଜୀବନ ଅତିବାହିତ କରିଥିଲେ । ୧୯୪୭ ମସିହା ଫେବ୍ରୁଆରୀ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ବି ଏହି ମହାନ ସମାଜସେବୀଙ୍କୁ ଆସାମ ସରକାର କୌଣସି ମାନ୍ୟତା ଦେବାରେ ସଫଳ ହୋଇ ପାରିନାହାନ୍ତି । ଦଳିତଙ୍କୁ ନିଜ ଘରକୁ ଡକାଇ ନାମଘର କରୁଥିଲେ କ୍ରିଷ୍ଣା ନାଥଶର୍ମା । ଖାଲି ସେତିକି ନୁହେଁ ସମାଜରେ ସେମାନଙ୍କ ପାଇଁ ଏକ ସ୍ଥାନ ସୃଷ୍ଟି ମଧ୍ୟ କରିପାରିଛନ୍ତି । ଛୁଆଁ ଅଛୁଆଁ ଭେଦଭାବ ଦୂର କରିଛନ୍ତି । ଏଥିପାଇଁ ଆସାମର ବିଭିନ୍ନ ସମାଜ ପକ୍ଷରୁ କ୍ରିଷ୍ଣାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏସବୁକୁ ଭୁକ୍ଷେପ ନକରି ଦଳିତଙ୍କ ପାଇଁ ଲଢ଼ିଥିଲେ କ୍ରିଷ୍ଣା ନାଥଶର୍ମା । ସେ ଏମିତି ଏକ ସମାଜ ଚାହୁଁଥିଲେ ଯେଉଁଠି ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ସମାନ ସମ୍ମାନ ପାଇବେ ।
ଆସାମର ଜୋରହାଟରେ ସାବରମତି ଆଶ୍ରମ ପ୍ରତିଷ୍ଠା କରିଥିଲେ କ୍ରିଷ୍ଣା ନାଥଶର୍ମା । ପ୍ରଶାସନର ଉତ୍ସାହ ଅଭାବରୁ ଦେଶର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଏହି ଆଶ୍ରମ ଏବେ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଚାରିଆଡ଼େ ଖାଲି ଜଙ୍ଗଲ ଆଉ ଜଙ୍ଗଲ । ଦେଶର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ଏହି ଆଶ୍ରମର ଉତ୍ଥାନ ପାଇଁ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ରିଷ୍ଣା ନାଥଶର୍ମାଙ୍କ ସହ ଜଡ଼ିତ ଅନେକ ସ୍ମୃତି ଏବେବି ଆଶ୍ରମରେ ରହିଛି । ଜୋରହାଟର ଏହି ଆଶ୍ରମ ନିଶ୍ଚିତ ଭାବରେ ଏକ ଐତିହାସିକ ସ୍ଥଳୀ । ଏହି ଆଶ୍ରମ ଦେଶର ସ୍ବାଧିନତା ସଂଗ୍ରାମ ସହ ଜଡ଼ିତ । ଗାନ୍ଧୀଙ୍କ ଚିନ୍ତାଧାରାକୁ ନେଇ ଏହା ପ୍ରତିଷ୍ଠା ହୋଇଥିଲା ।
ଅସହଯୋଗ ଆନ୍ଦୋଳନକୁ ୧୦୦ ବର୍ଷ ବିତିଛି । ତେବେ କ୍ରିଷ୍ଣା ନାଥଶର୍ମାଙ୍କ ଆଶ୍ରମକୁ ସଂଗ୍ରାହଳୟ କିମ୍ବା ଲାଇବ୍ରେରୀ କରି ତାଙ୍କ ସ୍ମୃତି ସାଇତା ଯାଇ ପାରିଥାଆନ୍ତା । ଏଥିରେ କ୍ରିଷ୍ଣାଙ୍କ ଲେଖା, ଚିଠି ଆଦି ରହିଛି । ଯାହାଦ୍ବାରା ଆଗାମୀ ପିଢ଼ି ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣି ପାରିବେ । ରାଜ୍ୟ କିମ୍ବା କେନ୍ଦ୍ର ପକ୍ଷରୁ ଏକ ଛୋଟିଆ ପ୍ରୟାସ କ୍ରିଷ୍ଣା ନାଥଶର୍ମାଙ୍କ ସ୍ମୃତି ସଂରକ୍ଷଣ ସମ୍ଭବ ହୋଇ ପାରିବ । ଆଗାମୀ ପିଢ଼ି ପାଇଁ ଏହା ନିତାନ୍ତ ଆବଶ୍ୟକ ଏଥିରେ କୌଣସି ସନ୍ଦେହ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ