ଡେରାଡୁନ: ହରିଦ୍ବାର ଧର୍ମ ସଂସଦରେ(Haridwar Dharma Sansad hate speech case ) ବିବାଦୀୟ ବୟାନ ଘଟଣାରେ ଆସିଛି ଏକ ନୂଆ ଟ୍ବିଷ୍ଟ । ଘଟଣାରେ ଅନ୍ୟ ଦୁଇଜଣଙ୍କ ନାମ ବାହାରକୁ ଆସିଛି । ମାମଲାର ତଦନ୍ତ ପାଇଁ ୫ ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି( SIT)।
ଗରୱାଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) କରଣ ସିଂ ନାଗନଆଲ କହିଛନ୍ତି ଯେ ହରିଦ୍ବାରରେ ଧର୍ମ ସଂସଦରେ ବିବାଦୀୟ ମାମଲାର ଯାଞ୍ଚ ପାଇଁ ଏସପି ସ୍ତରୀୟ ଅଧିକାରୀଙ୍କ ଅଧୀନରେ ଏକ 5 ଜଣିଆ ଏସଆଇଟି ଗଠନ କରାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି । ବିବାଦୀୟ ବୟାନକୁ ନେଇ ଭାଇରାଲ ହୋଇଥିବା ଭିଡିଓରେ ଆଉ ଦୁଇଜଣଙ୍କ ନାମ ସାମ୍ନାକୁ ଆସିଛି । ସେମାନେ ହେଲେ ସାଗର ସିନ୍ଧୁ ମହାରାଜା ଓ ୟାତି ନରସିଂହାନନ୍ଦ ଗିରି । ଘଟଣାରେ ଉଭୟଙ୍କ ବିରୋଧରେ ଧାରା 295 ଏ ଅଧୀନରେ ମାମଲା ରୁଜ୍ଜୁ ହୋଇଥିବା କହିଛନ୍ତି ଉତ୍ତରାଖଣ୍ଡର ପୋଲିସର ମହାନିର୍ଦ୍ଦେଶକ ଅଶୋକ କୁମାର ।
ଏହା ବି ପଢନ୍ତୁ...haridwar dharma sansad hate speech: ଅଡୁଆରେ ୱାସିମ ରିଜଭି, ରୁଜୁ ହେଲା ମାମଲା
ପ୍ରକାଶ ଥାଉ କି ଗତବର୍ଷ ଡିସେମ୍ବର ୧୭ରୁ ୧୯ ଯାଏଁ ହରିଦ୍ବାରରେ ଚାଲିଥିବା ଧର୍ମ ସଂସଦରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଉସୁକାଇବା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଧର୍ମ ସଂସଦ (Haridwar dharma sansad) ଶେଷ ହେବାର ଚାରି ଦିନ ପରେ ଭିଡିଓ ପଦାକୁ ଆସିଥିଲା ଯାହାକୁ ନେଇ ବିବାଦ ଉପୁଜିଥିଲା । ଏ ଭଳି ଭିଡିଓ ସମାଜର ଭାଇଚାରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ ହୋଇଥିଲା । ଏହି ବିବାଦୀୟ ବୟାନକୁ ନେଇ ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଏବଂ ଅନ୍ୟମାନଙ୍କ ବିରୋଧରେ ଧାରା ୧୫୩ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ