ହାଇଦ୍ରାବାଦ: ଘାଟିରେ ଆତଙ୍କବାଦ ନିରୋଧୀ ଅପରେସନରେ ଭଲ ପ୍ରଦର୍ଶନ କରିଛି ଭାରତୀୟ ସୁରକ୍ଷା ବଳ । ବିଭିନ୍ନ ଅପରେସନରେ ସୁରକ୍ଷାବଳ ଗୁଳିରେ ମୋଟ 172 ଆତଙ୍କୀ ନିପାତ ହୋଇଛନ୍ତି (172 terrorists killed in encounters) । ସେମାନଙ୍କ ମଧ୍ୟରେ 24ଜଣ ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ରହିଥିବା ବେଳେ ଅବଶିଷ୍ଟ ସ୍ଥାନୀୟ ଆତଙ୍କବାଦୀ ଥିବା କାଶ୍ମୀର ପୋଲିସ ଏଡିଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।
ଆତଙ୍କବାଦ ନିରୋଧୀ ମିଶନରେ ସେନାକୁ ମିଳିଥିବା ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏଡିଜିପି ବିଜୟ କୁମାର କହିଛନ୍ତି, ଚଳିତବର୍ଷ ଘାଟିରେ ମୋଟ 93ଟି ସଫଳ ଏନକାଉଣ୍ଟର ହୋଇଛି । ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ସର୍ବାଧିକ 108 ଆତଙ୍କବାଦୀ ନିଷେଧ ଘୋଷଣା ହୋଇଥିବା ଆତଙ୍କବାଦୀ ଗୋଷ୍ଠୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଓ ଲସ୍କର-ଇ-ତୋଇବା (LeT)ର ସକ୍ରିୟ ସଦସ୍ୟ ରହିଛନ୍ତି । ସେହିପରି ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (JEM)ର 35ଜଣ ଆତଙ୍କୀ ସେନା କାର୍ଯ୍ୟାନୁଷ୍ଠାନରେ ଟଳିଛନ୍ତି (172 terrorists killed in encounters)।
ଗୁଇନ୍ଦା ସୂଚନା ଆଧାରରେ ସେନା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ସ୍ଥାନୀୟ ପୋଲିସ ବଳ ମିଳିତ ଅପରେସନ ଜାରି ରଖିଥିଲେ । ଏକାଧିକ ଅପରେସନରେ ସୁରକ୍ଷାବଳକୁ ସଫଳତା ମିଳିଛି । ସେହିପରି ଏହି ଏନକାଉଣ୍ଟର ସମୟରେ ଘାଟିରେ ପୂର୍ବପରି ପୋଲିସ କିମ୍ବା ସେନା ବିରୋଧୀ ସ୍ଥିତି ମଧ୍ୟ ଦେଖିବାକୁ ମିଳିନାହିଁ । ସର୍ବସାଧାରଣରେ ହିଂସା, ବିଶେଷ କରି ଏନକାଉଣ୍ଟର ସାଇଟରେ ପଥର ଫିଙ୍ଗା ଘଟଣା, ଇଣ୍ଟରନେଟ ସେବା ବନ୍ଦ, ନିହତ ଆତଙ୍କବାଦୀର ଅନ୍ତିମ ସଂସ୍କାର ଶୋଭାଯାତ୍ରା ପରି ଦେଶ ବିରୋଧୀ କାର୍ଯ୍ୟକଳାପ ମଧ୍ୟ ଆଦୌ ନଜରକୁ ଆସି ନାହିଁ । ଘାଟିରେ ଆତଙ୍କବାଦ ବିରୋଧରେ ସେନାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳୁଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।
ସେହିପରି ଚଳିତ ବର୍ଷ ବିଭିନ୍ନ ଆତଙ୍କୀ ଆକ୍ରମଣରେ 29ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଛି । ଏମାନଙ୍କ ମଧ୍ୟରେ କାଶ୍ମୀର ପଣ୍ଡିତ, କିଛି ଅଣସ୍ଥାନୀୟ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ 3ଜଣ କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ 6ହିନ୍ଦୁ ଓ 15ମୁସଲିମ ରହିଛନ୍ତି । ଅବଶିଷ୍ଟ 8ମୃତକ ଅଣସ୍ଥାନୀୟ ବା ବିଭିନ୍ନ ରାଜ୍ୟର ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହି ସବୁ ହିଂସାରେ ସାମିଲ ଥିବା ଆତଙ୍କବାଦୀଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ଆଧାରରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିପାତ ହୋଇସାରିଥିବା ବେଳେ ଅନ୍ୟ କିଛି ଆତ୍ମଗୋପନ କରିଛନ୍ତି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ନିପାତ କରିବାରେ ସୁରକ୍ଷାବଳକୁ ସଫଳତା ମିଳିବା ନେଇ ଏଡିଜିପି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ