ଥିରୁଅନନ୍ତପୁରମ: ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ମାଲାବାର ବିଦ୍ରୋହ ପ୍ରଥମେ ଉତ୍ତର କେରଳର ମାପ୍ପିଲା ମୁସଲିମ, ଜମିଦାର ଓ ବ୍ରିଟିଶଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା । ମହାତ୍ମା ଗାନ୍ଧୀ ଏବଂ ଜାତୀୟ ନେତାମାନେ ପ୍ରଥମେ ଏହାକୁ ଅଣ-ସହଯୋଗ ଆନ୍ଦୋଳନରେ ମିଶ୍ରଣ କରି ଏହି ସଂଗ୍ରାମକୁ ସମର୍ଥନ କରିଥିଲେ। ଦେଶ ମାତୃକା ପାଇଁ ଏହି ବିଦ୍ରୋହରେ ନିଷ୍ଠୁର ବ୍ରିଟିଶଙ୍କ କ୍ରୁରତାର ଶିକାର ହୋଇଥିଲେ ବିପ୍ଳବୀ । ବିଦ୍ରୋହୀଙ୍କ ଗିରଫ କରାଯାଇ ବାୟୁରୁଦ୍ଧ ବଗିରେ କର୍ଣ୍ଣାଟକର କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ୧୦୦ ଯାତ୍ରୀଙ୍କ ଦ୍ବାରା ଭର୍ତ୍ତି ହୋଇଯାଉଥିବା ବଗିରେ ଯାଇଥିଲେ ୬୦୦ କଏଦୀ । ଅଣନିଶ୍ବାସୀ ହୋଇ ପରସ୍ପରକୁ କାମୁଡିବାକୁ ଆରମ୍ଭ କରିଥିଲେ । ଆଉ ଶେଷରେ ବ୍ରିଟିଶମାନେ ବଗି ଖୋଲିବା ପରେ ଦେଖିଥିଲେ ଛାତିଥରା ଦୃଶ୍ୟ । ଏହି ଘଟଣାଟି ୱାଗନ୍ ଟ୍ରାଜେଡି ଭାବରେ ଜଣାଶୁଣା । ଯାହାକୁ ପୂରିଛି 100 ବର୍ଷ ।
ମାଲାବାର ବିଦ୍ରୋହର ଶେଷ ଭାଗରେ 100ରୁ ଅଧିକ ବିଦ୍ରୋହୀଙ୍କୁ ବ୍ରିଟିଶମାନେ ଅଟକ ରଖିଥିଲେ ଏବଂ ମାଲାପୁରାମ-ପାଲକ୍କଡ ଜିଲ୍ଲା ସୀମାରେ ଥିବା ପୁଲାମାଂଥୋଲ ବ୍ରିଜ ଭାଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। 1921 ମସିହା ନଭେମ୍ବର 20 ତାରିଖରେ ବିଦ୍ରୋହୀମାନେ ମାଲାପୁରମ୍ ଜିଲ୍ଲାର ତିରୁର ରେଳ ଷ୍ଟେସନରୁ ୱାଗନରେ ଲୋଡ୍ ହୋଇ କର୍ଣ୍ଣାଟକର ବେଲାରୀ ଜିଲ୍ଲାର କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଉଥିଲା । ବିଦ୍ରୋହୀମାନଙ୍କୁ ବଗି ମଧ୍ୟରେ ଜୋରଜବରଦସ୍ତ ଭର୍ତ୍ତି କରାଯାଇଥିଲା ।
1981 ମସିହାରେ 'ୱାଗନ୍ ଟ୍ରାଜେଡି' ଭାବରେ ପ୍ରକାଶିତ ଏହି ଦୁଃଖଦ ଘଟଣାକୁ ବର୍ଣ୍ଣନା କରିଛନ୍ତି ଏହି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ କନୋଲି ଅହମ୍ମଦ ହାଜି । ତାଙ୍କ ସ୍ମୃତି ଅନୁସାରେ ବ୍ରିଟିଶ ସେନାମାନେ ବନ୍ଦୀମାନଙ୍କୁ ତକିଆ ଭିତରେ ସୂତା ଭର୍ତ୍ତି କରିବା ପରି ଭର୍ତ୍ତି କରିଥିଲେ । ବଗି ମଧ୍ୟରେ ସ୍ଥାନ ଅଭାବରୁ ଅନେକ ବନ୍ଦୀ ଗୋଟିଏ ଗୋଡରେ ଠିଆ ହୋଇଥିଲେ । ବନ୍ଦୀମାନଙ୍କୁ ୱାଗନ ବା ବଗିରେ ଭର୍ତ୍ତି କରିବା ପରେ ସେନା କର୍ମଚାରୀମାନେ କବାଟ ବନ୍ଦ କରିଦେଇଥିଲେ। ଯାତ୍ରା ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ୱାଗନ୍ ଏକ ଗ୍ୟାସ୍ ଚାମ୍ବର ପରି ହୋଇଯାଇଥିଲା ।
ଅହମ୍ମଦ ହାଜି ତାଙ୍କ ସ୍ମୃତିରେ ପରବର୍ତ୍ତୀ ଘଟଣାକୁ ମନେ ପକାଇଲେ । କଏଦୀମାନେ ୱାଗନରେ ନିଶ୍ବାସ ବିନା ଚିତ୍କାର କରିବାକୁ ଲାଗିଲେ । କାରଣ ୱାଗନ ମଧ୍ୟକୁ ପ୍ରବେଶ କରିପାରୁନଥିଲା ବାୟୁ କି ଆଲୋକ । ବନ୍ଦ ୱାଗନରେ ଗରମ ଯୋଗୁଁ ବନ୍ଦୀଙ୍କ ବାହାରିଥିଲା ଅତ୍ୟଧିକ ଝାଳ । ଫଳରେ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇଥିଲେ । ଶୋଷ ମେଣ୍ଟାଇବାରେ ଅସମର୍ଥ, ବନ୍ଦୀମାନେ ସେମାନଙ୍କ ଝାଳକୁ ଚାଟିବା ସହିତ ମୂତ୍ରକୁ ପିଇବାକୁ ମଧ୍ୟ ପଛାଇନଥିଲେ । ଅଣନିଶ୍ବାସୀ ହେବା ପରେ ବନ୍ଦୀମାନେ ପାଗଳ ପ୍ରାୟ ହୋଇଉଠିଥିଲେ । ପରସ୍ପରକୁ ମାଡ଼ ମାରିବା ଓ କାମୁଡ଼ିବା ଆରମ୍ଭ କରିଥିଲେ। ବଗି ମଧ୍ୟରେ ଥିବା ଏକ ଛୋଟ ଛିଦ୍ର ମଧ୍ୟରୁ ଶ୍ବାସକ୍ରିୟା ପାଇଁ ବନ୍ଦୀମାନେ ଘେରି ଯାଇଥିଲେ । ବର୍ତ୍ତିଯାଇଥିବା ହାଜି ଶୀଘ୍ର ଚେତାଶୂନ୍ୟ ହୋଇପଡ଼ିଥିଲେ । ଚେତା ଫେରିବା ପରେ ସେ ଜୀବିତ ବୋଲି ଜାଣିବାକୁ ପାଇଥିଲେ ।
ଆଖି ଖୋଲିବା ପରେ ତାଙ୍କ ସାମନାରେ ବାନ୍ତି, ରକ୍ତ, ମୂତ୍ର ଓ ମୃତଦେହରେ ପରିପୂର୍ଣ୍ଣ ଥିଲା । ତାଙ୍କ ଉପରେ ଥଣ୍ଡାପାଣି ପଡିବା ପରେ ସେ ଜୀବିତ ବୋଲି ଜାଣିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ୱାଗନ ଟ୍ରାଜେଡିକୁ ଜାଲିୱାନାବାଲାବାଗ ସହିତ ଇତିହାସକାରମାନେ ତୁଳନା କରିଛନ୍ତି । ଏହି ଦୁଃଖଦ ଘଟଣାକୁ ୧୦୦ ବର୍ଷ ପୂରଣ ହୋଇଥିବା ବେଳେ ଲୋକମାନଙ୍କ ମନରୁ ଆଜି ଏହା ଲିଭିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ