ଶ୍ରୀଜଗନ୍ନାଥ ରୂପରେ ଦର୍ଶନ ଦେଲେ ଝଙ୍କଡ ବାସିନୀ ମା' ଶାରଳା - Maa Sarala srungar as Jagannath

By ETV Bharat Odisha Team

Published : Jul 18, 2024, 7:54 AM IST

thumbnail
ଶ୍ରୀଜଗନ୍ନାଥ ରୂପରେ ଦର୍ଶନ ଦେଲେ ଝଙ୍କଡ ବାସିନୀ ମା' ଶାରଳା (ETV Bharat Odisha)

ଜଗତସିଂହପୁର: ମହାପ୍ରଭୁ ଜଗନ୍ନାଥଙ୍କ ବେଶରେ ଦର୍ଶନ ଦେଲେ ମା' ଶାରଳା । ବୁଧବାର ପବିତ୍ର ବଡ଼ ଏକାଦଶୀରେ ତିଥିରେ ଜଗତସିଂହପୁର ଜିଲ୍ଲା ଝଙ୍କଡ ବାସିନୀ ଦେବୀ ମା' ଶାରଳାଙ୍କୁ ଦୁର୍ଲ୍ଲଭ ଶ୍ରୀଜଗନ୍ନାଥଙ୍କ ବେଶରେ ସଜ୍ଜିତ କରାଯାଇଥିଲା । ମା'ଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ । ବଡ଼ ଏକାଦଶୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବାବେଳେ ମା' ଶାରଳାଙ୍କୁ ଜଗନ୍ନାଥଙ୍କ ରୂପରେ ସଜ୍ଜିତ କରାଯାଇଥାଏ । ଝଙ୍କଡ଼ ସ୍ଥିତ ମା' ଶାରଳା ପୀଠ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଅତିବ ନିବିଡ଼ । ଶାରଳା ମନ୍ଦିର ଶକ୍ତିପୀଠ ଭାବରେ ପରିଚିତ ହୋଇଥିଲେ ମଧ୍ୟ ଏଠାରେ ବୈଷ୍ଣବୀୟ ପଦ୍ଧତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ଦିନ ଦେବୀଙ୍କର ମାର୍ଜନା ପରେ ପୁରୀ ଶ୍ରୀମନ୍ଦିରରୁ ମହାପ୍ରସାଦ ଆସି ମା'ଙ୍କୁ ସମର୍ପଣ କରାଯାଇଥାଏ । ଶାକ୍ତ ଉପାସନା ବିଧି ଅନୁସାରେ ଦେବୀଙ୍କୁ ବିଲ୍ବପତ୍ରରେ ପୂଜାର୍ଚ୍ଚନା କରାଯାଉ ଥିବାବେଳେ ଶାରଳାଙ୍କୁ ପ୍ରତିଦିନ ତୁଳସୀ ମଞ୍ଜରୀ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟେକ ଏକାଦଶୀ ତିଥିରେ ମା'ଙ୍କ ସନ୍ଧ୍ୟା ଆଳତି ପରେ ସ୍ନାନ କାର୍ଯ୍ୟ ସମ୍ପନ୍ନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶ କରାଯାଇଥାଏ । ଏହି ବେଶରେ ଚକା ଚକା ଆଖି ସାଙ୍ଗକୁ ନାକରେ ନାକଚଣା ବେଶ ହୋଇ ଆକର୍ଷଣୀୟ ଦେଖାଯାଇଥାନ୍ତି ମା' ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.