ଢ଼ିଙ୍କିଆରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ବୋଇତ ବନ୍ଦାଣ ଓ ବାଲିଯାତ୍ରା ବନ୍ଦ

🎬 Watch Now: Feature Video

thumbnail

ଜଗତସିଂହପୁର: ବୋଇତ ବନ୍ଦାଣ ଓ ବାଲିଯାତ୍ରାକୁ ନେଇ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ଉତ୍ତେଜନା । ଜଟାଧାରୀ ମୁହାଁଣରେ ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଓ ବାଲିଯାତ୍ରାକୁ ନେଇ ଶିଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସେଠାରେ ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ହେଉଥିବା ସ୍ଥଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ କରାଯାଇଛି । ଏହି ବାଲିଯାତ୍ରା ସ୍ଥଳରେ ୨ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶର ଜଟାଧାରୀ ମୁହାଁଣ ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ଦୀର୍ଘଦିନ ଧରି ଚାଲି ଆସୁଥିଲା । ପୂର୍ବରୁ JSW ସପକ୍ଷବାଦୀମାନେ ଏହି କାର୍ଯ୍ୟକ୍ରମ କରି ଆସୁଥିଲେ । ଗତମାସରେ ଢ଼ିଙ୍କିଆର ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଶିଳ୍ପ ବିପକ୍ଷବାଦୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସମର୍ଥକ ପିଙ୍କି ଦାସ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସରପଞ୍ଚ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହିତ ପ୍ରଶାସନର ଅନୁମତି ଆଣିଥିଲେ । ଏହାକୁ ସପକ୍ଷବାଦୀମାନେ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ହସ୍ତକ୍ଷେପ କରି ଉଭୟ ମିଶି ବୋଇତ ବନ୍ଦାଣ ଓ ବାଲିଯାତ୍ରା କରିବା ପାଇଁ କହିଥିଲେ । କିନ୍ତୁ ଏହାକୁ ନେଇ ଶିଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ବଢିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସଵ ଉପରେ ରୋକ ଲଗାଇଦିଆଯିବା ସହିତ ବାଲିଯାତ୍ରା ପଡ଼ିଆରେ BNSSର ୧୬୩ ଧାରା ଲାଗୁ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...୧୪ରେ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରା ବୁଲିବେ ବିଦେଶୀ ପ୍ରତିନିଧି, ଜଳପଥରେ ସ୍ୱାଗତ କରିବ ପ୍ରଶାସନ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.