କଟକରେ 2ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - Cuttack District Administration - CUTTACK DISTRICT ADMINISTRATION
🎬 Watch Now: Feature Video
Published : May 21, 2024, 10:27 PM IST
Cuttack District Administration Election Preparation: କଟକ: ଚଳିତ ମାସ ୨୫ ଓ ଜୁନ୍ ୧ ତାରିଖରେ କଟକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ସମସ୍ତ ବୁଥ ପ୍ରସ୍ତୁତି, ପୋଲିସ ସୁରକ୍ଷା, ପୋଲିଂ ଅଫିସରଙ୍କ ସବୁ ବୁଥ ଗସ୍ତ ଓ ପ୍ରସ୍ଥାନ ଏବଂ ଅନ୍ୟାନ୍ୟ ସମସ୍ତ ଦିଗ କାର୍ଯ୍ୟକୁ ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ଏହାସହ ଇଭିଏମ ଭୋଟିଂ ଷ୍ଟ୍ରଙ୍ଗ ରୁମ ମଧ୍ୟ କରାଯାଇଛି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଭୋଟ ଗଣତି ହେବ । ସେହିପରି ଆଠଗଡ଼ ସବଡିଭିଜନ ଓ ବାଙ୍କୀ ସବଡିଭିଜନରେ ମଧ୍ୟ ଭୋଟ ଗଣତି ହେବ ।
ତେବେ କଟକ ଜିଲ୍ଲାରେ ମୋଟ ୨୧,୪୧,୯୦୪ ଜଣ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧୦,୪୧,୬୧୯ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୬୪ । ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କ ସଂଖ୍ୟା ୪୫,୨୧୮ ରହିଥିବା ବେଳେ 1 ଶହ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ରହିଛି ୮୨୯ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪୧,୯୯୨ ।
ପ୍ରକାଶ ଥାଉକି, ସମଗ୍ର ଦେଶରେ 7ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ କଟକ ଜିଲ୍ଲାର 60 ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜର୍ଭରମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗର ପଞ୍ଜିକରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱିତ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି-ଭିଜିଲ୍ ଆପ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ ।
ଇଟିଭି ଭାରତ, କଟକ