କଟକ: ଆଜି ହେଉଛି ବିଶ୍ବ କିଡନୀ ଦିବସ। 2006 ମସିହାରୁ ସାରା ବିଶ୍ବରେ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ଏହି ଦିବସ ରୂପରେ ପାଳନ ହୋଇ ଆସୁଛି। ବର୍ତ୍ତମାନ ବିଶ୍ବରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୃକକ ଜନିତ ରୋଗ ବା କିଡନୀ ରୋଗ। ଆଜି କଟକ ଏସସିବି ବଡ ମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ବିଶ୍ବ କିଡନୀ ଦିବସ ପାଳନ କରାଯାଇଛି। ସୂଚନା ଅନୁଯାୟୀ, ପ୍ରତିବର୍ଷ ୩୩୨୦୪ କିଡନୀ ରୋଗୀ ବହି ର୍ବିଭାଗକୁ ଆସୁଛନ୍ତି । ଅନ୍ୟପଟରେ ବର୍ତ୍ତମାନ ୭୦୦୦ ରୋଗୀ ଚିକିତ୍ସିତ ହେଉଛନ୍ତି ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ ୨୦୫ଟି କିଡନୀ ପ୍ରତ୍ୟାରୋପଣ କରାଯାଇ ଥିବା ସୂଚନା ମିଳିଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଏସସିବି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା, ନେଫରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ଏସସିବି ଅଧକ୍ଷ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସକାଳୁ ଏସସିବିର ସମସ୍ତ ବିଦ୍ୟାର୍ଥୀ ଓ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ରାଲି ଜରିଆରେ ସଚେତନ କରାଇଥିଲେ । ଯଦି ଦେଖିବା ଆଜି ବିଶ୍ବରେ ପ୍ରତି 10 ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତା ଜନକ ହୋଇଛି । ତେବେ କଟକ ଏସସିବି ମେଡିକାଲରେ ଏହି ରୋଗର ସଫଳ ମୁକାବିଲା କରାଯାଉଛି। ଚିକିତ୍ସା ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ... ସାଂଘାତିକ ହୋଇପାରେ କିଡନୀ ରୋଗ, ଠିକ୍ ସମୟରେ କରନ୍ତୁ ଚିକିତ୍ସା
ଏହି ରୋଗ ମଧୁମେୟ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । ଅନ୍ୟପଟେ ଅନିୟମିତ ଖାଦ୍ୟ ଗ୍ରହଣ, ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ। ବ୍ୟାପକ ସଚେତନତା ହିଁ ରୋଗ କୁ ରୋକିବାର ମୂଳ ଉପାୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଆଜିର ପରିବର୍ତ୍ତିତ ପରିସ୍ଥିତି ତଥା ଜରୁରୀ କାଳୀନ ପରିସ୍ଥିତିରେ କିପରି କିଡନୀ ରୋଗୀ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ ସେନେଇ ଚଳିତ ବର୍ଷ ବାର୍ତ୍ତା ପ୍ରଦାନ କରାଯାଇଛି । ଆଜିର ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ଆକସ୍ମିକ ମୃତ୍ୟୁବରଣ କରୁଥିବା ବ୍ୟକ୍ତି କିଡନୀ ଦାନ କରନ୍ତୁ ବୋଲି ଡାକ୍ତର ଅପିଲ କରିଛନ୍ତି। ତେବେ ଏହି କିଡନୀ ରୋଗୀଙ୍କ ସଂଖ୍ୟା କମାଇବା ପାଇଁ ବିଶେଷଜ୍ଞ ମାନେ ପ୍ରୟାସ ଜାରି ରଖିଛନ୍ତି। ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିବା ସହ ସମସ୍ତେ ଏହା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ।
ଇଟିଭି ଭାରତ, କଟକ