ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଐତିହ୍ୟ ଦିବସ। ସେହି ଉପଲକ୍ଷେ ‘ଐତିହ୍ୟ’ ତରଫରୁ କରାଯାଇଛି ଏକ ପଦଯାତ୍ର । ଓଡିଶା ଐତିହ୍ୟର ପ୍ରଚାର, ପ୍ରସାର, ସୁରକ୍ଷା, ସଂରକ୍ଷଣ ଓ ବିକାଶ ଲକ୍ଷ୍ଯରେ ଆୟୋଜିତ ହୋଇଯାଇଛି ଏହି ଐତିହ୍ୟ ପଦଯାତ୍ରା। ଏକାମ୍ର କ୍ଷେତ୍ର ଐତିହ୍ୟ କୀର୍ତ୍ତି ରାଜିର ସଂରକ୍ଷଣ ବାର୍ତ୍ତା ନେଇ ପୁରୁଣା ଭୁବନେଶ୍ୱରର ଉତ୍ତରଘାଟ ବିନ୍ଦୁ ସାଗର କୂଳରୁ ତିନିମୁଣ୍ଡିଆ ଛକ ଯାଏଁ ଏହି ପଦଯାତ୍ରା କରାଯାଇଥିଲା। ଯେଉଁଥିରେ ଭୁବନେଶ୍ୱରର ବିଏମ ଉଚ୍ଚବିଦ୍ୟାଳୟ ଓ କଳିଙ୍ଗ କଲେଜ ଅଫ କମର୍ସର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଐତିହ୍ୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ପଦଯାତ୍ରା କରାଯାଇଛି ।
ଭବିଷ୍ୟତ ପିଢ଼ି କିଭଳି ଐତିହ୍ୟର ସୁରକ୍ଷା କରିବେ ସେଇ ବାର୍ତ୍ତାକୁ ନେଇ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସହ ଏହି ପଦଯାତ୍ରା କରାଯାଇଥିବା । ଏହି ପଦଯାତ୍ରା ଦ୍ୱାରା ଯୁବପିଢ଼ିମାନେ ଆମର ଯେଉଁ ସୁନ୍ଦର ସ୍ୱର୍ଣ୍ଣିମ ଐତିହ୍ୟ ରହିଛି ତାହାକୁ ଜାଣିବେ ଓ ଏହାକୁ ସବୁଦିନ ପାଇଁ ଏହାକୁ ସଂରକ୍ଷିତ କରି ରଖି ପାରିବେ ତଥା ରଖିବା ପାଇଁ ପ୍ରୟାସ କରିବେ। ଏହି ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ । ପ୍ରଫେସର ସ୍ଵାଇଁ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ମାନିତ ଅତିଥିଭାବେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକ୍ଷକ ଅଶ୍ୱିନୀ ଶତପଥ ସମାରୋହର ଆବଶ୍ୟକତା ବୁଝାଇବାକୁ ଯାଇ ସମ୍ମିଳିତ ଶିକ୍ଷାର୍ଥୀଙ୍କୁ ମନ୍ଦିର କାରୁକାର୍ଯ୍ୟ ତଥା ଇତିହାସ ସଂମ୍ପର୍କରେ ଅବଗତ କରାଇଥିଲେ । ଏ.ଏସ୍.ଆଇର ଅବସରପ୍ରାପ୍ତ ସଂରକ୍ଷକ ନିର୍ମଳ କୁମାର ମହାପାତ୍ର ମନ୍ଦିରର ସଂରକ୍ଷଣ ସଂପର୍କରେ ମତାମତ ପ୍ରଦାନ କରିଥିଲେ । ଅନ୍ୟପଟେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପାଳିତ ହୋଇଛି ବିଶ୍ୱ ଐତିହ୍ୟ ଦିବସ । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ମନ୍ଦିରକୁ ଆଜି ପ୍ରବେଶ ଶୁଳ୍କ ସକାଳ ୬ଟା ଠାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଛାଡ଼ କରାଯାଇଛି । ପର୍ଯ୍ୟଟକମାନେ ବିନା ଟିକେଟରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଉଛନ୍ତି ।ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟକୁ ଫଟୋ ଗ୍ୟାଲେରୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର