ଭୁବନେଶ୍ବର: ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢିବା ପାଇଁ ଆଗ୍ରହୀ କରାଇବ । ଲେଖା ସହ ପାଠ ପଢିବା ପାଇଁ ବିଶେଷ ଭାବରେ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶନିବାର ୫୨ ପ୍ରାଇମର୍ସ ଅଫ୍ ଏନସିଇଆରଟି, ଡାଏଟ୍ସ ଏଫ୍ ଏକ୍ସଲେନ୍ସ, ନ୍ୟାସନାଲ ପ୍ରଫେସନାଲ ଷ୍ଟାଣ୍ଡାର୍ଡ ଫର୍ ଟିଚର୍ସ, ନ୍ୟାସନାଲ ମିଶନ ଫର୍ ମେଣ୍ଟରିଂ, ଜାତୀୟ ବିଦ୍ୟା ସମୀକ୍ଷା କେନ୍ଦ୍ର ଓ ୨ଶହ ଟିଭି ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଦେଶର ୧୭ଟି ରାଜ୍ୟରେ ୫୨ଟି ବର୍ଣ୍ଣମାଳା ପୁସ୍ତକ ମଧ୍ୟରୁ ଓଡ଼ିଶାର ୬ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ ହୋଇଛି । ସେଗୁଡିକ ହେଲା ଗାଦବା, ଜୁଆଙ୍ଗ, କୁଓ୍ୱି, କିସାନ, ସାନ୍ତାଳୀ, ସୋରା । ଏହା ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବା ଦିଗରେ ରଥ ଚକ ଭଳି କାମ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, "ଏକବିଂଶ ଶତାବ୍ଦୀର ସ୍କୁଲ ଶିକ୍ଷାକୁ ମଜବୁତ କରିବା ମୋଦି ଗ୍ୟାରେଣ୍ଟି ହୋଇଛି । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଏବଂ ମୋଦି ଗ୍ୟାରେଣ୍ଟିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ଦୃଢ ମୂଳଦୁଆ ପଡିଛି । ଆଜିର ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତିକୁ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ କରିବା ଦିଗରେ ରଥ ଚକ ଭଳି କାମ କରିବ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସର୍ବସମାବେଶୀ କରାଇବ ।"
ସ୍କୁଲ ଶିକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାକୁ ଥିବା ଏହି ପଦକ୍ଷେପ ଗୁଡିକ ବିଶେଷତଃ ୫୨ ଭାରତୀୟ ଭାଷା ଗୁଡିକ ନିରନ୍ତର ଭାବରେ ନୂତନ ସଭ୍ୟତାର ନବଜାଗରଣ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ । ୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ରହିଛି । ଉଜ୍ଜୟିନୀର ପାଠଶାଳାରେ ୩ଶହ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଆଜିର ପଦକ୍ଷେପଗୁଡିକ ଭବିଷ୍ୟତ ଆଧାରିତ ପାଠପଢା ଦୃଶ୍ୟପଟ୍ଟ ତିଆରି କରିବ । ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଶିକ୍ଷାନୀତିର କଳ୍ପନାକୁ ବାସ୍ତବ ରୂପ ଦେଇ ସ୍କୁଲ ଶିକ୍ଷାର ସର୍ବାଙ୍ଗୀନ ବିକାଶ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର