ପାରାଦ୍ବୀପ: ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ଭାବେ ପରିଗଣିତ କଟକ-ପାରାଦ୍ବୀପ ରାସ୍ତା ଏବେ ଯାତ୍ରୀ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଫଳରେ ଅନେକ ନିରୀହ ଜୀବନ ଅନ୍ତ ଘଟୁଛି । କଟକରୁ ପାରାଦ୍ବୀପକୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥ ରାସ୍ତାଟି ଅନେକ ସ୍ଥାନରେ ଟର୍ଣ୍ଣିଂ ପଏଣ୍ଟ ଥିବାରୁ ଦ୍ରୁତ ଗତିରେ ଆସୁଥିବା ଭାରୀଯାନ କାରଣରୁ ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି । ସେହିପରି ଦୁର୍ଘଟଣାରେ 2 ଯୁବକଙ୍କ ମୃତ୍ୟୁ ଘଟିଛି ।
ଗତକାଲି(ମଙ୍ଗଳବାର) ତେରମାଣପୁର ନିକଟରେ ଏକ ଗଡା ଠାରେ ଦୁର୍ଘଟଣା ଘଟିଛି । ଫଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ପାରାଦ୍ବୀପ ଲକ ଥାନା ଅନ୍ତର୍ଗତ ବିଶ୍ବାଳି ଗ୍ରାମର ଶିବ ତରାଇଙ୍କ ଏକମାତ୍ର ପୁଅ ବିଶ୍ବଜିତ ତରାଇ (20) ଓ କୋଲିଆ ଗ୍ରାମର ମିଲୁ ବେହେରାଙ୍କ ପୁଅ ରାହୁଲ (20) ସାଙ୍ଗ ହୋଇ ରାହାମା ସ୍ଥିତ ସାଇଲୋ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦେଖିବାକୁ ଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ .... ଟ୍ରାକ୍ ସଜାଡ଼ିବା ବେଳେ ମାଡ଼ିଗଲା ଟ୍ରେନ, 3 ରେଳ କର୍ମଚାରୀ ମୃତ
ସେଠାରୁ ଫେରିବା ବେଳେ ବାଟରେ ଏକ ଦୃତଗାମୀ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଘଟାଇ ଅବିଳମ୍ବେ ଟ୍ରକଟି ଖସି ପଳାଇ ଯାଇଥିଲା । ବିଳମ୍ବିତ ରାତ୍ରି ହୋଇ ଯାଇଥିବାରୁ ସ୍ଥାନୀୟ ଲୋକେ ଏହା ଜାଣିପାରି ନ ଥିଲେ । ସେହି ରାସ୍ତା ଦେଇ ପାରାଦ୍ବୀପରୁ କିଛି ଲୋକ କଟକ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ ଓ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ସେମାନେ ତିର୍ତ୍ତୋଲ ଥାନାକୁ ଖବର ଦେବା ପରେ ତିର୍ତ୍ତୋଲ ପୋଲିସ ମୃତଦେହକୁ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା । ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଗତକାଲି ସନ୍ଧ୍ୟାରେ ମୃତ ଦୁଇ ସାଙ୍ଗଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ, ଜଗତସିଂହପୁର