ବୌଦ୍ଧ: ଜିଲ୍ଲାର ଆଦିମ ଜନଜାତି ମଧ୍ୟରେ କନ୍ଧ ସମ୍ପ୍ରଦାୟ ଅନ୍ୟତମ । ଏହି କନ୍ଧ ସମ୍ପ୍ରଦାୟର ବାର ଭାୟା ବତିଶି କନ୍ଧ ମାଟି ଭାବେ ପରିଚିତ ବାଘଝିର ପ୍ରଗଣା ଓ ଘାଟିତଳ ମୁଠାରେ ରହିଛି ଦୁଇ ପ୍ରାଚୀନ ପୀଠ । ଯାହା ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି । କନ୍ଧ ସମ୍ପ୍ରଦାୟର ଏହି ଦୁଇ ପୀଠରେ ବର୍ଷ ତମାମ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଏହାର ପୁନଃଉତ୍ଥାନ ପାଇଁ ସରକାର, ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି ।
ଜିଲ୍ଲାର ବିଭିନ୍ନ ଦେବଦେବୀଙ୍କ ପୀଠ ମଧ୍ୟରେ କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀଙ୍କ ପୀଠ ଅନ୍ୟତମ । ବୌଦ୍ଧ ଜିଲ୍ଲାର ଆଦିମ ଜନଜାତିଙ୍କ ମଧ୍ୟରେ କନ୍ଧ ସମ୍ପ୍ରଦାୟ କାଳ କାଳରୁ ବସବାସ କରିଆସୁଛନ୍ତି । ଜିଲ୍ଲାର ବାଘଝିର ପ୍ରଗଣା ଯାହା ବର୍ତ୍ତମାନର ମୁଣ୍ଡାପଡା ଭାବରେ ପରିଚିତ, ସେଠାରେ ରହିଛି କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମାଆ ଆଦିଶକ୍ତିଙ୍କ ପୀଠ । ଏକ ପିପ୍ପଳ ବୃକ୍ଷ ମୂଳରେ ଖୋଲା ଆକାଶ ତଳେ କାହିଁ କେଉଁ କାଳରୁ ଏଠାରେ ମାଆ ପୂଜାପାଇ ଆସୁଛନ୍ତି ।
ମାଆଙ୍କ ନିକଟରେ କନ୍ଧ ସମ୍ପ୍ରଦାୟର ବ୍ୟବହୃତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥାଏ । ଏହାଛଡା ଏଠାରେ ଦେବୀଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ପାରମ୍ପରିକ ଲୋକ ବାଦ୍ୟ ମଧ୍ୟରେ ବାଉଁଶ ନଳାରେ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ରନ୍ଧା ମଦକୁ ଅର୍ପଣ କରାଯାଇଥାଏ । ବିଭିନ୍ନ ସମୟରେ ଏହି ପ୍ରସିଦ୍ଧ ଶକ୍ତିପୀଠକୁ ନେତା ମନ୍ତ୍ରୀ ଗସ୍ତ କରି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ତେବେ ଏହି ପ୍ରାଚୀନ ପୀଠ ଏବେ ଅବହେଳିତ ହୋଇ ପଡ଼ିରହିଛି । ମାଆଙ୍କ ପାଇଁ ମନ୍ଦିରଠାରୁ ଆରମ୍ଭ କରି ଏହାର ଆଖପାଖ ପରିବେଶ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି ।
ସେହିପରି ବୌଦ୍ଧ ଜିଲ୍ଲାର ସୀମାନ୍ତରେ ଥିବା ଟିକରପଡା ପଞ୍ଚାୟତର ବରପଦରର ସିଂହାସିନୀ ଅନ୍ୟତମ । କନ୍ଧ ସମ୍ପ୍ରଦାୟର ଆରାଧ୍ୟ ଦେବୀ ସିଂହାସିନୀଙ୍କ ପ୍ରସିଦ୍ଧ ପୀଠକୁ ପ୍ରାୟ ଆଠଟି ଜିଲ୍ଲାର ଭକ୍ତ ଶ୍ରଦ୍ଧାଳୁ ବିଭିନ୍ନ ସମୟରେ ଆସିଥାନ୍ତି । ଏଠାରେ ମଧ୍ୟ ଦେବୀଙ୍କ କୌଣସି ସ୍ଥାୟୀ ମନ୍ଦିର କିମ୍ବା ଅନ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇ ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅବଶ୍ୟ ବିଳମ୍ବରେ ହେଲେବି ବର୍ତ୍ତମାନ ଉକ୍ତ ସ୍ଥାନକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ହୋଇଛି । ତେବେ କନ୍ଧ ସମ୍ପ୍ରଦାୟର ଏହି ଦୁଇ ପ୍ରାଚୀନ ଶକ୍ତି ପୀଠର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଅବହେଳିତ ଅବସ୍ଥାରେ ରେଢ଼ାଖୋଲର ଶୁଆଣୀ ଦେବୀ ପୀଠ, ତେଜୁଛି ପୁନଃଉଦ୍ଧାର ଦାବି
ବୌଦ୍ଧ, ଇଟିଭି ଭାରତ