ବଲାଙ୍ଗୀର: ଚଳିତ ନିର୍ବାଚନରେ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ଏକ ମୁଖ୍ୟ ମୁଦ୍ଦା ଭାବେ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କ ବିବାଦୀୟ ମନ୍ତବ୍ୟ ଏବେ ଭାଇରାଲ ହୋଇଛି । ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ଇସ୍ତଫା ଦେଇଥାନ୍ତେ ବୋଲି ଟୁକୁନି ଏକ କାର୍ଯ୍ୟକ୍ରମରେ କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ପ୍ରଥମେ ଟିଟିଲାଗଡ଼ ଜିଲ୍ଲା ହେବ ଓ ପରେ ଯାହା ହେବ ବୋଲି ଟୁକୁନିଙ୍କର ମନ୍ତବ୍ୟକୁ ନେଇ ଏବେ ରାଜନୀତି ତେଜିଛି ।
ବିଶେଷ କରି ଟିଟିଲାଗଡ଼କୁ ଜିଲ୍ଲା ଦାବି ନେଇ ଆନ୍ଦୋଳନ ହୋଉଥିବା ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶୃତିକୁ ନେଇ ବିବାଦ ଦେଖାଯାଇଥିଲା । ତେବେ ଏଥିରେ ମନ୍ତ୍ରୀ ଟୁକୁନି ସାହୁ ନିକଟରେ ଏକ ସଭାରେ ଦେଇଥିବା ବିବାଦୀୟ ଭାଷଣକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପୂର୍ବରୁ ପଦ୍ମପୁର ଉପ-ନିର୍ବାଚନରେ ଏହି ଦାବି ଜୋର ଧରିଥିଲା । ସରକାର ମଧ୍ୟ ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶୃତି ଦେଇଥିଲେ । ଯାହା ପରେ ସାରା ରାଜ୍ୟରେ ଅନ୍ୟ ଜିଲ୍ଲା ଦାବି ନେଇ ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଥିଲା । ଅନ୍ୟପଟେ ଦୀର୍ଘ ବର୍ଷରୁ ଟିଟିଲାଗଡ଼କୁ ଜିଲ୍ଲା ଦାବି ନେଇ ଆନ୍ଦୋଳନ ହୋଇଆସୁଛି । ପଦ୍ମପୁର ଜିଲ୍ଲା ଘୋଷଣା ହେବା ପରେ ଏଠି ତୀବ୍ର ଆନ୍ଦୋଳନ ହେବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଲୋକ ପ୍ରତିବାଦ କରିଥିଲେ ।
ସେପଟେ ଏଭଳି ସମୟରେ ଏବେ ଟିଟିଲାଗଡ଼ ବିଧାୟିକା ପ୍ରାର୍ଥିନୀ ଟୁକୁନି ସାହୁ ଏକ ନିର୍ବଚନୀ ସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଆହୁରି ରାଜନୀତି ତେଜିଛି । ବିରୋଧୀ ତାଙ୍କୁ ତଥା ସରକାରଙ୍କୁ ସିଧାସଳଖ ଘେରିଛନ୍ତି । ତେବେ ଏକ ନିର୍ବଚନୀ ସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ଦେଇଥାନ୍ତେ । ତେବେ ଯଦି ଓଡ଼ିଶାରେ ଜିଲ୍ଲା ହେବ ତାହାହେଲେ ଟିଟିଲାଗଡ଼ ପ୍ରଥମେ ଜିଲ୍ଲା ହେବ ବୋଲି ଟୁକୁନି କହିଥିଲେ । ସେ ଟିଟିଲାଗଡକୁ ଜିଲ୍ଲା କରିବା ପାଇଁ ଚେଷ୍ଟିତ ଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କଥା ଜାଣିଛନ୍ତି ଓ ଆଗକୁ ନିଶ୍ଚୟ ଜିଲ୍ଲା ହେବ ବୋଲି କହିଥିଲେ ଟୁକୁନି ।
ଟୁକୁନିଙ୍କ ଏହି ମନ୍ତବ୍ୟରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ତାଙ୍କର ଯଦି ସତେ ଦରଦ ଅଛି, ତାହାହେଲେ ଜିଲ୍ଲା ଦାବି ପାଇଁ ଇସ୍ତଫା ଦିଅନ୍ତୁ । ସେହିପରି ମନ୍ତ୍ରୀ ତଥା ରାଜ୍ୟ ସରକାର ସବୁବେଳେ ମିଛ କହି ଆସୁଛନ୍ତି । ଏପରିକି ପଦ୍ମପୁର ନିର୍ବାଚନ ଜିତିବା ପାଇଁ ପଦ୍ମପୁରକୁ ବେଆଇନ ଭାବରେ ଜିଲ୍ଲା ଘୋଷଣା କରିଥିଲେ । ସରକାରଙ୍କ ଏହା ଏକ ଜୁମଲା ଥିଲା । ଜିଲ୍ଲା ଗଠନ ପାଇଁ ଏକ କମିଟି ଗଠିତ ହୁଏ ଓ ତାଙ୍କ ରିପୋର୍ଟ ଅନୁସାରେ ସରକାର ପଦକ୍ଷେପ ନେଇଥାଆନ୍ତି । ତେବେ ଟିଟିଲାଗଡ଼ ଜିଲ୍ଲା ହେବା ଦାବିକୁ ମଧ୍ୟ ସରକାର ଭ୍ରୁକ୍ଷେପ କରୁନାହାନ୍ତି ବୋଲି କହିଛନ୍ତି ନରସିଂହ ।
ଇଟିଭି ଭାରତ, ବଲାଙ୍ଗୀର