ରାଉରକେଲା: ରାଜ୍ୟ ସରକାରଙ୍କୁ ଦୁର୍ନୀତି ଗ୍ରସ୍ତ ସରକାର କହି କଂଗ୍ରେସର ଟାର୍ଗେଟ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଉଭୟ ବିଜେପି ଓ ବିଜେଡିକୁ କଟାକ୍ଷ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ । ଇଲେକ୍ଟୋରାଲ ବଣ୍ଡକୁ ନେଇ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଦେଶରେ ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ଲୁଟୁଥିବା ଓ ଦୁର୍ନୀତିରେ ବୁଡି ରହୁଥିବା ନେଇ କହି ଉଭୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।
ରାଉରକେଲା କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, "ରାଜ୍ୟରେ ୨୪ ବର୍ଷର ଶାସନ କାଳରେ ନବୀନ ପଟ୍ଟନାୟକ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନ ବାବୁଙ୍କ କାରସାଦି ଓ ଜାଲିଆତି ବୁଝି ଗଲେଣି । ଅବୈଧ ବଳ ଜରିଆରେ ବିଭିନ୍ନ କମ୍ପାନୀ ଠାରୁ ଆଞ୍ଚଳିକ ଦଳ ବିଜେଡ଼ି ସବୁଠୁ ଅଧିକା ଦଳୀୟ ପାଣ୍ଠି ଇଲେକ୍ଟୋରାଲ ବଣ୍ଡ ଆଦାୟ କରିଛି । ଏହା ସୂଚୀତ କରୁଛି ନବୀନ ବାବୁ ରାଜ୍ୟକୁ ଲୁଟିବା ପାଇଁ ସମ୍ପୂର୍ଣ୍ଣ ରାଜ୍ୟର ବିଭିନ୍ନ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଛନ୍ତି ।"
ସେ ଆଉ ମଧ୍ୟ କହିଛନ୍ତି," ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶାସକ ଦଳର ଅସଲ ଚିତ୍ର ଓ ଚରିତ୍ର ସାମନାକୁ ଖୁବ ଶୀଘ୍ର ଆସିବ । ସେ ଆଉମଧ୍ୟ ଅଭିଯୋଗ ଆଣିଛନ୍ତି, "ରାଜ୍ୟରେ ଚିଟଫଣ୍ଡ ମହାଦୁର୍ନୀତି ଓ ଖଣି ଦୁର୍ନୀତିରେ ସଂପୃକ୍ତ ରାଜ୍ୟସରକାରଙ୍କୁ କେନ୍ଦ୍ର ସରକାର ଘଣ୍ଟ ଘୋଡାଉଛନ୍ତି ।" ନିର୍ଦ୍ଦିଷ୍ଟ ରାଜନେତା ଓ ବ୍ୟକ୍ତି ବିଶେଷଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ଚଢ଼ାଉ କରିଥିବା ବେଳେ କୋଟି କୋଟି ଟଙ୍କାର ମହାଦୁର୍ନୀତିରେ ସମ୍ପୃକ୍ତ ନବୀନ ସରକାରଙ୍କୁ ମୋଦୀ ସରକାର କାହିଁକି ଘଣ୍ଟ ଘୋଡାଉଛନ୍ତି ଓ ଏହା ପଛର ଅସଲି ଉଦ୍ଦେଶ୍ୟ କଣ ତାହା ରାଜ୍ୟବାସୀଙ୍କୁ ଆଉ ଅଜଣା ଓ ଅଛପା ନାହିଁ ବୋଲି କହି ବର୍ଷିଛି କଂଗ୍ରେସ ।
ଆଉମଧ୍ୟ ରାଜ୍ୟର କୃଷକ, ମହିଳା, ଯୁବକ ଓ ଛାତ୍ର ଦିଶାହୀନ ହୋଇପଡ଼ିଛନ୍ତି । ତଥାପି ନବୀନ ବାବୁ କ୍ଷମତାରେ ରହିବା ପାଇଁ ହୋଇ ଚିଠିର ଆଶ୍ରା ନେଇଛନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ ବୋଲି କହିଛି କଂଗ୍ରେସ । ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଯାଉଛି । ଖଣିଜ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟ ଓଡ଼ିଶାକୁ ଅଣ ଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ଅହରହ ଉଦ୍ୟମ ଚାଲିଛି । ଏପରିକି ରାଜ୍ୟ ଶାସନ ଅଣଓଡ଼ିଆଙ୍କ ଜରିଆରେ ଚାଲିଛି ବୋଲି ଅଭିଯୋଗ ଆଣି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ ।
ଇଟିଭି ଭାରତ, ରାଉରକେଲା