ପୁରୀ: ଭକ୍ତଙ୍କ ଭାବନା ସହ ଖେଳ । କେନାଲ ପାଣିରେ ବୁଡିଲା ଅର୍ପଣ ଚାଉଳ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦାନ କରିଥିବା ଚାଉଳକୁ କେନାଲରେ ଫିଙ୍ଗି ଦେବା ଅଭିଯୋଗ । ଶ୍ରୀ ମନ୍ଦିରରୁ ମିନି ଟ୍ରକରେ ଅର୍ପଣ ଅରୁଆ ଚାଉଳ ଏକ ରାଇସ ମିଲକୁପ୍ରୋସେସ ହେବାକୁ ଆସିଥିବା ବେଳେ ଏହାକୁ ଗୋପର ବାୟାକୁଦା କେନାଲରେ ଫିଙ୍ଗି ଦିଆଯାଇଛି। ଏହି ଦୃଶ୍ୟ କିଛି ସ୍ଥାନୀୟ ଲୋକ ଦେଖିବା ପରେ ଭିଡିଓ ଉତ୍ତୋଳନ କରି ବିଭିନ୍ନ ଗଣମାଧ୍ୟମକୁ ଦେଇଥିଲେ। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ସଂପାଦକ ।
ଅର୍ପଣ ରଥ ଜରିଆରେ ଚାଉଳ ଦାନ କରିଥିଲେ ଭକ୍ତ: ଗତ ଜାନୁଆରୀ 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ପୂର୍ବ ବିଜେଡି ସରକାରର ନିଷ୍ପତ୍ତି କ୍ରମେ ସାରା ରାଜ୍ୟ ପରିକ୍ରମା କରିଥିଲା ଅର୍ପଣ ରଥ। ଏହି ଅର୍ପଣ ରଥ ଜରିଆରେ ସାରା ଓଡିଶାରୁ 14 ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ ହୋଇଥଲା। ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ଚାଉଳରୁ କାନିକା, ଖେଚୁଡ଼ି ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଗଚ୍ଛିତ ଥିବା 4 ହାଜର କ୍ବିଣ୍ଟାଲ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି ହୋଇ ମାଗଣା ବଣ୍ଟନ ହେଇଥିଲା। ପରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏହାକୁ ବନ୍ଦ କରାଯାଇଥିଲା।
ରିପ୍ରୋସେସିଂ ନାଁରେ ଚାଉଳକୁ ଫିଙ୍ଗି ଦେଲେ!:
ନୂଆ ସରକାର ଆସିବା ପରେ ଆଉ ପୁନର୍ବାର ଏହା ଆରମ୍ଭ ହୋଇ ନଥିଲା। ଫଳରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଓ ପଶ୍ଚିମ ଦ୍ଵାର ଗୁମୁଟରେ ପଡ଼ିରହି ଚାଉଳରୁ ଦୁର୍ଗନ୍ଧ ବାହାରିଥିଲା। ପରେ ଏନେଇ ବିଭିନ୍ନ ମହଲରେ ସମାଲୋଚନା ପରେ ପ୍ରଶାସନର ନିର୍ଦେଶ ଅନୁଯାୟୀ ସୁଆର ମହାସୁଆର ନିଯୋଗ ଏହି ଚାଉଳକୁ ରିପ୍ରୋସେସ ପାଇଁ ଗୋପର ଏକ ରାଇସ ମିଲକୁ ଦୁଇ ଶହ ବସ୍ତା ଚାଉଳ ଏକ ମିନିଟ୍ରକରେ ଗତ 18 ତାରିଖରେ ପଠାଇଥିଲେ। ହେଲେ ଦୁଇ ଦିନ ତଳେ ଉକ୍ତ ମିନିଟ୍ରକରେ ଲୋଡ ହେଇଥିବା ଚାଉଳ ଗୋପର ବାୟାକୁଦା କେନାଲରେ ଫିଙ୍ଗା ଯାଉଥିବା ନଜରକୁ ଆସିଥିଲା। ଏହି ଚାଉଳ ଭକ୍ତଙ୍କ ଅରପ୍ଣ ଚାଉଳ ବୋଲି ଦାବି ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୁଆର ମହାସୁଆର ନିଯୋଗ। ଅର୍ପଣ ଚାଉଳ ପ୍ରୋସେସିଂ ପାଇଁ ଯାଇଛି, କେନାଲରେ ଫିଙ୍ଗା ୟାଇଥିବା ଚାଉଳ ରାଇସ ମିଲର କିଛି ଖରାପ ଚାଉଳ ବୋଲି ସୁଆର ମହାସୁଆର ନିଯୋଗ ସଫେଇ ଦେଇଛି।
ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ସୁଆର ମହାସୁଆର ସଂପାଦକ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଂପାଦକ ନାରାୟଣ ମହାସୁଆର କହିଛନ୍ତି, '' ଯେଉଁ ଚାଉଳ କେନାଲରେ ଫିଙ୍ଗି ଦିଆଯାଉଛି ତାହା ଅର୍ପଣ ଚାଉଳ ନୁହେଁ। ଏହା ରାଇସ ମିଲରେ ଖରାପ ହୋଇ ଯାଇଥିବା ଚାଉଳ। ଅର୍ପଣ ଚାଉଳ ପ୍ରୋସେସିଂ ପାଇଁ ପଠାଯାଇଥିଲା । ମିଲରେ କିଛି ଦିନ ତଳେ ବର୍ଷା ଯୋଗୁ ପାଣି ପଶିଯାଇଥିଲା। ସେହି ବର୍ଷା ଜଳ ଯୋଗୁ ମିଲରେ ତଳେ ଥୁଆ ହେଇଥିବା କିଛି ଚାଉଳ ନଷ୍ଟ ହୋଇ ଯାଇଛି। ଯାହାକି ଆଉ ବ୍ୟବହାର ଉପୋଯୋଗି ନୁହେଁ। ଏଣୁ ଏହାକୁ ଫିଙ୍ଗି ଦିଆଯାଇଛି। କିନ୍ତୁ ଅର୍ପଣ ଚାଉଳ ସୁରକ୍ଷିତ ରହିଛି। 2 ଶହ ପ୍ୟାକେଟ ଅର୍ପଣ ଚାଉଳ ଉକ୍ତ ରାଇସ ମିଲକୁ ଦିଆଯାଇଛି। ଏହା ପ୍ରୋସେସିଂ ପରେ ପୁଣି ଶ୍ରୀମନ୍ଦିର କୁ ଫେରି ଆସିବ। ପ୍ରଶାସନ ପାଖରେ ଥିବା ବଳକା 10 ହଜାର କ୍ବିଣ୍ଟାଲ ଚାଉଳ ମଧ୍ଯ ଆଗାମି ଦିନରେ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଏଣୁ ଏକ କମ୍ପାନୀ ସହିତ ଏ ନେଇ କଥାବାର୍ତ୍ତା ହୋଇଛି। 10 ହଜାର କ୍ବିଣ୍ଟାଲ ଚାଉଳ ଉକ୍ତ କମ୍ପାନୀ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚାଉଳର ମୂଲ୍ୟ ଯାହା ହେବ ସେହି ଅନୁଯାୟୀ ଟଙ୍କା ଦେବ। ଏହା ଦ୍ବାରା ଉକ୍ତ ଅର୍ଥରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତି ହୋଇ ପାରିବ। ତେବେ ଏ ନେଇ ଆଲୋଚୋନା ଚାଲିଛି। ଏ ନେଇ ପ୍ରଶାସନ ନିଷ୍ପତ୍ତି ନେଵ।''
ଅର୍ପଣ ଚାଉଳ ରାଇସ ମିଲରେ ଅଛି: ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହା ସୁଆର ପ୍ରତିକ୍ରିୟାରେ କହିଛନ୍ତି, ''ସେ ନିଜେ ଉକ୍ତ ରାଇସ ମିଲ ସହିତ କଥା ହୋଇଛନ୍ତି। ଯାହା ସୂଚନା ରହିଛି ଉକ୍ତ ରାଇସ ମିଲର କିଛି ଚାଉଳ ନଷ୍ଟ ହୋଇଯାଇଥିଲା। ସେହି ଚାଉଳକୁ ଫିଙ୍ଗି ଦିଆଯାଇଛି। କିନ୍ତୁ ଅର୍ପଣ ଚାଉଳ ରାଇସ ମିଲରେ ଅଛି। ତେବେ ପୁରୀ ଜିଲ୍ଲାପାଳ ଏ ନେଇ ଅବଗତ ଅଛନ୍ତି। ଘଟଣା ର ତଦନ୍ତ କରିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସୁଆର ମହାସୁଆର ନିଯୋଗର ସଂପାଦକ କହିଛନ୍ତି। ବଳକା ଥିବା 10 ହଜାର କ୍ବିଣ୍ଟାଲ ଚାଉଳ ଏବେ ପ୍ରଶାସନ ରଖିଛି । ଏହା ଦିର୍ଘ ଦିନ ହେବ ଗଚ୍ଛିତ ଥିବାରୁ ଖରାପ ହେବାର ଆଶଙ୍କା ରହିଛି। ତେବେ 4 କେଜି ଚାଉଳରେ କାନିକା ମହାପ୍ରସାଦରେ 25 ଶହ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଣୁ 10 ହଜାର କ୍ବିଣ୍ଟାଲ କାନିକା ମହାପ୍ରସାଦ ପ୍ରସ୍ତୁତିରେ ବିପୁଳ ଅର୍ଥ ଲାଗିବ। ଏଣୁ ରାଜ୍ୟ ସରକାର ଆର୍ଥିକ ସହଯୋଗ ପ୍ରଦାନ କଲେ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି ହୋଇ ପାରିବ ।''
ଇଟିଭି ଭାରତ, ପୁରୀ