ଖୋର୍ଦ୍ଧା: ଦିନକୁ ଦିନ ବଢିବାରେ ଲାଗିଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ବେଗୁନିଆ ନିର୍ବାଚନ ମଣ୍ଡଳୀର ୨୨ ନଂ ଜୋନରେ ଅପରାଜିତାଙ୍କୁ ଜୋରଦାର ବିରୋଧ କଲେ ବିଜେପି କର୍ମୀ । ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ଅପରାଜିତା ଷଡ଼ଙ୍ଗୀ ବିରୋଧ ଦଳୀୟ କର୍ମକର୍ତ୍ତାଙ୍କ ସ୍ବର ସେତିକି ସାଣିତ ହେବାରେ ଲାଗିଛି । ଦଳୀୟ କର୍ମୀମାନେ ନିଜ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବା ଆରମ୍ଭ କରିଥିବା ବେଳେ ଏହା ଶେଷ ହେବାର ନାଁ ଧରୁନି ।
କେଉଁଠି ସାଂସଦ ବିରୋଧରେ ମେଳି ହେଉଛି ତ ଆଉ କେଉଁଠି ଗାଁ ଗାଁରେ ସାଂସଦଙ୍କ ବିରୋଧରେ ଭୋଟ ଦେବା ପାଇଁ ଚାଲୁଛି ସଭା । ଏହି ପରିପ୍ରେକ୍ଷୀରେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀର ୨୨ ନମ୍ବର ଜୋନର ସିମୋର ପଞ୍ଚୁଦୋଳ ପଡ଼ିଆରେ ଅସନ୍ତୋଷ ବିଜେପି କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କୁ ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କର୍ମୀ । ତେବେ ଶତାଧିକ ବିଜେପି କର୍ମକର୍ତ୍ତା ଏହି ବୈଠକରେ ସାମିଲ ହୋଇ କିଭଳି ଗତ ପାଞ୍ଚବର୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଉପେକ୍ଷିତ ହୋଇଛନ୍ତି ଏବଂ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରି ନିଜସ୍ବ ସମାନ୍ତରାଳ ସଂଗଠନ କରୁଛନ୍ତି । ଯାହା ପ୍ରଭାବରେ ଦଳ ତୃଣମୂଳ ସ୍ତରରୁ ଦୁର୍ବଳ ହେଉଥିବା ଅଭିଯୋଗ କରିଛନ୍ତି କର୍ମୀ ।
ଏହି ବୈଠକରେ ମଧ୍ୟ ବିଜେପି ସଭାପତି, ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି, ସହ ବହୁ ବିଜେପି କର୍ମକତ୍ତାମାନେ ବୈଠକରେ ଯୋଗଦେଇ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ବିଶୋଦଗାର କରିଥିଲେ ।ପରେ ଅପରାଜିତାଙ୍କ ବିରୋଧରେ ନାରାବାଜି କରିବା ସହିତ ତାଙ୍କ ସାଂସଦ ଟିକେଟ କାଟିବାକୁ ଦାବି କରିଥିଲେ ।
ପୂର୍ବତନ ଉତ୍ତର ବେଗୁନିଆ ବିଜେପି ମଣ୍ଡଳ ସଭାପତିଙ୍କ ଆହ୍ବାନ କ୍ରମେ ବିଜେପି କର୍ମୀମାନେ ଏକତ୍ରୀତ ହୋଇ ଅପରାଜିତା ଷଡଙ୍ଗୀଙ୍କୁ ଖୋଲାଖୋଲି ଚେତାବନୀ ଦେଇଥିଲେ । ଅପରାଜିତା ନିଜେ କରୁଥିବା କାର୍ଯ୍ୟକ୍ରମ ନିବୃତ ନ ହେଲେ ନିଜ ଦଳର କର୍ମକତ୍ତା ତାଙ୍କୁ ଭୋଟ ଦେବେ ନାହିଁ ଏବଂ ସବୁ ଭୋଟ ନୋଟାରେ ଦେବେ ବୋଲି କହିଥିଲେ । ଏନେଇ ରାଜ୍ୟ ସହ କେନ୍ଦ୍ରୀୟ ସଭାପତିଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଲାଭ ମିଳିନଥିବା କହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ଅପରାଜିତା ଷଡଙ୍ଗୀଙ୍କୁ ସହଯୋଗ କରାଯିବ ନାହିଁ ଏବଂ ଭୋଟ ନୋଟାରେ ଦେବେ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ବେଗୁନିଆ ମଣ୍ଡଳ ସଭାପତି ଅଜୟ କୁମାର ମାର୍ଥା ।
ଇଟିଭି ଭାରତ, ଖୋର୍ଦ୍ଧା