ଯାଜପୁର: ଆଜି ଅମୃତ ଭାରତ ଯୋଜନା ଅଧିନରେ ଓଡ଼ିଶାରେ ୨୧ଟି ଷ୍ଟେସନର ନବୀକରଣ ଓ ୫୦ରୁ ଅଧିକ ଓଭର ବ୍ରିଜର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଯାଜପୁର ମଧ୍ୟ ସାମିଲ ରହିଥିବା ବେଳେ ଆଜି ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଓଭରବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ଭର୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l
ଯାଜପୁର ରୋଡ ରେଳ ଷ୍ଟେସନର ସତ୍ୟସାଇ ମନ୍ଦିର ନିକଟରେ ଓଭରବ୍ରିଜ ଓ ଗୋପବନ୍ଧୁ ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ଅନେକ ଦିନ ହେବ ବ୍ୟାସନଗର ବାସୀ ଦାବି କରୁଥିଲେ । ଏପରିକି ରେଳ ବିଭାଗ ନିକଟରେ ଅନେକ ସମୟରେ ଅନେକ ଗଣ ସଂଗଠନ ପକ୍ଷରୁ ଦାବି ଦିଆଯାଇଥିଲା l ଏହି ଦାବିକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ରେଳ ବିଭାଗ ପକ୍ଷରୁ ଓଭର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି ହେଇଥିଲା l ଆଜି ଯାଜପୁର ରୋଡ ରେଳ ଷ୍ଟେସନ ମାଲଗୋଦାମ ନିକଟରେ ଏହି ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଭର୍ଚୁଆଲ୍ ମାଧ୍ୟମରେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏଥିସହ ରେଳ ବିଭାଗ ପକ୍ଷରୁ ଓଭରବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି କରିବା ସହ ୧ ଶହ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ତେବେ ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଓ କୋରେଇ ବିଧାୟକ ଅଶୋକ କୁମାର ବଳ ଅତିଥିଭାବେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ବୃଦ୍ଧିଜିବି ମାନେ ମଧ୍ୟ ଯୋଗଦେଇଥିଲେ l ଏଥିସହ ଏନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଶର୍ମିଷ୍ଠା ସେଠି ଓ କୋରେଇ ବିଧାୟକ ଅଶୋକ କୁମାରଙ୍କ ସମେତ ସ୍ଥାନୀୟବାସୀ ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ 21 ଷ୍ଟେସନର ନବୀକରଣ, 50ରୁ ଅଧିକ ରେଲୱେ ଓଭରବ୍ରିଜ୍ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
କହିରଖୁଛୁ କି, ଆଜି ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଦେଶର ୫୫୪ଟି ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ସମେତ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶାରେ ୯୦୦ କୋଟି ବ୍ୟୟ ଅଟକଳରେ ଆହୁରି ୨୧ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶାର ୨୧ ଟି ଷ୍ଟେସନ ଏବଂ ୫୨ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡର ପାସର ବିକାଶପାଇଁ ୨୩୨୦ କୋଟି ଟଙ୍କା ଖର୍ଚ୍ଚହେବ।
ଇଟିଭି ଭାରତ, ଯାଜପୁର