ଭୁବନେଶ୍ବର: ଥାନାରେ ପହଞ୍ଚିଲା ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । କଣ୍ଠଶିଳ୍ପୀ ବିଭୁକିଶୋର, ତାଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ରାକ୍ଷୀ ଦାସ, ବିଭୁକିଶୋରଙ୍କ ମାଆ ଓ ଜଣାଶୁଣା କଣ୍ଠଶିଳ୍ପୀ ପମି ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିଭୁକିଶୋରଙ୍କ ବଡ଼ଭାଇ ପୀୟୁଷ ଦାସଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପୀୟୁଷଙ୍କ ବିରୋଧରେ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।
ବିଭୁକିଶୋରଙ୍କ ବଡ଼ ଭାଇ ପୀୟୁଷ ଦାସ ବିଭିନ୍ନ ସମୟରେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସଙ୍କୁ ଆକ୍ରମଣ ସହ ଅନେକ ସମୟରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅସଦାଚାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି ରାକ୍ଷୀ । ଏହା ସହିତ ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୀୟୁଷ । ଏହାକୁ ନେଇ ସୋମବାର ଉଭୟ ରାକ୍ଷୀ ଦାସ ଓ ପମି ମିଶ୍ରଙ୍କ ସମେତ ବିଭୁକିଶୋରଙ୍କ ମାଆ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ପମି ମିଶ୍ରଙ୍କ କହିବା ମୁତବକ, ଗତକାଲି ସେ ସିସିଟିଭି ଲଗାଉଥିବା ସମୟରେ ପୀୟୁଷ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ଜମି ଓ ଘର ବିବାଦକୁ ନେଇ ପୀୟୁଷ ବାରମ୍ବାର ଏଭଳି କରୁଥିବା କହିଛନ୍ତି ବିଭୁକିଶୋରଙ୍କ ପତ୍ନୀ ଅଭିନେତ୍ରୀ ରାକ୍ଷୀ ଦାସ ।
ଏହା ମଧ୍ୟ ପଢ଼ନ୍ତୁ...ପୋଲିସ ଭୂମିକା ଅଭିନୟ କରୁଥିଲେ, ପୋଲିସକୁ ଗାଳି କରି ଗିରଫ ହେଲେ ଅଭିନେତା
ସେପଟେ ନିଜ ମାଆ କମଳ କୁମାରୀ ଦାସଙ୍କୁ ମଧ୍ୟ ଛାଡି ନାହାନ୍ତି ବିଭୁକିଶୋରଙ୍କ ଭାଇ ପୀୟୁଷ । ନିଜ ମାଆଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ସେ । ମାଆଙ୍କ ଉପରେ ଆକ୍ରମଣ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ବଡ଼ ଝିଅଙ୍କ ପ୍ରରୋଚନାରେ ଘର ହଡ଼ପ କରିବା ପାଇଁ ପୀୟୁଷ ଦାସ ଏଭଳି କାମ କରୁଥିବା କହିଛନ୍ତି ତାଙ୍କ ମାଆ । ତେଣୁ ପୁଅକୁ ଦଣ୍ଡ ମିଳିବା ସହ ଜମିବାଡ଼ି ବଣ୍ଟା ହୋଇଗଲେ ସେ ଖୁସି ହେବେ ବୋଲି କୋହଭରା କଣ୍ଠରେ କହିଛନ୍ତି । କାରଣ ଏହି ଜମିବାଡ଼ି ସମସ୍ୟାକୁ ନେଇ ଗତ ୩୦ ବର୍ଷ ହେବ ବଡ଼ ପୁଅ ସମସ୍ତଙ୍କୁ ହଇରାଣ କରିଆସୁଛି ବୋଲି ସେ କହିଛନ୍ତି । ସେପଟେ ସମ୍ମାନକୁ ଡରି ଥାନାର ଦ୍ବାରସ୍ଥ ହୋଇନଥିବା ବେଳେ ସୋମବାର ତାଙ୍କ ଘରେ ରହୁଥିବା କଣ୍ଠଶିଳ୍ପୀ ପମିଙ୍କୁ ଅସଦାଚାରଣ ପରେ ପୁରା ପରିବାର ସର୍ବସମ୍ମୁଖରେ ମୁହଁ ଖୋଲିଛନ୍ତି ବୋଲି କହି ନ୍ୟାୟ ଭିକ୍ଷା କରିଛନ୍ତି ରାକ୍ଷୀ ଦାସ ।
ଇଟିଭି ଭାରତ, ଭୁବନେଶ୍ବର