କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସରକାରୀ ଅମିନ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟରୁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଉମାକାନ୍ତ ବେହେରା । ତେବେ ଏକ ଆର.ପି କେସ୍ ରିପୋର୍ଟ ଦାଖଲ କରିବା ପାଇଁ ଉମାକାନ୍ତ ଲାଞ୍ଚ ନେଉଥିବା ସୂଚନା ମିଳିଛି । ଆରପି କେଶ ନମ୍ବର ୧୧୮୦/୨୦୧୬ର ରିପୋର୍ଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଉମାକାନ୍ତଙ୍କୁ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଛି ।
ସୂଚନାନୁଯାୟୀ,କେନ୍ଦ୍ରାପଡା ମହାକାଳପଡା ତହସିଲ କାର୍ଯ୍ୟାଳୟର ଲାଞ୍ଚୁଆ ସରକାରୀ ଅମିନ ଉମାକାନ୍ତ ବେହେରା ରହୁଥିବା ଶିଖର ଗ୍ରାମର ଭଡାଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ ଚାଲିଛି । ତେବେ ଏହି ଲାଞ୍ଚ ନେବା ସମ୍ପର୍କରେ ଆରପି କେଶ ନମ୍ବର ସହ ଅଡିଓ ନେଇ ମହାକାଳପଡା ପଞ୍ଚାୟତ କେୟାରବାଙ୍କ ଗ୍ରାମର ସୁଶାନ୍ତ ବିଶ୍ବାଳ କଟକ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ପୂର୍ବାହ୍ନରେ ଏକ ଟିମ ଅଫିସ ମଧ୍ୟରେ ଛକି ରହିଥିଲା । ଉମାକାନ୍ତ ଅଭିଯୋଗକାରୀ ସୁଶାନ୍ତଙ୍କ ନିକଟରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ପରେ ଉଭୟ ଅଭିଯୋଗକାରୀ ଏବଂ ଲାଞ୍ଚୁଆ ଅମିନକୁ ସେଠାରୁ କେନ୍ଦ୍ରାପଡା ଭିଜିଲାନ୍ସ ଅଫିସକୁ ନିଆଯାଇଛି । ଅନ୍ୟପଟେ ସରକାରୀ ଅମିନଙ୍କ ଭଡାଘର ସମେତ ପୈତୃକ ଘରେ ଚଢାଉ ଜାରି ରହିଥିବାରୁ କୌଣସି ସୂଚନା ଦେବାପାଇଁ ଭିଜିଲାନ୍ସ ଟିମର ମୁଖ୍ୟ ମନା କରି ଦେଇଛନ୍ତି ।
ତେବେ କିଛିଦିନ ପୂର୍ବରୁ ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତିଙ୍କୁ ମାଡି ବସିଥିଲା ଭିଜିଲାନ୍ସ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଡ଼ିଏସପିଙ୍କ କାର୍ଯ୍ୟାଳୟକୁ ଆଣାଯାଇ ପଚରାଉଚରା କରାଯାଉଛି । ଜିତେନ୍ଦ୍ର ସଦର ଥାନା ଅନ୍ତର୍ଗତ ଠାକୁର ପାଟଣା ଗାଁରେ ରହୁଥିବା ଭଡା ଘରେ ଓ ପୈତୃକ ଘର ତାଳସଙ୍ଗାରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରଖିଥିଲା । ତେବେ କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କ ଏକ ଜମିଜମା ସମ୍ପର୍କିତ ମାମଲା କୋର୍ଟରେ ଚାଲିଥିଲା । ଯାହାକୁ ରଫାଦଫା କରିବା ପାଇଁ ସେ ଲାଞ୍ଚ ନେଇଥିବା ଜଣାପଡ଼ିଛି । ଏନେଇ ଗାୟତ୍ରୀ କଟକ ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା