ଭୁବନେଶ୍ୱର: ବଢ଼ିଲା କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟ ସୀମା । ୨୦୨୪ ଜାନୁଆରୀ ୩୧ ତାରିଖରୁ ୨୦୨୪ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ସୀମା ବୃଦ୍ଧି ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ Common Scholarship Portalରେ ଅନଲାଇନରେ ଆବେଦନ କରିବା ଲାଗି ବ୍ୟବସ୍ଥା ହୋଇଛି ।
ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଛାତ୍ରବୃତ୍ତି ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଏହାକୁ ଆସନ୍ତା ଫେବୃଆରୀ ୮ ତାରିଖକୁ ବୃଦ୍ଧି କରାଯାଇଛି । ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶିକା ଅନୁଯାୟୀ ଜାନୁଆରୀ ୯ ତାରିଖରୁ ଏହି ପୋର୍ଟାଲ ଖୋଲା ଯାଇଥିଲା । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରଖିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର କାଳିଆ ଛାତ୍ରବୃତ୍ତି ପାଇଁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟ ସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଛାତ୍ରବୃତ୍ତି ଆବେଦନ ସମୟ ସୀମା ବୃଦ୍ଧି କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପରାମର୍ଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: କାଳିଆ ଛାତ୍ରବୃତ୍ତି ସମ୍ପ୍ରସାରଣ; ସଂଶୋଧିତ ମାର୍ଗଦର୍ଶିକା ଜାରି କଲା କୃଷି ବିଭାଗ
ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ । ଛାତ୍ରବୃତ୍ତି ପାଇଁ ଅନଲାଇନ ଆବେଦନ ସମୟ ସୀମା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । କାଳିଆ ଛାତ୍ରବୃତ୍ତିକୁ ଉପଯୋଗୀ ଏବଂ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀ କମନ ସ୍କଲାରର୍ସିପ ପୋର୍ଟାଲରେ (http://scholarship.odisha.gov.in) ଅନଲାଇନରେ ଆବେଦନ କରିପାରିବେ ।
ପ୍ରକାଶ ଥାଉକି, ଏହି ଯୋଜନାରେ ୨୦୨୧-୨୨ ଏବଂ ୨୦୨୨-୨୩ ମସିହାରେ ରାଜ୍ୟରେ ୧୮୩୯ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୩.୮୮ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ରାଜ୍ୟରେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ମସିହାରୁ କାର୍ଯ୍ୟକାରୀ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷା ଲାଭ କରୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର