ଖୋର୍ଦ୍ଧା: ସରକାର କି ମାଲ୍, ଦରିଆ ମେ ଡ଼ାଲ୍ । ସରକାର ବିଭିନ୍ନ ସହରାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସଠିକ ରକ୍ଷାଣବେକ୍ଷଣର ଅଭାବ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ପୌରାଞ୍ଚଳରୁ । ଖୋର୍ଦ୍ଧା ପୌରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା ମଧ୍ୟରେ ଲାଗିଥିବା ଗଛଗୁଡ଼ିକ ମାଟି କାମୁଡ଼ିଛି । କେହି ଜଣେ ଦୁବୃର୍ତ୍ତ ଗଛଗୁଡିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିିଳିଛି । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।
ଖୋର୍ଦ୍ଧା ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ନୂଆ ବସଷ୍ଟାଣ୍ଡରୁ ବାଟ ମଙ୍ଗଳା ଛକ ଏବଂ ଚଣ୍ଡୀଚୁଆଠାରୁ ନୂଆ ବସଷ୍ଟାଣ୍ଡ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ମଝିରେ ଦାମି ଗଛଗୁଡିକୁ ପୌର ପରିଷଦ ଲାଗାଇଥିଲା । କିନ୍ତୁ ଏହି ଗଛଗୁଡିକ ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଦେଥିବାକୁ ମିଳିଛି । ହେଳେ ବିଡମ୍ବନାର ବିଷୟ ନୂଆ ବସଷ୍ଟାଣ୍ଡରୁ ବାଟ ମଙ୍ଗଳା ରାସ୍ତାରେ ଲାଗିଥିବା ପ୍ରାୟ ଚାଳିଶିରୁ ଊର୍ଦ୍ଧ୍ୱ ଗଛକୁ କେହି ଦୁବୃର୍ତ୍ତ କାଟି ଦେଇଥିବା ଦେଖିବାକୁ ମିଳିଛି । ତେବେ ଖୋର୍ଦ୍ଧା ପୌର ପରିଷଦ ପାଖରେ ଖବର ନଥିବା ଜଣାପଡ଼ିଛି ।
ଅନ୍ୟପଟେ ସହରବାସୀ ଅଭିଯୋଗ କରିଛନ୍ତି କେହି ଜଣେ ଦୁବୃର୍ତ୍ତ ଏହି ଗଛଗୁଡିକୁ ଉଦ୍ଦେଶ୍ୟମୂଳକ ଭାବେ କାଟିଛି । ଯାହାକୁ ନେଇ ପ୍ରଶାସନର ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ଲାଗିଥିବା ଗଛ ଏବେ ନଷ୍ଟ ହୋଇଛି ।
ସେପଟେ ପୌର ଅଧିକାରୀ ପ୍ରଥମେ ଏହାକୁ ଗୋରୁ ଖାଇଦେଇ ଭାଙ୍ଗିଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଗଛ କାଟିବା ଦୃଶ୍ୟ ଦେଖି ଥାନାରେ ମାମଲା ହେବ ବୋଲି ସଫେଇ ଦେଇଛନ୍ତି । ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛି । କେଉଁଠାରେ ରାସ୍ତା ସମ୍ପ୍ରସାରଣ କରାଯାଉଛି ତ ଆଉ କେଉଁଠି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ଯାଉଛି । ଏହାସହ ରାସ୍ତା ମଧ୍ୟ ଭାଗରେ ଦାମି ଦାମି ବୃକ୍ଷରୋପଣ କରି ସହରର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରାଯାଉଛି । ଏଭଳି ସୌନ୍ଦର୍ଯ୍ୟକରଣ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଦାବିଷ୍ଣୁ ପାଲଟିଛି ପୌର ପ୍ରସାଶନ ।
ଇଟିଭି ଭାରତ, ଖୋର୍ଦ୍ଧା