ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ଅବପାତ ଶକ୍ତିଶାଳୀ ହେଉଛି, ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିବ । ପରେ ଏହାର ତୀବ୍ରତା ବୃଦ୍ଧି ହୋଇ ବା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ପରେ ଉତ୍ତର ଦିଗକୁ ଗତି କରିବା ସହ ୨୫ ତାରିଖ ରାତିରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଥିବାବେଳେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଏହା ୨୬ ତାରିଖ ମଧ୍ୟ ରାତିରେ ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ଵିପ ଓ ଖେପୁପରା ମଧ୍ୟରେ ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ ବା ଖେପୁପରା ମଝିରେ ସ୍ଥଳଭାଗ ଛୁଇଁବ । ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡିବ ନାହିଁ । ହେଲେ ବି ରହିବ ପ୍ରଭାବ ।ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ସ୍ଥିତିକୁ ନେଇ ଓଡ଼ିଶାର ସମସ୍ତ ୪ଟି ଯାକ ବନ୍ଦରଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ଥିବାରୁ ସମୁଦ୍ର ଅଶାନ୍ତ ରହିବ । ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ଝଟକା ପବନ ୬୦ କି.ମି ରହିବ । ୨୬ ତାରିଖ ସକାଳେ ବୃଦ୍ଧି ପାଇବା ପବନର ବେଗ । ୬୦ ରୁ ୭୦ ଓ ଝଟକା ପବନ ୮୦ କିମି ଘଣ୍ଟା ପ୍ରତି ରହିବ । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ୨୬ ତାରିଖରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୂରଭଞ୍ଜ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର