କୋରାପୁଟ: ଭାରତୀୟ ଚିକିତ୍ସା ପ୍ରଣାଳୀର ପ୍ରାଚୀନ ବିଧି ହେଉଛି ଆୟୁର୍ବେଦ । ବିଶେଷ ଭାବେ ଜଙ୍ଗଲ, ପାହାଡ଼ି କ୍ଷେତ୍ରରେ ମିଳୁଥିବା ଔଷଧୀୟ ବୃକ୍ଷରାଜିର ଚେରମୁଳିରୁ ଏହି ଆୟୁର୍ବେଦକୁ ପ୍ରସ୍ତୁତ କରାଯାଏ । ତେବେ ଓଡିଶାର ଉଚ୍ଚତମ ପର୍ବତ ‘ଦେଓମାଳି’ ପାର୍ବତ୍ୟାଞ୍ଚଳ ମଧ୍ୟ ଔଷଧୀୟ ସମ୍ପଦରେ ପରିପୂର୍ଣ୍ଣ । ଏଠାରୁ ମିଳୁଥିବା ଔଷଧୀୟ ବୃକ୍ଷରାଜି ଓ ଉପାଦନକୁ ପରପିଢି ପାଇଁ ସଂରକ୍ଷିତ କରିବା ଲକ୍ଷ୍ୟରେ ଅଣ୍ଟା ଭିଡିଛନ୍ତି ଜଣେ ଆଦିବାସୀ ଗବେଷକ ।
ଏହି ଆୟୁର୍ବେଦ ଗବେଷକ ହେଉଛନ୍ତି କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ହରି ପାଙ୍ଗି । ହରି କେବଳ ଏହି ପ୍ରୟାସ କରିନାହାନ୍ତି, ବରଂ ଏହି କ୍ଷେତ୍ରରେ କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି । ସେ ନିଜ ପ୍ରଚେଷ୍ଟା ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ମଧ୍ୟ ସେ ପ୍ରତିଷ୍ଠା କରିପାରିଛନ୍ତି । ହରି ଏବେ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷିତ କରିସାରିଲେଣି । କେବଳ ବିହନ ସଂରକ୍ଷଣ ନୁହେଁ, କୋରାପୁଟ ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ଗବେଷଣା ମଧ୍ୟ ଜାରି ରଖିଛନ୍ତି ।
- ଆମେରିକାରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ:-
ଗତ କିଛି ମାସ ପୂର୍ବେ ସେ ଆମେରିକାର ‘ଓରେଗାଓଁ ବିଶ୍ବବିଦ୍ୟାଳୟରେ’ ଅନୁଷ୍ଠିତ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ପାରମ୍ପରିକ ବୈଦ୍ୟ ଭାବେ ତାଙ୍କ ଉପସ୍ଥାପନାରେ କୋରାପୁଟର ଦେଓମାଳୀ ଓ ତତସଂଲଗ୍ନ ଅନେକ ପର୍ବତାଞ୍ଚଳରେ ଭରି ରହିଥିବା ଔଷଧୀୟ ସମ୍ପଦର ବର୍ଣ୍ଣନା କରି ସେ ସମ୍ମାନ ଅର୍ଜନ କରିଥିଲେ । ହରି ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଔଷଧୀୟ ବୃକ୍ଷର ସନ୍ଧାନ କରି ସେଗୁଡିକର ବିହନ ସଂରକ୍ଷଣ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି ।
- ସେମିଳିିଗୁଡ଼ାରେ ଗବେଷଣା କେନ୍ଦ୍ର
ହରି ପାଙ୍ଗି ଏକାକୀ ହଜାରରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କରିବାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମିଲିଗୁଡା ବ୍ଲକର ଡଲିଆମ୍ବରେ ପ୍ରତିଷ୍ଠା ହୋଇଥିବା ତାଙ୍କ ଗବେଷଣା କେନ୍ଦ୍ରରେ ମୋଟ 360 ପ୍ରକାରର ପାରମ୍ପରିକ ବିହନକୁ ସଂରକ୍ଷଣ କରିଛନ୍ତି । କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତମାଳା ଓ ଜଙ୍ଗଲ ମଧ୍ୟରେ ଏବଂ ବିଶେଷ କରି ଜୈବ-ବିବିଧତା ସମ୍ପନ୍ନ ଦେଓମାଳି ପର୍ବତମାଳାରୁ ଏହି ଔଷଧୀୟ ବୃକ୍ଷର ବିହନକୁ ସଂଗ୍ରହ କରାଯାଇଛି । ଏହା ମଧ୍ୟରେ ରହିଛି ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ଗୁଳ୍ମର ବିହନ ।
- ଅନ୍ତର୍ଜାତୀୟ ମଞ୍ଚରେ ଔଷଧୀୟ ସମ୍ପଦ କଥା ଉତ୍ଥାପନ କରି ସମ୍ମାନିତ ହୋଇଛନ୍ତି
ସେହିପରି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଦେଖାଯାଇଥିବା ଯୋଗୁଁ ହରି ପାଙ୍ଗି ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା ମଧ୍ୟ କରୁଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ କିପରି ସୁରକ୍ଷା ପ୍ରଦାନ କରିଥାଏ, ସେ ସମ୍ପର୍କରେ ହରି ପାଙ୍ଗି ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ପରିବେଶବିତ ଏବଂ ବିଶେଷଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରି ବେଶ ପ୍ରଶଂସିତ ହୋଇଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଯୁବପିଢିକୁ ଅବଗତ କରାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିନ୍ତି । ଏଥିପାଇଁ ବିଦ୍ୟାଳୟ ସ୍ତରରୁ ପାଠ୍ୟକ୍ରମରେ ଏହି ସମସ୍ତ ବିଷୟକୁ ସ୍ଥାନ ଦିଆଯିବା ଓ ନିଜ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ, ଜୈବ ବିବିଧତା ଓ ବୃକ୍ଷଲତାର ଔଷଧୀୟ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ସେ ଗୁରୁତ୍ୱ ଦେଇ ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-'ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ', ଗବେଷଣାରୁ ଜଣାପଡ଼ିଲା ଗୁଣାତ୍ମକ ମାନ ଏହା ମଧ୍ୟ ପଢନ୍ତୁ:- କଳିଙ୍ଗ ହର୍ବାଲ ମେଳା ୨୦୨୩: ଲକ୍ଷ୍ୟ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର |
- ଜିଲ୍ଲା ପ୍ରଶାସନର ସହଯୋଗରେ ଖୋଲିଛନ୍ତି ଗବେଷଣା କେନ୍ଦ୍ର
କୋରାପୁଟ ଅଞ୍ଚଳର ଏହି ଅମୂଲ୍ୟ ବୈଭବକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଡଲିଆମ୍ବଠାରେ ‘ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର’ର ପ୍ରତିଷ୍ଠା କରାଯାଇଛି । ଏଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ହରିଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଜନସାଧାରଣଙ୍କ ମଧ୍ୟରେ ଆଞ୍ଚଳିକ ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ବଢିଛି । ଏହି ପ୍ରୟାସ ଫଳରେ ଜିଲ୍ଲାର ବଣ,ଜଙ୍ଗଲରେ ଉପଲବ୍ଧ ଥିବା ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି ପରିବେଶବିତ ମତ ରଖିଛନ୍ତି । ପର୍ବତ ଓ ଜଙ୍ଗଲ ମଧ୍ୟରେ ଲୁଚି ହଜି ଯାଉଥିବା ଔଷଧୀୟ ସମ୍ପଦର ପୁନରୁଦ୍ଧାର କରିପାରିବାରେ ହରିଙ୍କ ବିହନ ସଂରକ୍ଷଣ ଅଭିଯାନ ବେଶ ସହାୟକ ହୋଇପାରିବେ ବୋଲି ପରିବେଶବିତ ଶରତ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ