ଜଗତସିଂହପୁର: ୬ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ସହ ଜେଲ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଜିଲ୍ଲା ପୋକ୍ସ କୋର୍ଟ ଏହି ମାମଲାର ଶୁଣାଣି କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା କୃଷ୍ନା ନନ୍ଦପୁର ଥାନା ଅଞ୍ଚଳର ବିନୋଦ ମଲ୍ଲିକଙ୍କ ପୁଅ ସୁବୋଧ ମଲ୍ଲିକ । ସେ ଗତ 2018 ମସିହାରେ ଜୈନିକ ନାବାଳିକା ଘରେ ଶୋଇଥିବା ସମୟରେ କବାଟ ଭାଙ୍ଗି ପଶି ନାବାଳିକାକୁ ଅପହରଣ କରି ନେଇଥିଲା । ସୁବୋଧ ନାବାଳିକାକୁ ଅପହରଣ କରି ନେଇଯିବା ପରେ ନାବାଳିକାର ବାପା ସକାଳୁ ଝିଅକୁ ନ ପାଇ ତିର୍ତ୍ତୋଲ ଥାନା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତିର୍ତ୍ତୋଲ ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ -2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 69 ବର୍ଷୀୟ ବୃଦ୍ଧଙ୍କୁ 20 ବର୍ଷ ଜେଲ୍
ଏହା ମଧ୍ୟ ପଢନ୍ତୁ - ସ୍କୁଲରେ ନାବାଳକ ସହ ଅପ୍ରାକୃତିକ ଦୁଷ୍କର୍ମ; ଦୋଷୀକୁ ୨୦ ବର୍ଷ ଜେଲ୍
ତେବେ ଅଭିଯୁକ୍ତ ସୁବୋଧ ନାବାଳିକାକୁ ଅପହରଣ କରି ପ୍ରଥମେ ସାଲେପୁର ସ୍ଥିତ ତା'ର ମାଉସୀ ଘରକୁ ନେଇଥିଲା । ସେଠାରୁ ବସ ଯୋଗେ ନାବାଳିକାକୁ କୋଲକାତା ନେଇ ପଳାଇଥିଲା । ସେଠାରେ ଏକ ଭଡାଘରେ ରହି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ତିର୍ତ୍ତୋଲ ଥାନାର ଏକ ଟିମ ଅଭିଯୁକ୍ତର ମୋବାଇଲକୁ ଟ୍ରାପ କରି କୋଲକାତାରେ ପହଞ୍ଚିଥିଲେ । ସେଠାରେ ପୋଲିସ ଏକ ଭଡାଘରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସୁବୋଧକୁ ଗିରଫ କରିଥିଲା ।
ଏହି ମାମଲାରେ 15 ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଜଗତସିଂହପୁର ପୋକ୍ସ କୋର୍ଟ ଅଭିଯୁକ୍ତ ସୁବୋଧ ମଲ୍ଲିକକୁ 10 ବର୍ଷର କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ 15 ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟରେ ଆହୁରି 3 ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡିତା ନାବାଳିକାର ପରିବାରକୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ବିଚାରପତି ଜିଲ୍ଲା ଆଇନି ସେବା ପ୍ରାଧିକାରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର