ମାଲକାନଗିରି: ବଦଳୁଛି ମାଲକାନଗିରିର ବଣ୍ଡା ଘାଟିର ଚିତ୍ର । ସ୍ଥାୟୀ ଭାବେ କୌଣସି ଡାକ୍ତର ଏଠାରେ ରହିବାକୁ ଇଚ୍ଛା କରନ୍ତି ନାହିଁ । ହେଲେ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ସେଠାକାର ସ୍ବାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ପଣ କରି ନିରନ୍ତର ସେବା ଯୋଗାଇ ଆସୁଛନ୍ତି ଡାକ୍ତର ଚମ୍ପେଶ୍ବର ପାଣିଗ୍ରାହୀ । ଶୋଚନୀୟ ଅବସ୍ଥାରେ ଥିବା ବଣ୍ଡାଘାଟିର ସ୍ବାସ୍ଥ୍ୟ କେନ୍ଦ୍ରକୁ ଚକାଚକ୍ ଓ ସୁବ୍ୟବସ୍ଥା କରିଛନ୍ତି ଡାକ୍ତର ଚମ୍ପେଶ୍ବର ପାଣିଗ୍ରାହୀ । ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ପତ୍ନୀ ପ୍ରିୟଙ୍କା ମିଶ୍ର । ଆଦିମ ଜନଜାତିଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ନହେବାକୁ ପରାମର୍ଶ ଦେଉଛନ୍ତି ପ୍ରିୟଙ୍କା ।
ବଣ୍ଡାଘାଟିରେ ସ୍ବାସ୍ଥ୍ୟସେବାରେ ଆସୁଛି ସୁଧାର: ଡାକ୍ତର ଚମ୍ପେଶ୍ବରଙ୍କ ଉଦ୍ୟମକ୍ରମେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଥିବା ମୁଦୁଲିପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥାରେ ସୁଧାର ଆସିଛି । ଗତ ଦୁଇ ବର୍ଷ ତଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଭଙ୍ଗା ଦଦରା ହୋଇପଡ଼ିଥିବାବେଳେ ବର୍ତ୍ତମାନ ଏଠାରେ ରୋଗୀମାନେ ସେବା ପାଇବା ସହ ଉପକୃତ ହେଉଛନ୍ତି । ବଣ୍ଡା ଜନଜାତି ଲୋକେ ଚିକିତ୍ସାଳୟ ନଆସି ଗୁଣିଆ ଓ ଦିଶାରୀଙ୍କ ପାଖକୁ ଯିବା ସହ ଗୁରୁତର ହୋଇ ମାଲକାନଗିରି ଓ ଖଇରପୁଟ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏନେଇ ଡାକ୍ତର ଚମ୍ପେଶ୍ବର କହିଛନ୍ତି, ପୋଷ୍ଟିଂ ପରେ ପ୍ରଥମେ କେମିତି ଏଠାରେ କାମ କରିବି ଭାବୁଥିଲି । ପରେ ମନୋବଳ ଦୃଢ କରି ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇ ମେଡିକାଲ ପଠାଇଲୁ । ସମସ୍ତ ଷ୍ଟାଫକୁ ନିଜ ନିଜ ଦାୟିତ୍ବ କିଭଳି ତୁଲାଇବେ ସେନେଇ ପରାମର୍ଶ ଦିଆଗଲା । ବର୍ତ୍ତମାନ ପ୍ରତ୍ୟେକ ଦିନ ହାରାହାରି ୩୫ରୁ ୪୦ ରୋଗୀ ଆସି ଚିକିତ୍ସା ସେବା ପାଉଛନ୍ତି ।"
ଡାକ୍ତରଙ୍କ ଉଦ୍ୟମଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ପ୍ରଶଂସା: ସେପଟେ ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଚିକିତ୍ସା ସେବା ପାଇଁ ବେଶ ଖୁସି ଥିବା କହିଛନ୍ତି ବଣ୍ଡା ଜନଜାତି । ରାତି ଦିନ ୨୪x୭ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଚମ୍ପେଶ୍ବର । ଗର୍ଭବତୀଙ୍କ ପ୍ରସବରୁ ଆରମ୍ଭ କରି ଅନ୍ୟ ଛୋଟ ବଡ଼ ରୋଗ ପାଇଁ ସେମାନଙ୍କୁ ଆଉ ଯିବାକୁ ପଡୁନାହିଁ ମାଲକାନଗିରି । ଅନ୍ୟପଟେ ଉପାନ୍ତ ଇଲାକାରେ ସ୍ଥାୟୀ ଭାବେ ରହି ଖାଲି ସମୟରେ ଗାଁ ଗାଁ ବୁଲି ମହିଳାମାନଙ୍କ ସହ ଆଲୋଚନା କରି ସେମାନେ କିପରି ଚିକିତ୍ସାଳୟକୁ ଯିବେ ସେନେଇ ସଚେତନ କରାଉଛନ୍ତି ଅନୁଜା । ଏଥିରୁ ସେ ବେଶ ଖୁସିରେ ମଧ୍ୟ ଅଛନ୍ତି । ଚମ୍ପେଶ୍ବରଙ୍କରଏହି ସେବା ବଣ୍ଡା ଚମ୍ପେଶ୍ବରଙ୍କର ଏହି ସେବା ଆଗାମୀ ଦିନରେ ଅନେକ ଡାକ୍ତରଙ୍କୁ ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ମାଲକାନଗିରି