ଭୁବନେଶ୍ବର: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇସାରିଛି । ଆସନ୍ତା 2 ତାରିଖ ପୂର୍ବରୁ କ୍ଷୟକ୍ଷତି ରିପୋର୍ଟ ମିଳିବ । ସେହିପରି କେନ୍ଦ୍ରୀୟ ଟିମ୍ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ ଆସିବା ପୂର୍ବରୁ କେନ୍ଦ୍ରରେ ପହଁଚିବ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ଏହା କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
- ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ‘ଏସଆରସି’
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରୁ ପାଣି ଅପସାରଣ ହୋଇପାରିନାହିଁ । ବର୍ତ୍ତମାନ ମଧ୍ୟ ଅନେକ ପରିବାର ପାଣିଘେରରେ ରହିଛନ୍ତି । ମାଟି ଘର ନଷ୍ଟ ହୋଇଥିଲେ, ସେମାନଙ୍କୁ ପାଲ ଦେବାକୁ ଘୋଷଣା ହୋଇଛି । ସମସ୍ତଙ୍କୁ ପାଲ ଯୋଗାଇ ଦିଆଯାଇଛି ନା ନାହିଁ, ସେନେଇ ଜିଲ୍ଲାପାଳ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିବାକୁ ‘ଏସଆରସି’ଙ୍କୁ ପରାମର୍ଶ ଦେଇଛି । ହିତାଧିକାରୀଙ୍କୁ ପାଲ ପ୍ରଦାନ କରିବା ସହ ଫଟୋ ଉଠାଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ଅଧିକାରୀ । କିଛି ଲୋକଙ୍କ ଚୁଲି ଓଦା ରହିଥିବାରୁ 7 ଦିନ ପର୍ଯ୍ୟନ୍ତ ରୋଷେଇ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି । ରୋଷେଇ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ରାସନ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛୁ ।"
- ଘର ଭଙ୍ଗା ସହ ଫସଲ ନଷ୍ଟ ଆକଳନ ଜାରି :-
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," କ୍ଷୟକ୍ଷତି ଆକଳନ ଚାଲିଛି । ଆଂଶିକ ଭାବେ ଘର ଭଙ୍ଗା ଓ ସମ୍ପୂର୍ଣ୍ଣ ଘର ଭଙ୍ଗା ରିପୋର୍ଟ ମଗାଯାଇଛି । ଘର ଭଙ୍ଗା ସହ ଫସଲ ନଷ୍ଟ ଆକଳନ ହେଉଛି । ପାଣି ଜମିଲେ ମଧ୍ୟ ଫସଲ ନଷ୍ଟ ହୁଏ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯାଇଥିବା ବିହନ ବ୍ୟବହାର କରିଥିଲେ 10 ଦିନ ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ ଗଛ ନଷ୍ଟ ହେବନାହିଁ । ନିଖୁଣ ଭାବେ ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି ।"
- ଖୁବଶୀଘ୍ର କେନ୍ଦ୍ରୀୟ ଟିମ ଆସିବାର ସମୟ ନିର୍ଦ୍ଧାରିତ ହେବ:-
ମନ୍ତ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି," କେନ୍ଦ୍ରୀୟ ଟିମ କେବେ ଆସିବେ ସେନେଇ ଆଜି ଓ ଆସନ୍ତାକାଲି ମଧ୍ୟରେ ନିଷ୍ପତ୍ତି ହେବ । ଟିମ ଆସିବା ପୂର୍ବରୁ ଆମର ପ୍ରାଥମିକ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିବ । କେନ୍ଦ୍ରୀୟ ଟିମ ଆସି ରାଜସ୍ୱ ଓ ଅନ୍ୟାନ୍ୟ ବିଭାଗ ସହ କଥା ହେବେ । ଏହା ପରେ ଆମେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ପଠେଇବୁ । ବାତ୍ୟା ଓ ବନ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି । ଶକ୍ତି, ଶିକ୍ଷା, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ହୋଇଛି । ବିଭିନ୍ନ ବିଭାଗର କ୍ଷୟକ୍ଷତି ମରାମତି ଲାଗି ଆମେ ଆଗୁଆ ଅର୍ଥ ଦେବୁ । "
ଇଟିଭି ଭାରତ, ଭୁବନେଶ୍ବର