ଭୁବନେଶ୍ବର: ନିର୍ବାଚନ ଅବସରରେ ପୋଲିସ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ପ୍ରତି ବିଶେଷ ସଜାଗ ରହିଛି । ଖାସ୍ କରି ରାଜଧାନୀ ଭୁବନେଶ୍ବରରେ କମିଶନରେଟ ପୋଲିସ ବେଶ ତତ୍ପରତା ପ୍ରକାଶ କରୁଛି । ପ୍ରଥମେ ସହରରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ପରେ ଏବେ କମିଶନରେଟ ଆରମ୍ଭ କରିଛି ଗାଡିରେ କଳା କାଚ ହଟାଇବା ପଦକ୍ଷେପ । ଗାଡିରେ କଳାକାଚ ବ୍ୟବହାରକାରୀଙ୍କ ପାଇଁ କଠୋର ହୋଇଛି ପୋଲିସ । ଏନେଇ ଜିରୋ ଟଲେରାନ୍ସ ପଲିସି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର ।
ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଏ ଅଭିଯାନ ଉଭୟ ଟ୍ରାଫିକ ପୋଲିସ ଓ ଆରଟିଓର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି । ଏହାକୁ ଭବିଷ୍ୟତରେ ଆଗକୁ ଆହୁରି କଡାକଡି ହେବ, ତେଣୁ ସେ ଅପିଲ କରି କହିଛନ୍ତି ଯେ, ଲୋକମାନେ ନିଜେ ନିଜ ଗାଡିରେ କଳାକାଚ ଥିଲେ ଏହାକୁ ସ୍ବତଃପ୍ରବୃତ ବାହାର କରି ଦିଅନ୍ତୁ । ନଚେତ ରାସ୍ତା ଘାଟରେ ଚେକିଂର ସମ୍ମୁଖୀନ ହେବେ । ଯାହା ଫଳରେ ଗାଡିରୁ କାଚ କଢା ହେବା ସହ ଫାଇନ ମଧ୍ୟ ଦେବାକୁ ପଡିବ ବୋଲି କହିଛନ୍ତି କମିଶନର ।
ଏହା ମଧ୍ୟ ପଢନ୍ତୁ... ସାବାଡ ହେବେ ରୋଡ଼ ରୋମିଓ, ମହିଳାଙ୍କ ସୁରକ୍ଷାକୁ ଦେବ 'HER' - High Efficiency Response Squad
ଭୁବନେଶ୍ୱର ଦୁଇଟି ଟ୍ରାଫିକ ଥାନା ସହ ଦୁଇଟି ଆଞ୍ଚଳିକ ପରିବହନ ଅଧିକାରୀଙ୍କର ଦୁଇଟି ଟିମ୍ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇ ଏନେଇ ଚେକିଂ ଓ ଏନଫୋର୍ସମେଣ୍ଟକୁ ଜୋରଦାର କରିଛନ୍ତି । ଏନେଇ ସୋମବାର ଚେକିଂ ବେଳେ ଟ୍ରାଫିକ ଥାନା-୧ ପକ୍ଷରୁ ୨୯ଟି ଗାଡି ଧରାପଡ଼ିଥିବା ବେଳେ ଟ୍ରାଫିକ ଥାନା-୨ ପକ୍ଷରୁ ୧୭ଟି ଗାଡି ଧରାପଡ଼ିଥିଲା । ପରେ ସେହି ସବୁ ଗାଡିରୁ କଳା ପରଦା ହଟାଇବା ସହ ସେସବୁ ଗାଡିକୁ ୫ ହଜାର ଲେଖାଏଁ ଫାଇନ କରାଯାଇଥିଲା । ଏନେଇ ସୋମବାର ୨ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ଆଜି (ମଙ୍ଗଳବାର) ମୋଟ ୨ ଲକ୍ଷ ୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଟ୍ରାଫିକ ଥାନା -୧ ପକ୍ଷରୁ ୨୧ ଟି ଗାଡି ଓ ଟ୍ରାଫିକ ଥାନା-୨ ପକ୍ଷରୁ ୧୮ ଟି ଗାଡି ଆଜି ଧରାପଡିଛି । ଏହା ସହ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରୁଛି ପୋଲିସ ।
ତେବେ ସୁପ୍ରିମକୋର୍ଟଙ୍କୁ ନିୟମାବଳୀ କ୍ରମେ କୋୖଣସି କାରର କାଚରେ କଳା ପରଦା ରହିବ ନାହିଁ । ଏନେଇ କାରର କାଚରେ ଦୃଶ୍ୟମାନ ନ ହେଲା ଭଳି କୋୖଣସି ପରଦା ବ୍ୟବହାର କରିପାରିବେ ନାହିଁ । ଏନେଇ ଏମଭିଆଇ ଆକ୍ଟରେ ନିୟମ ରହିଛି । ନିର୍ବାଚନ ସମୟରେ କୌଣସି ପ୍ରକାର ଅନୈତିକ ତଥା ଅସାମାଜିକ ଗତିବିଧି ଉପରେ ନଜର ରଖିବା ପାଇଁ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ ରହିଛି । ଏନେଇ ଆଦର୍ଶ ଆଚରଣ ବିଧି ଲାଗୁ ପରଠୁ ଏନେଇ ପୋଲିସର ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଉଛି । ରାତି ଅଧିକା ବ୍ଲକିଂ ଚେକିଂ ସହ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଧରପଗଡ ସହ କଳା କାଚ ବ୍ୟବହାରକୁ ମଧ୍ୟ ଜିରୋ ଟଲେରାନ୍ସ ପଲିସି ଭାବେ ନେଇଛି ଟ୍ରାଫିକ ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର