ଭୁବନେଶ୍ବର: "ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଜୁନ ୯ ତାରିଖ ଦିନ ସାଢ଼େ ୧୧ରୁ ସାଢେ 1ଟା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।" ତେବେ ନିର୍ବାଚନ ପୂର୍ବରୁ ଗତକାଲି (ସୋମବାର) ଭବାନୀପାଟଣାର ଏକ ନିର୍ବାଚନ ସଭାରୁ ଏଭଳି ଘୋଷଣା କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଏହି ବକ୍ତବ୍ୟ ପରେ ବିଜେଡି ପକ୍ଷରୁ ଜାରି ହୋଇଛି ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ପତ୍ର । ଯାହାକୁ ବିଜେଡି ନେତା ଓ କର୍ମୀ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରେ ଭାଇରାଲ କରୁଛନ୍ତି ।
ବିଜେଡି ସୋସିଆଲ ମିଡିଆ ଟିମ ପକ୍ଷରୁ ଜାରି ହୋଇଥିବା ନିମନ୍ତ୍ରଣ ପତ୍ର ଅନୁସାରେ, ଦେଶର ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ତଥା ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ । ଜୁନ ୯ ତାରିଖ ଦିନ ସାଢେ ୧୧ରୁ ଆରମ୍ଭ ହେବ । ଏହି ଐତିହାସିକ କ୍ଷଣରେ ସାମିଲ ହେବା ପାଇଁ ସୋସିଆଲ ମିଡ଼ିଆରେ ଦଳର ନେତା ଓ କର୍ମୀ ନିମନ୍ତ୍ରଣ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟ ପଡିବା ପୂର୍ବରୁ ଦଳ ପକ୍ଷରୁ ଏଭିଳି ନିମନ୍ତ୍ରଣ ପତ୍ର ଜାରି ହୋଇଥିବାରୁ ବିଜେଡି ଅଧିକ ଉତ୍ସାହିତ ହୋଇପଡିଥିବା ଚର୍ଚ୍ଚା ହେଉଛି ।
ପ୍ରକାଶ ଥାଉ କି, ଗତକାଲି ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, "ଜୁନ ୬ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯିବ । ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ଓଡିଶାର ନେତୃତ୍ୱ ନେବ । ଏଥିପାଇଁ ଆଜି ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି ।" ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ କଡା ଜବାବ ଦେଇଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ । ସେ କହିଥିଲେ ଯେ, ଓଡିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ଜୁନ ୯ରେ ସାଢ଼େ ୧୧ରୁ ସାଢ଼େ 1ଟା ଭିତରେ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାପରେ ଦଳ ପକ୍ଷରୁ ଏହି ନିମନ୍ତ୍ରଣ ପତ୍ର ଜାରୀ କରାଯାଇଛି । ଯାହାକୁ ବିଜେଡି ନେତା ଓ କର୍ମୀ ଭାଇରାଲ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର