ଖୋର୍ଦ୍ଧା: ହୋଲି ଖେଳରୁ ବଚସା, ଆଉ ବଚସାରୁ ମାରପିଟ । ଫଳରେ ମାରପିଟରେ ଜଣେ ଆଦିବାସୀ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକ ସରପଞ୍ଚଙ୍କ ଘର ଭଙ୍ଗାରୁଜା ସହିତ କାର ଓ ବାଇକ ଭାଙ୍ଗିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ତେବେ ଏଭଳି ଏକ ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗାରସିଂହ ପଞ୍ଚାୟତରେ ।
ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଦିନିଆରୀ ଛକରେ କିଛି କାରଣକୁ ନେଇ ପଙ୍ଗାରସିଂହ ପଞ୍ଚାୟତର ସରପଞ୍ଚ ଲାବଣ୍ୟ ଜୟସିଂହଙ୍କ ପୁଅ ସୌମ୍ୟରଞ୍ଜନ ଜୟସିଂହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଦିନିଆରୀ ଗ୍ରାମର ଲୋକ ସଂଘବଦ୍ଧ ଭାବେ ଆସି ସରପଞ୍ଚଙ୍କ ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଆକ୍ରମଣରେ ସରପଞ୍ଚଙ୍କ ଘର, କାର ଏବଂ ବାଇକ ସହିତ ଅନେକ ଆସବାବପତ୍ର ଭାଙ୍ଗି ଯାଇଛି । ଉତ୍ୟକ୍ତ ଲୋକ ସରପଞ୍ଚଙ୍କ ଘର ସମ୍ମୁଖରେ ହୋହଲ୍ଲା କରୁଥିବା ବେଳେ ଘଟଣାସ୍ଥଳରେ ଖୋର୍ଦ୍ଧାର ଆଡିସନାଲ ଏସ୍ପି, ଖୋର୍ଦ୍ଧା ଏସଡିପିଓଙ୍କ ସମେତ ବାଘମାରୀ ଏବଂ ବେଗୁନିଆ ଥାନା ଆଇଆଇସି ଓ ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମଉଳି ଗଲା ହୋଲି ମାହୋଲ, ନଦୀରେ ବୁଡ଼ି ଯୁବକ ମୃତ - Young Men Drowned To Death In River
ତେବେ ଆଜି ହୋଲି ଖେଳ ସମୟରେ ଦିନିଆରୀ ଆଦିବାସୀ ସାହିରେ ଜଣେ ଯୁବକ ସହ ସରପଞ୍ଚଙ୍କ ପୁଅର ଯୁକ୍ତିତର୍କ ହୋଇଥିଲା । ପରେ ସରପଞ୍ଚଙ୍କ ପୁଅ ଗୋଷ୍ଠି ପକ୍ଷରୁ ଆଦିବାସୀ ଯୁବକକୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଏହିଘଟଣାରେ ଆଦିବାସୀ ଯୁବକ ଜଣକ ଆହତ ହୋଇ ପ୍ରଥମେ ବାଙ୍କୀ ପରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ଘଟଣା ପରେ ଆଦିବାସୀ ସାହି ସହ ଲୋକେ ଉତ୍ୟକ୍ତ ହୋଇ ସରପଞ୍ଚଙ୍କ ଘର ଆଗରେ ବିକ୍ଷୋଭ କରିଛନ୍ତି । ଏହାସହ ଆସବାପତ୍ର ଭଙ୍ଗାରୁଜା କରବା ସହ ଘର ଓ ଗାଡି ଉପରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓଙ୍କ ସମେତ ବହୁ ପୋଲିସ ଉପସ୍ଥିତ ଅଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା