ରାଉରକେଲା: ଡାକ ବିଭାଗରେ ଏବେ ଲୋକଙ୍କ ଟଙ୍କା ହଡ଼ପ ଘଟଣା ବିଭିନ୍ନ ସମୟରେ ସମ୍ନାକୁ ଆସୁଛି । ରାଜ୍ୟର ଏକାଧିକ ସ୍ଥାନରେ ଏପରି ଘଟଣା ଘଟୁଥିବାବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଡାକ ବିଭାଗରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହେବା ପରି ସାଙ୍ଘାତିକ ଅଭିଯୋଗ ହୋଇଛି । ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆରମୁଣ୍ଡା ଅଞ୍ଚଳରେ ଘଟିଛି ଏପରି ଟଙ୍କା ହଡ଼ପ ଘଟଣା । ଏହି ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ପୋଷ୍ଟ ମାଷ୍ଟର ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି ।
ପ୍ରାୟ 1 ମାସରୁ ଊର୍ଦ୍ଧ୍ବ ସମୟ ହେବ ଫେରାର ପୋଷ୍ଟ ମାଷ୍ଟରଙ୍କ ପତ୍ତା ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଆକ୍ରୋଶ ଦେଖା ଦେଇଛି । ମଙ୍ଗଳବାର ଜମାକାରୀମାନେ ପୋଷ୍ଟ ଅଫିସରେ ପହଞ୍ଚି ହୋହାଲ୍ଲା କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବୀରମିତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁମଝରିଆ ଶାଖା ଡାକ ବିଭାଗରେ ଏହି ହେରଫେର ଅଭିଯୋଗ ହୋଇଛି । ପୋଷ୍ଟ ମାଷ୍ଟର ଏହି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଗତ ମେ' ୮ ତାରିଖରୁ ସେ ଫେରାର ଅଛନ୍ତି । କିଛିଦିନ ପୂର୍ବେ ଜଣେ ମହିଳା ଜମାକାରୀ ଜମା ଅର୍ଥ କାଢ଼ିବାକୁ କୁମଝରିଆ ପୋଷ୍ଟ ଅଫିସ ଯାଇଥିଲେ । ଫେରାର୍ ପୋଷ୍ଟ ମାଷ୍ଟରଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଯାଇଥିଲେ କୁଆଁରମୁଣ୍ଡା ଶାଖା । ସେଠାରେ ତାଙ୍କ ଆକାଉଣ୍ଟରେ କୌଣସି ଅର୍ଥ ଜମା ହୋଇନଥିବା ଜାଣିଥିଲେ । ପରେ ଅନ୍ୟ ଜମାକାରୀ ମଧ୍ୟ ସେମାନଙ୍କର ଆକାଉଣ୍ଟରେ ଟଙ୍କା ଜମା ହୋଇ ନଥିବା ଜାଣିବାକୁ ପାଇଥିଲେ ।
ଏହାପରଠୁ ପୋଷ୍ଟ ମାଷ୍ଟର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ ନପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ପୋଲିସ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । 5 ବର୍ଷ ହେବ ଜମା ଅର୍ଥ ହେରଫେର ହୋଇଛି ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବା ବ୍ୟବସ୍ଥା କରାଯାଉ ଥିବା ରାଉରକେଲା ପୋଷ୍ଟାଲ ଡିଭିଜନ ଆସିଷ୍ଟାଣ୍ଟ ସୁପରିଟେଣ୍ଡଣ୍ଟ ଫୋନ ମାଧ୍ୟମରେ ସୂଚନା ଦେଇ କହିଛନ୍ତି । ଅନ୍ୟପଟେ ଏଭଳି ଘଟଣା ବର୍ତ୍ତମାନ ପୋଷ୍ଟାଲରେ ଟଙ୍କା ଜମା କରୁଥିବା ଜନସାଧାରଣଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।
ଇଟିଭି ଭାରତ, ରାଉରକେଲା