ରାଉରକେଲା: ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଲେ ବଣାଇ ବିଧାୟକ । ବିଧାୟକଙ୍କୁ ଘେରିଯାଇ ଲୋକେ କଲେ ଟ୍ୟୁସନ । ଫଳରେ ଘର ଭିତରେ ଯାଇ ଲୁଚିଲେ ବିଧାୟକ । ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଏପରି ହଟହଟା ହେବାକୁ ପଡିଛି । ଗ୍ରାମାଞ୍ଚଳରେ ଲୋକେ ବିଧାୟକଙ୍କୁ ଦୀର୍ଘ ପାଞ୍ଚ ବର୍ଷ ପରେ ଦେଖି ନିଜର ଅସନ୍ତୋଷ ଜାହିର କରିଥିଲେ । ତାଙ୍କୁ ଗାଁ ମଝିରେ ଅଟକାଇ 5 ବର୍ଷର ରିପୋର୍ଟ କାର୍ଡ ମାଗିଲେ । ବିରୋଧ ପ୍ରଦର୍ଶନ କରି 'ଗୋ ବ୍ୟାକ ଲକ୍ଷ୍ମଣ ମୁଣ୍ଡା' ନାରା ଦେଇ ବିରୋଧ କରିଥିଲେ ଲୋକେ ।
ପାଞ୍ଚ ବର୍ଷ ହେଲା ଆମ ଅଞ୍ଚଳର କ'ଣ ଖବର ରଖିଛନ୍ତି ? ଯଦି ନିଜେ ଆସି ପାରିଲେନି, ତା'ହେଲେ କାହା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରାଇଛନ୍ତି ? କେଉଁଠି କାମ କରିଛନ୍ତି ଦେଖାଇ ପାରିବେ କି ? ଚିକିତ୍ସା ନ ପାଇ ରୋଗାଗ୍ରସ୍ତ ଗରିବ ଲୋକ ଖଟରେ ପଡ଼ିରହିଛି, ସେମାନଙ୍କ କଥା କେବେ ବୁଝିଛନ୍ତି କି ? ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଏଭଳି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଛି । ନିଜ ନିର୍ବାଚନ ମଣ୍ଡଳୀ ଭୁତୁଡା ଗ୍ରାମ ପରିଦର୍ଶନ କରିବାକୁ ଯାଉଥିବା ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଧାୟକ ।
ଏହା ମଧ୍ୟ ପଢନ୍ତୁ...ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡିକୁ ଜବାବ ଦେଲା ବିଜେପି, 'ଠିକ୍ ସମୟରେ ଦିଲ୍ଲୀରୁ ସବୁ ଫାଇନାଲ ହେବ' - GENERAL ELECTION 2024
ଗ୍ରାମବାସୀ ତାଙ୍କୁ ଘେରି ଯାଇ ଅଭିଯୋଗ କରିଛନ୍ତି ଯେ, ବିଧାୟକ ହୋଇ ଆଜି ପର୍ଯ୍ୟନ୍ତ କାହିଁକି ବଣାଇ ଅଞ୍ଚଳର ବିକାଶ କରିବାରେ ଅସଫଳ । କେବଳ ଗୋଟିଏ ବିଧାୟକ ରହିଥିବାରୁ ରାଜ୍ୟ ସରକାର କିଛି ଶୁଣୁ ନଥିବା ନେଇ ଦଲିଲ ଦେଇ ବଞ୍ଚିଯିବାକୁ ଚେଷ୍ଟା କରୁଛନ୍ତି ବିଧାୟକ ବୋଲି ବିରୋଧ ହୋଇଛି । ଆଜି ଯାଏ କହିଥିବା କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ ଏବଂ ସେ କେବଳ ନିର୍ବାଚନ ସମୟରେ ହିଁ ଭେଟ ହୁଅନ୍ତି ଏବଂ ଏହାପରେ ଆଉ ତାଙ୍କର ଦେଖା ସମ୍ପୂର୍ଣ୍ଣ ଜିଲ୍ଲାରେ କାଁ ଭାଁ ବୋଲି କହିଛନ୍ତି ସାଧାରଣ ଭୋଟର ।
ସମ୍ପୂର୍ଣ୍ଣ ବଣାଇ ନିର୍ବାଚନ ମଣ୍ଡଳୀର ବଣାଇ, ଟେନସା, କୋଇଡା, ଲହୁଣୀପଡା, କଲେଇପୋଷ, ରାଜାମୁଣ୍ଡା ଆଦି ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଗ୍ରାମଞ୍ଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛନ୍ତି ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଲୋକଙ୍କ ଦୁଃଖ ବୁଝିବାରେ ମଧ୍ୟ ଅସଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।
ଇଟିଭି ଭାରତ, ରାଉରକେଲା