ଭୁବନେଶ୍ବର: ପୁଣି ଥରେ ମହାଆନ୍ଦୋଳନର ଚେତାବନୀ ଦେଇଛି ଅଙ୍ଗନବାଡି ୱାକର୍ସ ସଂଘ । ସରକାର ପ୍ରତିଶୃତି ଦେଇ ପୂରଣ କରୁନଥିବାରୁ ରାଜଧାନୀରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ସଂଘ । ଆସନ୍ତା 26 ତାରିଖ ସୁଦ୍ଧା ସରକାର ଯଦି ମୋଟ ଦାବିରୁ ପ୍ରଥମ ତିନୋଟି ଦାବି ପୂରଣ ନକରନ୍ତି ତେବେ 29 ତାରିଖ ଦିନ ଲୋୟର ପିଏମଜି ଭୁବନେଶ୍ବରରେ ବିଶାଳ ଆନ୍ଦୋଳନ କରିବେ ଅଙ୍ଗନବାଡି। ଯେଉଁଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ଏକ ଲକ୍ଷ ଅଙ୍ଗନବାଡି ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦିକା କୁଞ୍ଜଳତା ଦାସ ।
ଆଜି ପ୍ରେସମିଟ କରି ଅଙ୍ଗନବାଡି ୱାକର୍ସ ସଂଘର ସାଧାରଣ ସମ୍ପାଦିକା କୁଞ୍ଜଳତା ଦାସ କହିଛନ୍ତି, ‘‘ଦୀର୍ଘ ୪୫ ବର୍ଷ ଧରି କାମ କରୁଛନ୍ତି ଅଙ୍ଗନବାଡି ୱାକର୍ସ ମାନେ । ଅନ୍ୟ କର୍ମଚାରୀ ଭଳି ସରକାରୀ ମାନ୍ୟତା ଅଙ୍ଗନବାଡି କର୍ମୀଙ୍କୁ ଦିଆଯାଉ। ଏହା ସହ ରାଜ୍ୟ ସରକାର କହିଛନ୍ତି ଅଙ୍ଗନବାଡି କର୍ମୀ ହେଉଛନ୍ତି ସମାଜସେବୀ। ସେହି ଅନୁସାରେ ସରକାରୀ ଭାବରେ ଯେଉଁ ସମସ୍ତ ଯୋଜନା ସମସ୍ତଙ୍କୁ ଦିଆଯାଉଛି ତାହା ଆମକୁ ମଧ୍ୟ ମାନ୍ୟତା ଦିଆଯାଉ। ମୃତ୍ୟୁ କାଳୀନ ସହାୟତା ସର୍ବନିମ୍ନ ୨ ଲକ୍ଷ ଟଙ୍କା ଦିଆଯାଉ। ଅବସର କାଳୀନ ୬୦ ବର୍ଷରୁ ଏହାକୁ ୬୨ ବର୍ଷ କରାଯାଉ। ପେନସନର ବ୍ୟବସ୍ଥା ମଧ୍ୟ କରାଯାଉ। ଏହା ଛଡା ୪ରୁ ୫ ବର୍ଷ ତଳେ ୭ ଜଣ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର କରାଯାଇଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରାଯାଉ ।’’
ଅଧିକ ପଢନ୍ତୁ- ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି ଦିଦି
ସେହିପରି ସଂଘର ସାଧାରଣ ସମ୍ପାଦିକା କହିଛନ୍ତି ଅନ୍ୟ ରାଜ୍ୟରେ ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି କରାଯାଇଛି । ଆମ ରାଜ୍ୟରେ ସରକାର ବାରମ୍ବାର ଘୋଷଣା କରୁଛନ୍ତି ହେଲେ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ପରବର୍ତ୍ତୀ ସମୟରେ ପ୍ରତାରଣା କରାଯାଉଛି । ସରକାରଙ୍କ ଉପରେ ଭରସା କରିବୁ କିଭଳି ? ଏପଟେ ଅନ୍ୟ ରାଜ୍ୟରେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପାଇଛି। ହେଲେ ଆମ ରାଜ୍ୟରେ ସରକାର କେବଳ ପ୍ରସ୍ତିଶୃତି ଦେଇ ପ୍ରତାରଣା କରୁଛନ୍ତି । ଆଗାମୀ ଦିନରେ ସରକାର ଦାବି ଗୁଡ଼ିକକୁ ଶୁଣନ୍ତୁ, ଯଥା ଶୀଘ୍ର ଲାଗୁ କରନ୍ତୁ ବୋଲି ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର