ଖୋର୍ଦ୍ଧା: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷୀ ଭାଇଙ୍କ ପାଇଁ ଏକ ପବିତ୍ର ଦିନ । ଆଜିର ଦିନରେ ଚାଷ ଅନୁକୂଳ କରିଥାଏ ଚଷା ପୁଅ । ଆଜିର ଦିନକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ବେଳେ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅକ୍ଷିମୁଠି ଅନୁକୂଳ । ଏହି ଅବସରରେ ଚାଷ କାର୍ଯ୍ୟ ଆରମ୍ଭ କରି ବିଲରେ ଧାନ ବୁଣିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଏହି ସମୟରେ ସେ ପୁଅକୁ ଭୋଟ ଦେବା ପାଇଁ ଅପିଲ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଅକ୍ଷୟ ତୃତୀୟାକୁ କୃଷକମାନେ ବେଶ ଉତ୍ସାହ ସହକରେ ପାଳନ କରିଥାନ୍ତି । ଆଜିର ଦିନରେ ଚଷା ପୁଅ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆଜିର ଦିନରେ ଚାଷୀମାନେ ନୂଆ ଧାନ ବିହନ ନେଇ ନିଜ କ୍ଷେତରେ ବୁଣି ହଳ କରି ଧରିତ୍ରୀ ମାତା ଓ ମା' ଲକ୍ଷ୍ମୀଙ୍କର ଆର୍ଶୀବାଦ ଭିକ୍ଷା କରିଥାନ୍ତି । ସେହିଭଳି ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଏହି ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ଚଷା ପୁଅ ସକାଳୁ ନୂଆ ବସ୍ତ୍ର ପରିଧାନ କରି ନୂଆ ବିହନ ସହ ପୂଜା ସାମଗ୍ରୀ ଧରି କ୍ଷେତକୁ ଯାଇ ସେଠାରେ ଧାନ ବୁଣି ଚାଷ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଚଳିତ ବର୍ଷ ଭଲ ଫସଲ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ସେପଟେ ଜିଲ୍ଲା କୃଷି ବିଭାଗ ସମଗ୍ର ଜିଲ୍ଲାରେ ଥିବା 1 ଲକ୍ଷ 2 ହଜାର 267 ହେକ୍ଟର ଧାନ ଜମିକୁ ମୋଟ 6 ହଜାର 6 ଶହ ମେଟ୍ରିକ ଟନ ଧାନ ବିହନ ଯୋଗାଇବାକୁ ଲକ୍ଷ୍ୟ ରଖିଛି । ସେହିଭଳି ସରକାରଙ୍କ ପକ୍ଷରୁ ଜିଲ୍ଲାରେ 224 ଡିଲର ପଏଣ୍ଟ ରହିଛି ଏବଂ ଚାଷୀ ଡିବିଟି ପୋର୍ଟାଲ ଜରିଆରେ ସେମାନଙ୍କ ଆବଶ୍ୟକ ମୁତାବକ ବିହନ କ୍ରୟ କରି ପାରିବେ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ଜଟଣୀ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ପ୍ରଧାନସାହି ପଞ୍ଚାୟତର କଣ୍ଟିଲୋଠାରେ ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ । ଏନେଇ ସୁର କହିଛନ୍ତି, "ଆଜିର ଦିନରେ ଚାଷକାମ ଆରମ୍ଭ କରିଥାଏ ଚାଷୀ । ଆଜିର ଦିନ ଓଡ଼ିଶାର ଚାଷୀଙ୍କ ପାଇ ବେଶ ମହତ୍ତ୍ଵ ରଖିଥାଏ । ମୁଖ୍ୟମନ୍ତ୍ରୀ ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି । ସେହିପରି ଆଗକୁ ଓଡ଼ିଶା ଚାଷ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।"
ଇଟିଭି ଭାରତ, ଖୋର୍ଦ୍ଧା