ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ସମୀକ୍ଷା ବୈଠକ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଛି । ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ ସହ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ସାଧାରଣ ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ । ତେଣୁ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏହାକୁ ଧ୍ୟାନ ରଖି ତ୍ଵରିତ ଢଙ୍ଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶେଷ ହୋଇଥିବା ପ୍ରକଳ୍ପର ପିସିଆର ରିପୋର୍ଟ ଦାଖଲ, ନୂଆ ଡିଭିଜନ ପ୍ରତିଷ୍ଠା, ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଆଦି ଉପରେ ଆଲୋଚନା ହୋଇଛି । ଏଥି ସହିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ଵୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା, ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ସଠିକ ସମୟରେ ପେନସନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ଅଦାଲତ ସମ୍ବନ୍ଧୀୟ କେଶଗୁଡିକର ଅଗ୍ରାଧ୍ୟାକାର ଭିତ୍ତିରେ ସମାଧାନ ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ସମସ୍ତ ଅଭିଯୋଗଗୁଡିକ ସମ୍ପର୍କରେ ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହାକୁ ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ଶେଷ କରି ପିସିଆର ପ୍ରଦାନ କରିବା ଏବଂ ରୋଡ ଏବଂ ବ୍ରିଜ ସେକ୍ଟରରେ ସ୍ଥଗିତ ରହିଥିବା କାର୍ଯ୍ୟର ଡିପିଆର ଦାଖଲ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ସେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତା ଗୁଡିକର ନିୟମିତ ରକ୍ଷଣାବେକ୍ଷଣର କାର୍ଯ୍ୟ ଆଗେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ନବ ନିଯୁକ୍ତ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ, ସ୍ଵତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ସଂଘମିତ୍ର ଶତପଥୀ, ସର୍ବେଶ୍ଵର ସିଂଙ୍କ ସମେତ ପ୍ରତ୍ୟେକ ସର୍କଲ ଓ ଡିଭିଜନର ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର