ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ ‘ବିଜ୍ଞାନର ଭାଷା ଭାବେ ଓଡ଼ିଆ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଛି । ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଅଧ୍ୟକ୍ଷତା କରିଥିଲେ । ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ସମ୍ଭବ ବୋଲି ବକ୍ତାମାନେ କହିଥିଲେ । ଓଡ଼ିଆ ଭାଷାର ଏକ ସ୍ୱତନ୍ତ୍ର ଭାଷା ଏବଂ ଲିପି ରହିଛି । ଚୀନ, ଋଷ ଦେଶ ଭଳି ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ପାଇଁ ଦକ୍ଷ ଅନୁବାଦକ, ସଫ୍ଟୱେର ଏବଂ ସ୍ୱତନ୍ତ୍ର ଭାଷାକୋଷର ଆବଶ୍ୟକତା ରହିଥିବା କହିଥିଲେ ପ୍ରଫେସର ।
‘ପଦାର୍ଥ ବିଜ୍ଞାନର ଭାଷା ଭାବେ ଓଡ଼ିଆ’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ପଦାର୍ଥ ବିଜ୍ଞାନୀ ତଥା ‘ଅଣୁରୁ ଅନ୍ତରୀକ୍ଷ’ ପୁସ୍ତକର ରଚୟିତା ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ କହିଛନ୍ତି ଯେ, ପଦାର୍ଥ ବିଜ୍ଞାନରେ ଓଡ଼ିଆ ଭାଷାର ପ୍ରୟୋଗର ୩ଟି ଦିଗ ରହିଛି । ସେଗୁଡ଼ିକ ହେଉଛି ଲୋକପ୍ରିୟତା, ପୁସ୍ତକ ଓ ଗବେଷଣା । ବିଶ୍ୱସ୍ତରରେ ଇଂରାଜୀ ଭାଷାର ପ୍ରୟୋଗ ଯଦିଓ ଓଡ଼ିଆ ଭଳି କୌଣସି ପ୍ରାନ୍ତୀୟ ଭାଷା ଦ୍ୱାରା ପରିବର୍ତ୍ତନ କରାଯାଇନପାରେ । କିନ୍ତୁ ବିଶ୍ୱର ପ୍ରସିଦ୍ଧ ବିଜ୍ଞାନ ପୁସ୍ତକଗୁଡ଼ିକର ମନୋଗ୍ରାଫ ବା ଓଡ଼ିଆ ଅନୁବାଦ କରାଯାଇପାରିବ ।
‘ଚିକିତ୍ସା ବିଜ୍ଞାନର ଭାଷା ଭାବେ ଓଡ଼ିଆ’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଛନ୍ତି ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା କୋଭିଡ-୧୯ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଡାକ୍ତର ସଂଘମିତ୍ରା ପତି । ସେ କହିଛନ୍ତି, "ଚୀନ, ଋଷ ଭଳି ଦେଶରେ ଆଞ୍ଚଳିକ ଭାଷାରେ ଚିକିତ୍ସା ବିଜ୍ଞାନ ପଢ଼ାଯାଉଛି । ଫଳରେ ଚିକିତ୍ସକ ଏବଂ ରୋଗୀମାନଙ୍କ ମଧ୍ୟରେ ଉପଯୁକ୍ତ ଭାବବିନିମୟ ହୋଇପାରୁଛି । ଚିକିତ୍ସା ବିଜ୍ଞାନରେ ଓଡ଼ିଆ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ ରୋଗୀମାନେ ଓଡ଼ିଆରେ ଭାବବିନିମୟ କରନ୍ତି ।"
ସ୍ଥାନୀୟ ଭାଷା ଓଡ଼ିଆରେ ବିଜ୍ଞାନ ବିଷୟକ ଜ୍ଞାନ ଆହରଣ ଏବଂ ବିକେନ୍ଦ୍ରୀକରଣ’ ବିଷୟବସ୍ତୁ ଉପରେ କୃଷି ବିଜ୍ଞାନୀ ଡ. ସ୍ୱାତି ନାୟକ କହିଛନ୍ତି ଯେ, କୃଷି କ୍ଷେତ୍ରରେ ବିକଶିତ ନୂତନ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷାର ବହୁଳ ଆବଶ୍ୟକତା ରହିଛି । ତା’ସହ ବର୍ତ୍ତମାନ ସମୟରେ ବଡ଼ ଅନୁଷ୍ଠାନମାନଙ୍କର ଥିବା ଶୈକ୍ଷିକ ଉପନିବେଶବାଦର ମିଥ୍ୟା ଅହଂକାରକୁ ଦୂର କରିବାର ଆବଶ୍ୟକତା ରହିଛି ।
ଏହାମଧ୍ୟ ପଢନ୍ତୁ... ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ', ଚାଷୀଙ୍କୁ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ଲକ୍ଷ୍ୟ
‘ମାତୃଭାଷା ଓଡ଼ିଆ ମାଧ୍ୟମରେ ବିଜ୍ଞାନର ଯୋଗାଯୋଗ’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ ରସାୟନ ବିଜ୍ଞାନୀ ଡ. ଚିତ୍ତରଞ୍ଜନ ମିଶ୍ର । ସେ କହିଛନ୍ତି, "ମା’ ଓ ମାତୃଭୂମି ବିନା କୌଣସି ବ୍ୟକ୍ତିର ଅସ୍ତିତ୍ୱ ନଥାଏ । ତେଣୁ ସେମାନେ ଚିରବନ୍ଦନୀୟ ।" ‘ଓଡ଼ିଆ ଭାଷାରେ ପରିବେଶ ସଚେତନତା ବୃଦ୍ଧି’ ବିଷୟବସ୍ତୁ ଉପରେ ବିଶିଷ୍ଟ ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ମଣିଷ ଅଦୃଶ୍ୟ ଭଗବାନଙ୍କୁ ପୂଜା କରୁଛି । ଅଥଚ ଦୃଶ୍ୟମାନ ପ୍ରକୃତି ଯାହାଠାରୁ ଜୀବନଧାରଣ ପାଇଁ ସବୁକିଛି ପାଉଛି ତାକୁ ନଷ୍ଟ ଓ ଅପରିଷ୍କାର କରୁଛି । ଏହା ଠିକ କାର୍ଯ୍ୟ ନୁହେଁ । ଅତୀତର କବିମାନେ ନିଜର କୃତି ମାଧ୍ୟମରେ ପ୍ରକୃତିର ସୁନ୍ଦରତାକୁ ବର୍ଣ୍ଣନା କରୁଥିଲେ । ଏବେ ତାହା କମି ଯାଇଛି । ଭବିଷ୍ୟତ ପିଢ଼ି ପାଇଁ ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ ନିତାନ୍ତ ଆବଶ୍ୟକ । ଛାତ୍ରବକ୍ତା କିରଣ ସାହୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ।
ଅନ୍ୟପଟେ ସମ୍ମିଳନୀରେ ‘ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ’ ସଂପର୍କିତ ଆଲୋଚନାରେ ବକ୍ତାମାନେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଯଥେଷ୍ଟ ପରିଚିତି ରହିଛି । ଏହି ନୌବାଣିଜ୍ୟ ପରମ୍ପରାରେ ଅହିଂସା ଓ ଶାନ୍ତି ଦ୍ୱାରା ପର୍ଯ୍ୟବେସିତ । ପଡ଼ୋଶୀ ଦେଶମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ସହବାସ୍ଥାନର ବାର୍ତ୍ତା ପ୍ରଚାରିତ ହୋଇଥିଲା ହୋଇଥିଲା ବୋଲି ବକ୍ତାମାନେ କହିଥିଲେ ।
ଏହି ଅବସରରେ ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ୍ ଡ. ଶିଳାତ୍ରିପତି ତାତ୍ତ୍ୱିକ କହିଛନ୍ତି ଯେ, ଭୂତାତ୍ତ୍ୱିକ ଗବେଷଣାକୁ ସଶକ୍ତ କଲେ ଆମେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ସଂପର୍କରେ ଅଧିକ ତଥ୍ୟ ପାଇପାରିବା । ଶାଂ-ହୁଆନ, ହୁଆନ- ସିଂ ଓ ଝିଲୋମି ଇତ୍ୟାଦିଙ୍କ ବିବରଣୀରେ ଓଡ଼ିଶାର ନୌବାଣିଜ୍ୟ ସଂପର୍କିତ ତଥ୍ୟ ରହିଛି । ମାଣିକପାଟଣା, କଳିଙ୍ଗପାଟଣା, ଦୁର୍ଗାଦେବୀ, ଚିଲିକା, ଭାରତୀ ହୁଡ଼ା, ଝଲକଟାପାଟଣା ଇତ୍ୟାଦି ସ୍ଥାନରେ ନୌବାଣିଜ୍ୟର ଇତିହାସର ପତ୍ନତାତ୍ତ୍ୱକ ଉପାଦାନ ଉପଲବ୍ଧ ହୁଏ । ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଅଧ୍ୟୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସୁନୀଲ ପଟ୍ଟନାୟକ କହିଛନ୍ତି, "ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ନୌବାଣିଜ୍ୟରେ ଉତ୍କର୍ଷ ସାଧନ କରିଥିଲା । ଖନନରୁ ପ୍ରାପ୍ତ ପ୍ରମାଣ ଆଧାରରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ଯୋଗାଯୋଗରେ ଓଡ଼ିଶାର ବନ୍ଦରଗୁଡ଼ିକ ଭାରତବର୍ଷରେ ଶ୍ରେଷ୍ଠ ଥିଲା । ଦକ୍ଷିଣ ଏସୀୟା ସହିତ କଳିଙ୍ଗର ନୌବାଣିଜ୍ୟ ଯୋଗାଯୋଗ ଓ ସଂପର୍କ ଦୃଢ଼ୀଭୂତ ହୋଇଥିଲା । ଇଣ୍ଡୋନେସିଆ ଏବଂ ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଓଡ଼ିଶାର ଖାଦ୍ୟ ଓ ସଂସ୍କୃତି ବିଶେଷ ଚାହିଦା ଅର୍ଜନ କରିଥିବାବେଳେ ବସ୍ତ୍ର ବାଣିଜ୍ୟର ଆଧିପତ୍ୟ ରହିଥିଲା ।"
ଏହାମଧ୍ୟ ପଢନ୍ତୁ.. ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ପୋଷ୍ଟକାର୍ଡ ଆର୍ଟ ବିନିମୟ
ଜାତୀୟ ଅଭିଲେଖାଗାରର ପ୍ରାକ୍ତନ ଅଧୀକ୍ଷକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର କହିଛନ୍ତି ଯେ, ଇତିହାସ ବର୍ଣ୍ଣିତ ଷୋଡ଼ଶ ମହାଜନ ପଦ ମଧ୍ୟରୁ କଳିଙ୍ଗ ସବୁଠାରୁ ଧନଶାଳୀ ଥିଲା । ଆମର ଜନସ୍ମୃତିରେ ବୋଇତ ବନ୍ଦାଣ ଓ ଖୁଦୁରୁକୁଣୀ ଆଦି କାହାଣୀରେ ଆମ ନୌବାଣିଜ୍ୟ ପରମ୍ପରା ପ୍ରତିଫଳିତ ହେଉଛି । ପ୍ରାଚୀନ ଇତିହାସ ଗବେଷକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଉମାକାନ୍ତ ମିଶ୍ର କହିଛନ୍ତି ଯେ, ବୌଦ୍ଧ ସନ୍ନ୍ୟାସୀମାନେ ଓଡ଼ିଶାରେ ନୌବାଣିଜ୍ୟ ବିକାଶରେ ସହାୟକ ହୋଇଥିଲେ । ଚାମୁଣ୍ଡା ପୁରାଣ ଓ ଚଣ୍ଡୀଯୋଗ ପୁରାଣ ଇତ୍ୟାଦିରେ ଓଡ଼ିଶାର ବାଣିଜ୍ୟ ପରମ୍ପରା ସଂପର୍କରେ ବିଶେଷ ଉଲ୍ଲେଖ ରହିଛି ।
ନୌବାଣିଜ୍ୟ ପରମ୍ପରା ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଅଙ୍ଗ ବୋଲି ଐତିହାସିକ ପ୍ରଫେସର ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଦରବାରରେ ଓଡ଼ିଶାର ସାଂସ୍କୃତିକ ଓ ଅର୍ଥନୈତିକ ପ୍ରସାରରେ ନୌବାଣିଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । କଳିଙ୍ଗକୁ ନୌବାଣିଜ୍ୟ ନିମନ୍ତେ ବ୍ୟବହାର କରିବାର ମୂଳ ଉଦ୍ଦେଶ୍ୟ ରଖି ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ରଚିଥିଲେ । କଳିଙ୍ଗର ନାବିକ ଓ ବଣିକମାନେ ଥିଲେ ଅହିଂସା, ଶାନ୍ତି ଓ ସହଯୋଗର ପକ୍ଷପାତି । ଏଣୁ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାରୁ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ମିଳିଥାଏ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର