କଟକ: ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସ୍ବାମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । 2021 ମସିହା ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କ ଟଙ୍କା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ସାଇବର ସେଲକୁ ମିଳିଲା ସଫଳତା । ଆକାଉଣ୍ଟରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫରଜରି ଟଙ୍କା ପୈଠ ଘଟଣାରେ 3 ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହାରି ମଧ୍ୟରେ ଏହି ଘଟଣାର ମୁଖ୍ୟ ଢେଙ୍କାନାଳ ଆଇସିଆଇସିଆଇ ଶାଖାର ଜେନେରାଲ ମ୍ୟାନେଜର ଦାୟିତ୍ବରେ ଥିବା ସ୍ବାଗତିକା ସ୍ବାଇଁ ଓ ତାଙ୍କ ସ୍ବାମୀ ମନୋଜ ସାହୁଙ୍କ ସମେତ ଡେପୁଟି ବ୍ୟାଙ୍କ ମ୍ୟାନେଜରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ସୂଚନା ଅନୁଯାଜୟୀ, ଢେଙ୍କାନାଳ ଆଇସିଆଇସିଆଇ ଶାଖାର ଜେନେରାଲ ମ୍ୟାନେଜର ଦାୟିତ୍ବରେ ଥିବା ସ୍ବାଗତିକା ସ୍ବାଇଁଙ୍କ ସ୍ବାମୀ ମନୋଜ ସାହୁଙ୍କ ସହ ଅଧିକାଂଶ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଥିଲେ । ଗ୍ରାହକଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା, ସେମାନଙ୍କ ବିଶ୍ବାସ ଜିତିବା ପରେ ବ୍ୟକ୍ତିଗତ ବିବରଣୀ ଆଣି ଅପବ୍ୟବହାର ଆରମ୍ଭ କରିଥିଲେ ଦମ୍ପତି । ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତର ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ତେବେ ଏହି ତଦନ୍ତ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ସୂଚନା ମିଳିଛି ।
ସେହିପରି ଅନ୍ୟ ଏକ ମାମଲାରେ ଚଳିତ ମାସ 17 ତାରିଖରେ ଇଡି ଅଧିକାରୀ କହି ଲୋକଙ୍କୁ ଠକୁଥିବା ଦୁଇ ନକଲି ଇଡି ଅଧିକାରୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ । ଏମିତି କିଛି ଅଭିଯୋଗରେ ବନ୍ଧା ହୋଇଥିଲେ ଢେଙ୍କାନାଳର ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମଶଙ୍କର ମହାପାତ୍ର । ଦୁଇ ଠକଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ।
ଏହା ବି ପଢନ୍ତୁ- ED ଅଧିକାରୀ କହି ଟଙ୍କା ମାଗୁଥିଲେ, ନକଲି ଅଫିସରଙ୍କୁ ବାନ୍ଧିଲା ଏସଟିଏଫ
ସୂଚନା ମୁତାବକ, ଏହି ଦୁଇ ଭାଇ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଏଭଳି ଠକେଇ କରୁଥିଲେ । ଝାଡଖଣ୍ଡ ରାଞ୍ଚିରେ ଏକ ଭଡାଘରେ ରହୁଥିଲେ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏନଜିଓ ମଧ୍ୟ ଚଳାଉଥିଲେ । ଇଡି ରେଡ ସମ୍ପର୍କିତ ସୂଚନା ପାଇବା ପରେ ସେ ନିଜକୁ ଇଡି ଅଫିସର କହୁଥିଲେ । ଏପରିକି ସେମାନଙ୍କୁ ଆର୍ଥିକ କାରବାର ତଦନ୍ତ ଆଳରେ ଫେକ ସମନ ତ କେତେବେଳେ ରେଡ କରିବାର ଧମକ ଦେଉଥିଲେ । ଏପରିକି ଲୋକଙ୍କ ନାଁରେ ଭିଜିଲାନ୍ସ କେସ ରହିଛି ତଦନ୍ତ ହେବ କହି ଠକୁଥିଲେ । ବିଭିନ୍ନ ଢଙ୍ଗରେ ଟଙ୍କା କାରବାର କରି ୩୫୦ ଊର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କୁ ଟଙ୍କା ମାଗି ବର୍ତ୍ତମାନ ଗିରଫ ହୋଇଛନ୍ତି ଅଭିଯୁକ୍ତ । ତାଙ୍କ ଫୋନପେ ଯୋଗେ ୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଟ୍ରାଞ୍ଜକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ ।
ଇଟିଭି ଭାରତ, କଟକ