ଭୁବନେଶ୍ବର: ଓଡିଶା ଏବେ ବିଜେପିର ଶୀର୍ଷ ନେତାଙ୍କ ଗନ୍ତବ୍ୟସ୍ଥଳ ପାଲଟିଛି । ବିଶେଷ କରି ବିଜେପିର ଶୀର୍ଷ ନେତୃତ୍ବ ଲଗାତାର ଓଡିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଜଣକ ପରେ ଜଣେ ଓଡିଶା ଗସ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଦଳର ପ୍ରଚାରର ନେତୃତ୍ବ ନେଉଛନ୍ତି । ଦଳର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଓଡିଶାରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଲାଗି ସମର୍ଥନ ଥିବାବେଳେ ଏହା ଭୋଟରେ ରୂପାନ୍ତରିତ ହେଉଛି ନା ନାହିଁ ତାହା ଫଳାଫଳ ବାହାରିଲେ ଜଣାପଡିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ବିରୋଧୀ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଏବେ ହର୍ଟ ପଏଣ୍ଟ ପାଲଟିଛି ଓଡିଶା । ବିଶେଷ କରି ବିଜେପିର ଶୀର୍ଷ ନେତା ତୁହାକୁ ତୁହା ଓଡିଶା ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖ ଓଡିଶା ଆସିଥିବାବେଳେ ଆସନ୍ତା ୧୦ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଅର୍ଥାତ ଗୋଟିଏ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କର ଦୁଇଥର ଗସ୍ତ କାର୍ଯ୍ୟକ୍ରମ ଓଡ଼ିଶାକୁ ଦଖଲରେ ନେବାକୁ ବିଜେପି କେତେ ଉଦ୍ୟମ କରୁଛି ତାହା ସ୍ପଷ୍ଟ ହେଉଛି । ସେହିପରି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓଡିଶାକୁ ଦୁଇ ଦିନିଆ ଗସ୍ତ କରି ଫେରିଛନ୍ତି । ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗସ୍ତ କରି ଫେରିଛନ୍ତି । ଆଗାମୀ ଦିନରେ ଆଉ କିଛି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କ ଓଡିଶା ଗସ୍ତ ଯୋଜନା ରହିଛି । କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରୁଛି ।
କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ନେଇ ରାଜନୀତି ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, "ଓଡିଶାକୁ ବିରୋଧୀ ଦଳର କେନ୍ଦ୍ରୀୟ ନେତୃତ୍ବ ଘନଘନ ଗସ୍ତ କରୁଛନ୍ତି । କାରଣ ଓଡିଶା ଏବେ ହୋଇଛି ବିରୋଧୀଙ୍କ ଗନ୍ତବ୍ୟ ସ୍ଥଳ । ଦେଶର ବିଭିନ୍ନ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରୁ ଆସନ ଦଖଲ କରିବାକୁ ଯୋଜନା କରିଛି ବିଜେପି । ଓଡିଶାରୁ ଅଧିକ ପରିମାଣର ଆସନ ଦଖଲ କରିବା ବିଜେପିର ଲକ୍ଷ୍ୟ ରହିଛି । ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସିଟ ଦଖଲର ସର୍ବୋଚ୍ଚ ସୀମାରେ ବିଜେପି ପହଞ୍ଚି ସାରିଛି । ପ୍ରାୟ ସବୁ ଆସନ ବିଜେପି ସେଠାରେ ଦଖଲ କରିସାରିଛି । ସର୍ବୋଚ୍ଚ ସିଟରୁ ଏବେ ସେଠାରେ ବିଜେପି ଖସିବ । ଆଉ ବଢ଼ିବାର ନାହିଁ । ଓଡିଶାରେ ଯେହେତୁ କମରେ ଥିଲା, ତେଣୁ ଏଠାରେ ଅଧିକ ସିଟ ବଢିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗରେ ଚେଷ୍ଟା କରି ଗତଥର ୧୮ ଲୋକସଭା ସିଟ ବିଜେପି ଜିତିଥିଲା । ପୂର୍ବଦୋୟକୁ ସଫଳ କରିବା ଲାଗି ଆସାମ, ପଶ୍ଚିମବଙ୍ଗ ଓ ଓଡିଶାରୁ ଅଧିକ ଲୋକସଭା ଆସନ ଜିତିବାକୁ ବିଜେପି ଲକ୍ଷ୍ୟ ରଖିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ବିଜେପିକୁ ଅଧିକ ସମ୍ଭାବନା ରହିଛି । ସେଥିପାଇଁ ବିଜେପିର ଓଡ଼ିଶାରେ ଅଧିକ ଆକ୍ରମଣାତ୍ମକ ଭୂମିକା ରହିବ । ତେଣୁ ବିଜେପିର କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଆଗମନ ହେବ । ଓଡିଶାରେ ଥିବା ୨୧ ଲୋକସଭା କ୍ଷେତ୍ରରୁ ଅଧିକରୁ ଅଧିକ ଦଖଲ କରିବାକୁ ଚେଷ୍ଟା କରିବ ଗେରୁଆ ଦଳ । କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ଓ ପ୍ରଭାବ ଦ୍ବାରା ଜନ ସମର୍ଥନ ଭୋଟରେ ରୂପାନ୍ତରିତ ହେବା ଲାଗି ଅନେକ ଦିଗ ରହିଛି । ଅତୀତରେ ପ୍ରଧାନମନ୍ତ୍ରୀ ପୁରୀ ଗସ୍ତରେ ଆସିଥିଲେ । ବିଶାଳ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ, ସମୁଦ୍ର କୂଳରେ ସାଇକେଲ ରଖିଦେଲେ ତା ଟାଇୟାରରେ ପବନ ଆପେ ଆପେ ଭର୍ତ୍ତି ହୋଇଯିବ ନାହିଁ । ସେଥିପାଇଁ କସରତ କରିବାକୁ ପଡିବ । ସେହିଭଳି ଭାବେ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ ପଡିବ ।"
ରାଜନୀତି ସମୀକ୍ଷକଙ୍କ ମତରେ, "ଗତଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀଙ୍କର ବରାବର ଗସ୍ତ ସତ୍ତ୍ବେ ଦଳ ୮ ଲୋକସଭା ଓ ୨୨ଟି ବିଧାନସଭା ଦଖଲ କରିପାରିଲା । ସେ ଚାହୁଁଥିବା ସଫଳତା ଆଶାନୁରୂପ ହୋଇପାରିନଥିଲା । କାରଣ ତୃଣମୂଳରେ ଥିବା ନରେନ୍ଦ୍ର ମୋଦି ଓ ବିଜେପି ପ୍ରତି ସମର୍ଥନ ଭୋଟରେ ପରିଣତ ହୋଇପାରିନଥିଲା । ଏ କ୍ଷେତ୍ରରେ ବିଜେଡି ସିଦ୍ଧହସ୍ତ । କାରଣ ବିଜେଡିର ମଇକ୍ରୋ ମ୍ୟାନେଜମେଣ୍ଟ ଭଲ । କଳେ, ବଳେ ଓ କୌଶଳେ ଭୋଟ ହାତେଇଥାଏ ବିଜେଡି । ଓଡିଶାରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଲାଗି ସମର୍ଥନ ରହିଛି । ସେହି ସମର୍ଥନକୁ ଭୋଟରେ ପରିଣତ କରିବା ଦଳ ସଂଗଠନର କାର୍ଯ୍ୟ । ସଂଗଠନ ମଜଭୁତ, ତୃଣମୂଳ କର୍ମୀ ସକ୍ରିୟ ଥିଲେ, ଏହି କାର୍ଯ୍ୟ ସେହି ପରିମାଣରେ ସଫଳ ହୋଇପାରିବ । ନିର୍ବାଚନ ଫଳାଫଳ ଆସିଲେ ଜଣାପଡିବ ବିଜେପି କିପରି ଏହାକୁ ରୂପାନ୍ତରିତ କରିଛି ।"
ଇଟିଭି ଭାରତ, ଭୁବନେଶ୍ବର