ଭୁବନେଶ୍ବର: ବିଜେଡି ପାଇଁ ଭୋଟ ମାଗି ଅଡ଼ୁଆରେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁରଙ୍କୁ କାରଣ ଦର୍ଶାଅ (ସୋ କଜ) ନୋଟିସ । ପୁଅ ପାଇଁ ଭୋଟ ମାଗିବାରୁ ନୋଟିସ ଜାରି କଲା କଂଗ୍ରେସ । ପିସିସି ପକ୍ଷରୁ ନୋଟିସ ଜାରି ହୋଇଛି । ଗତ ମାର୍ଚ୍ଚ ୨୯ରେ ନୋଟିସ ଜାରି ହୋଇଥିବା ସୂଚନା । ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଂଗ୍ରେସ ।
କଂଗ୍ରେସର ବରିଷ୍ଠ ନେତା ଭାବେ ସୁର ରାଉତରାୟ ସାରା ଓଡ଼ିଶାରେ ପରିଚିତ । ହେଲେ 2024 ସାଧାରଣ ନିର୍ବାଚନରେ ସୁରଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି । ଗତ ଦୁଇ ଦିନ ତଳେ ଉତ୍ତର ଭୁବନେଶ୍ୱରରେ ଏକ କ୍ରୀଡା କାର୍ଯ୍ୟକ୍ରମରେ ସୁର ରାଉତରାୟ ସାମିଲ ହୋଇ ଡବଲ ଶଙ୍ଖଙ୍କୁ ଭୋଟ ଦେବାକୁ କହିଥିଲେ । ବିଜେଡି ପାଇଁ ଭୋଟ ମାଗିବା ଭିଡିଓ ଭାଇରାଲ ହେବାରୁ ସୁରଙ୍କ ଭୋଟ ଉପାଖ୍ୟାନ ସାମ୍ନାକୁ ଆସିଛି ।
ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ଏବେ ସୁରଙ୍କ ପାଇଁ କଣ୍ଟା ସାଜିଛନ୍ତି । ସୁରଙ୍କ ଦୀର୍ଘ ଲମ୍ବା ରାଜନୈତିକ ଜୀବନରେ ଏବେ କଳା ବାଦଲ ଘେରି ଯାଇଛି । ସୁରଙ୍କ ପରିବାରରେ କଳି ଏତେ ଉଗ୍ର ହୋଇଛି ଯେ, ଉଭୟ ପୁଅ ପାଇଁ ସୁର ଏବେ ହରଡ଼ ଘଣାରେ ପଡିଛନ୍ତି । 'କଂଗ୍ରେସରେ ବଞ୍ଚିଛି କଂଗ୍ରେସରେ ମରିବି । ମରିଯିବି ପଛେ କଂଗ୍ରେସ ଛାଡି ଅନ୍ୟ ଦଳକୁ ଯିବିନାହିଁ '। ଏଭଳି କହୁଥିବା ସୁର ରାଉତରାୟ ପୁତ୍ର ମୋହରେ ଅନ୍ଧ ହୋଇ ବିଜେଡି ପାଇଁ ଭୋଟ ଭିକ୍ଷା କରିଛନ୍ତି । ଯାହାକୁ ଗ୍ରହଣ କରି ପାରୁନି କଂଗ୍ରେସ । ସେଥିପାଇଁ ଅଡ଼ୁଆ ସୁତାରେ ଛନ୍ଦି ହୋଇପଡିଛନ୍ତି ସୁର । ଉତ୍ତର ଭୁବନେଶ୍ୱରରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହ ଭୋଟ ପ୍ରଚାର କରିବା ପରେ ଏବେ ଅଡ଼ୁଆରେ ପଡ଼ିଛନ୍ତି ସୁର । ଦଳ ପକ୍ଷରୁ କାରଣ ଦର୍ଶଅ ନୋଟିସ ଜାରି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ସ୍ବର ବଦଳାଇଲେ ସୁର; ପୁଅ ପାଇଁ କଲେ ଭୋଟ ଭିକ୍ଷା, କଂଗ୍ରେସର ସବୁ କମିଟିରୁ ଦେଲେ ଇସ୍ତଫା - Suresh Routray
ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଉପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ସୁର ରାଉତରାୟ ଆମ ଦଳର ବରିଷ୍ଠ ନେତା । ତାଙ୍କୁ କଂଗ୍ରେସର ବରିଷ୍ଠ ନେତା ଓ ଦିଲ୍ଲୀ ନେତା ଭଲ ପାଆନ୍ତି । ଅଜୟ କୁମାର ମଧ୍ୟ ଭଲ ପାଅନ୍ତି । ହେଲେ ସୁର ବାବୁ କେବେ ବି ବିଜେଡି ପତାକା କି ବିଜେଡି ସଭାକୁ ଯିବେ ନାହିଁ । ଦଳ ଏ ବିଶ୍ବାସ ତାଙ୍କ ଉପରେ ରଖିଛି । ଏନେଇ ସୁର ମୋତେ ଭେଟି ଆଲୋଚନା କରିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର