ବରଗଡ଼: ଆସନ୍ତା ମେ 20 ତାରିଖରେ ବରଗଡ଼ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ମେ ୩ ତାରିଖ ରହିଛି । ମେ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବାବେଳେ ମେ ୨୦ତାରିଖରେ ହେବ ମତଦାନ ଏବଂ ଜୁନ ୪ତାରିଖରେ ହେବ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବରଗଡ଼ ଲୋକସଭା ଆସନ ପାଇଁ କେବଳ ବିଜେପି ଦଳ ତା'ର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସ ସାଂସଦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବରଗଡ଼ ଜିଲ୍ଲାର 5 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ଭଳି ୨ଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ । ସମୁଦାୟ ୭ ଟି ବିଧାନସଭା ଆସନକୁ ନେଇ ଗଠିତ ବରଗଡ଼ ଲୋକସଭା ଆସନରେ ଗତ 2019 ସାଧାରଣ ନିର୍ବାଚନରେ 5 ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଥିଲା । କିନ୍ତୁ ଲୋକସଭା ଆସନକୁ ବିଜେପି ଅକ୍ତିଆର କରିବାରେ ସଫଳ ହୋଇଥିଲା । ୨୦୧୯ ନିର୍ବାଚନରେ ବିଜେଡିର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭାରେ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ସୁରେଶ ପୁଝାରୀଙ୍କ ଠାରୁ ୬୩ ହଜାର ୯୩୯ ଭୋଟରେ ପରାଜିତ ହୋଇଥିଲେ ।
ବରଗଡ଼ ଜିଲ୍ଲାର ୫ ଟି ବିଧାନସଭା ଆସନ ସହିତ ଝାରସୁଗୁଡା ଓ ବ୍ରଜରାଜନଗର ପରି ସମୁଦାୟ ୭ଟି ଆସନକୁ ନେଇ ୨୦୦୯ ମସିହାରେ ପ୍ରଥମ କରି ଗଠିତ ହୋଇଥିଲା ବରଗଡ଼ ଲୋକସଭା ଆସନ । ୨୦୦୯ ,୨୦୧୪ ଓ ୨୦୧୯ ଏପରି ୩ ଥର ନିର୍ବାଚନ ହୋଇଥିବାବେଳେ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ ୯୮ହଜାର ୪୪୪ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ 3ଲକ୍ଷ 97ହଜାର 375 ଭୋଟ ( ୪୩.୨୦% ) ପାଇଥିବାବେଳେ ବିଜେଡିର ପ୍ରାର୍ଥୀ ହମିଦ ହୁସେନ 2ଲକ୍ଷ 98ହଜାର 931 ( ୩୨.୪୯ % ) ଭୋଟ ଏବଂ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ମାତ୍ର 1ଲକ୍ଷ 57ହଜାର 750 (୧୭.୧୫ % ) ଭୋଟ ପାଇଥିଲେ । ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂ 11ହଜାର 178 ଅଧିକ ଭୋଟରେ ବିଜୟୀ ହୋଇଥିଲେ । ପ୍ରଭାସ ସମୁଦାୟ 3ଲକ୍ଷ 83ହଜାର 230 ( 34.11%) ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସୁବାଶ ଚୌହାନ 3ଲକ୍ଷ 72ହଜାର 052 ( 33.12% ) ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ 2ଲକ୍ଷ 74ହଜାର 610 ( 24.44 % ) ଭୋଟ ପାଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମ ଭାବେ EVM ବ୍ୟବହାର କରାଯାଇଥିବାବେଳେ NOTA ରେ ୧୪ହଜାର ୫୦୦ ଭୋଟ ପଡିଥିଲା ।
ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରେଶ ପୁଝାରି ୬୩ହଜାର ୯୩୯ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସୁରେଶ ପୁଝାରିଙ୍କୁ 5ଲକ୍ଷ 81ହଜାର 245 ( 46.58% ) ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ 5ଲକ୍ଷ 17ହଜାର 306 ( 41.45% ) ଭୋଟ ମିଳିଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତାଙ୍କୁ 1ଲକ୍ଷ 09ହଜାର 417 ( 8.77 %) ଭୋଟ ମିଳିଥିଲା । ୨୦୧୯ ନିର୍ବାଚନରେ NOTAରେ ମଧ୍ୟ 14 ହଜାର 167 ଭୋଟ ପଡିଥିଲା । ବିଗତ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ବରଗଡ଼ ଲୋକସଭା ଆସନରେ ୩ ଥର ନିର୍ବାଚନ ହୋଇଥିବାବେଳେ କଂଗ୍ରେସ , ବିଜେଡି ଓ ବିଜେପି ତିନି ଦଳ ଥରେ ଲେଖାଏ ବିଜୟୀ ହୋଇଛନ୍ତି । ୨୦୦୯ ମସିହାରେ ବିଜେପି ମାତ୍ର ୧୭.୧୫ % ଭୋଟ ପାଇ ବହୁ ପଛରେ ରହିଥିବାବେଳେ ୨୦୧୯ ନିର୍ବାଚନରେ ଲୋକେ 46.58% ଭୋଟ ଦେଇ ବହୁ ମାତ୍ରାରେ ବିଜୟୀ କରାଇଥିଲେ ।
୨୦୨୪ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ୫ ଟି ବିଧାନସଭା ଆସନରେ ସମୁଦାୟ ମତଦାତା ୧୧ଲକ୍ଷ ୮୧ହଜାର ୮୯୩ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୫ଲକ୍ଷ ୯୫ହଜାର ୪୯୪ ଏବଂ ମହିଳା ଭୋଟର ସଂଖ୍ୟା ୫ଲକ୍ଷ ୮୬ହଜାର ୩୫୩ ରହିଛି । ଭୋଟରମାନଙ୍କ ମଧ୍ୟରୁ ୧୧ହଜାର ୧୯୬ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବାବେଳେ ନୂତନ ଭୋଟର ସଂଖ୍ୟା ୨ଲକ୍ଷ ୩୦ହଜାର ୯୭୬ ରହିଛି ଏବଂ ୮୫ ବର୍ଷ ବୟସରୁ ଅଧିକ ଥିବା ଭୋଟର ସଂଖ୍ୟା ୮ହଜାର ୩୧୫ ରହିଛନ୍ତି । ବରଗଡ ଜିଲ୍ଲାର ୫ ଟି ଯାକ ବିଧାନସଭା ଆସନରେ ସମୁଦାୟ ୧ହଜାର ୩୯୭ ଟି ବୁଥରେ ମତଦାନ ହେବ ଏବଂ ଏଥିପାଇଁ ଜିଲ୍ଲାର ସମୁଦାୟ ୧୦ହଜାର ୧୧୦ ଜଣ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେହିପରି ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନସଂଖ୍ୟା ୬ଲକ୍ଷ ୬୭ହଜାର ୮୫୯ ରହିଥିବାବେଳେ ନୂତନ ଭୋଟରମାନଙ୍କ ସଂଖ୍ୟା ୪ଲକ୍ଷ ୮୪ହଜାର ୬୫୨ ରହିଛି ।
ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରେ ସମୁଦାୟ ୧୬ଲକ୍ଷ ୬୬ହଜାର ୫୪୫ ଭୋଟର ମତଦାନ କରିବାକୁ ଯାଉଛନ୍ତି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ଟିକେଟ ଦେବା ପରେ ରାଜନୈତିକ ସମୀକରଣ ବଦଳିଯାଇଛି । ବିଜେଡି ପଦ୍ମପୁର ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିନଥିବାବେଳେ ବରଗଡ ସାଂସଦ ପ୍ରାର୍ଥୀ ମଧ୍ୟ ଘୋଷଣା କରିନାହିଁ । ତେବେ " 3 ଦଳ ଥରେ ଲେଖାଏଁ ହାତେଇଛନ୍ତି ଓ ହାର ବି ଦେଖିଛନ୍ତି । ବିଗତ ନିର୍ବାଚନକୁ ଦେଖିଲେ ଏଥର ମଧ୍ୟ ମୁଖ୍ୟତଃ ବିଜେପି ଓ ବିଜେଡି ଦଳ ମଧ୍ୟରେ ଜୋରଦାର ଲଢେଇ ହେବ", ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।
ଇଟିଭି ଭାରତ, ବରଗଡ଼