ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଯୁବ ନେତା ତଥା ଉଦ୍ୟୋଗୀ ଆଲେକ୍ସଜେଣ୍ଡର ଦାସ । ବିଜେପି ଛାଡି ଆଲେକ୍ସଜେଣ୍ଡର ଓ ତାଙ୍କ ସମର୍ଥକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ସହ ସେ ଆଜି ଶଙ୍ଖ ଭବନ ଆସି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତରେ ବିଜେଡ଼ିରେ ମିଶିଛନ୍ତି । ଉତ୍ତରୀୟ ପିନ୍ଧାଇ ଆଲେକ୍ସଜେଣ୍ଡର ଓ ତାଙ୍କ ସମର୍ଥକଙ୍କୁ ବିଜେଡି ନେତା ଦଳକୁ ସ୍ୱାଗତ କରିଛନ୍ତି ।
କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, "ଆଲେକ୍ସଜେଣ୍ଡର ଦାସ ଉଚ୍ଚଶିକ୍ଷିତ । ଯାଦବ ସମାଜର ସେ ନେତୃତ୍ୱ ନେଉଛନ୍ତି । ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି । ତାଙ୍କ ସହ ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ଯୋଗଦାନ ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ସଶକ୍ତ ହେଲା । ଏହି ମିଶ୍ରଣ ଦ୍ୱାରା କୋରେଇ ପାଇଁ ବାର୍ତ୍ତା ଯାଉଛି ଯେ 2024 ନିର୍ବାଚନରେ କୋରେଇରେ ବିଜେଡିରେ ବହୁ ଭୋଟରେ ଜିତିବ । ଏଥି ସହ ଯାଜପୁର ସଂସଦୀୟ କ୍ଷେତ୍ରରେ ବି ବିଜେଡି ଜିତିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ ।"
ବିଜେଡିରେ ସାମିଲ ହେବା ପରେ ଆଲେକ୍ସଜେଣ୍ଡର ଦାସ କହିଛନ୍ତି, "ମୁଁ XIMBରେ ପଢିବାବେଳେ ମୋ ଅଧ୍ୟାପକ ଥିଲେ ବର୍ତ୍ତମାନର ସାଂସଦ ସସ୍ମିତ ପାତ୍ର । ସେ ମୋତେ ପାଠ ପଢ଼େଇଥିଲେ । ମୋର ସୌଭାଗ୍ୟ ଯେ, ଆଜି ସେ ମୋତେ ବିଜେଡିରେ ସାମିଲ କରିଛନ୍ତି । କୋରେଇରୁ ମୋ ସହିତ ଆସିଥିବା ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୋତେ ବିଶ୍ଵାସ କରି ସେମାନେ ବିଜେଡିରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । 12 ବର୍ଷରୁ ଅଧିକ ସମୟ ଧରି ମୁଁ ବିଜେପି ସହ ଯୋଡି ହୋଇଥିଲି । ସେ ସମୟରେ କୋରେଇରେ ବିଜେପି ଦଳୀୟ ପତାକା ଲଗାଇବାକୁ ଲୋକ ନଥିଲେ । ବିଜେପି ପାଇଁ କାମ କରିଥିବା ଲୋକଙ୍କୁ ଦଳ ଭୁଲି ଗଲା । ରାତାରାତି ବାହାର ଦଳରୁ ଲୋକ ଆଣି ଟିକେଟ ଦେଲା ବିଜେପି । ଶୃଙ୍ଖଳିତ କର୍ମୀ ଭାବେ କାମ କରିବା ସତ୍ତ୍ବେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ମୋତେ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ । ବିଭିନ୍ନ ସମୟରେ ହଇରାଣ କଲେ ।"
ଏହା ମଧ୍ୟ ପଢ଼ନ୍ତୁ...ଆଠମଲ୍ଲିକ ଆସନ: ଗଡ଼ ବଞ୍ଚାଇ ପାରିବ ତ ବିଜେଡି ? ଦଖଲ ପାଇଁ ବିଜେପିର ଗୋଟି ଚାଳନା, କଂଗ୍ରେସ ନେବ ନିର୍ଣ୍ଣାୟକ ଭୂମିକା - Odisha Assembly Election 2024
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେପିରେ କାମ କରି ଘର ଘର ବୁଲି ସଂଗଠନ କଲି । ହେଲେ ଜଣେ ଅଭିନେତାଙ୍କୁ ଆଣି ଟିକେଟ ଦେଲା ବିଜେପି । କୋରେଇ ବିଧାୟକ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ନାଁ କମାଇଲେ । ଯେତିକି ଅଭିନେତା ଭାବେ ନାଁ କରିନଥିଲେ, ସେତିକି ବିଜେଡିରୁ ବିଧାୟକ ହୋଇ ପାଇଛନ୍ତି । ହେଲେ ନିଜ ସ୍ୱାର୍ଥ ପାଇଁ ବିଜେପି ଟିକେଟ ନେଲେ । କୋରେଇରେ ବହୁତ ବଡ଼ ବ୍ୟବଧାନରେ ବିଜେଡି ଜିତିବ, ଏହା ସତ୍ୟ । କୋରେଇରେ ବିଜେଡିର ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ଆମ ମାଆ । ସବୁ ଯୋଜନା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ମୁଁ ତାଙ୍କ ପାଇଁ ଗର୍ବିତ । ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ଲୋକେ ବାତ୍ୟା ଭୁଲି ଗଲେଣି । ଯାଜପୁରକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ସମେତ ରାଜ୍ୟ ବିକାଶ ପାଇଁ ସେ କାମ କରୁଛନ୍ତି । କୋରେଇରେ ଇତିହାସ ହେବ । କୋରେଇ ବିକାଶରେ ଗୁଣ୍ଡୁଚି ମୂଷା ପରି କାମ କରିବି । ନିସ୍ଵାର୍ଥ ମନେଭାବ ଦେଇ କାମ କରିବି । ମୁଖ୍ୟମନ୍ତ୍ରୀଙ୍କ ହଟାମୁଠା ଟାଣ କରି ବିକାଶ ଆହୁରି ତ୍ୱରାନ୍ୱିତ କରିବୁ ।"
ଇଟିଭି ଭାରତ, ଭୁବନେଶ୍ବର