ହାଇଦ୍ରାବାଦ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ଥିଲା ପ୍ରଥମ ବଜେଟ, ଯେଉଁଥିରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା । ତେଣୁ ଏହି ବଜେଟରେ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରୁ ଭିନ୍ନ ଭିନ୍ନ ଆଶା ରହିଥିଲା । ଯେହେତୁ ଏଥର ନିର୍ବାଚନରେ ବିଜେପି ନିଜ ଦମରେ ବହୁମତ ହାସଲ କରିପାରି ନାହିଁ, ତେଣୁ ବଜେଟ ଘୋଷଣାରେ ମଧ୍ୟ ଅଶାନୁରୂପ ଭାବେ ନିର୍ବାଚନୀ ଫଳାଫଳର ଛାପ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଥିଲା ଏହାର ପ୍ରତିଫଳନ ।
ବଜେଟରେ ଅର୍ଥମନ୍ତ୍ରୀ ଦେଶର ଚାରୋଟି ବର୍ଗ ଗରିବ, ମହିଳା, ଯୁବକ ଓ କୃଷକଙ୍କୁ ଗୁରୁତ୍ବ ଦିଆଯାଇଥିବା କହିଥିଲେ । ସେହିପରେ ରୋଜଗାର, ଦକ୍ଷତା ବିକାଶ, ଏମଏସଏମଇ ଏବଂ ମଧ୍ୟମବର୍ଗକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିବା କହି ସାଧାରଣ ନିର୍ବାଚନରେ ଜନାଦେଶ ଦେଇଥିବା ସେହି ଅସନ୍ତୁଷ୍ଟ ଗୋଷ୍ଠୀ ପାଖରେ ପହଞ୍ଚିବାକୁ ସରକାର ଲକ୍ଷ୍ୟ ରଖିଥିଲେ । ଏହିସବୁ ରାଜନୈତିକ ଘଟଣାକ୍ରମ ବ୍ୟତୀତ କେନ୍ଦ୍ର ବଜେଟ୍ ସେତେବେଳେ ଆସିଛି ଯେତେବେଳେ ବିଶ୍ବ ଭୂ-ରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରୁଛି ଏବଂ ପ୍ରମୁଖ ଅର୍ଥନୀତିଗୁଡିକ ନିଜର ମୁଦ୍ରାନୀତି କଡ଼ାକଡ଼ି କରିଛନ୍ତି ।
ଅପରପକ୍ଷେ, ବୈଶ୍ବିକ ଏବଂ ଘରୋଇ ଚ୍ୟାଲେଞ୍ଜ ସତ୍ତ୍ବେ ଭାରତ କୋଭିଡ-୧୯ ପରବର୍ତ୍ତୀ ଅଭିବୃଦ୍ଧି ବଜାୟ ରଖିଛି ଏବଂ ୨୦୨୪ ଆର୍ଥିକ ବର୍ଷରେ ୮.୨ ପ୍ରତିଶତ ବାସ୍ତବ ଜିଡିପି (GDP) ଅଭିବୃଦ୍ଧି ରେକର୍ଡ କରିଛି । ଏହି ପୃଷ୍ଠଭୂମିରେ ଆମକୁ ଚଳିତ ଆର୍ଥିକ ବର୍ଷ ଲାଗି ହୋଇଥିବା ବଜେଟ ଆବଣ୍ଟନ ବାବଦରେ ବୁଝିବାର ଆବଶ୍ୟକତା ରହିଛି ।
ନିଯୁକ୍ତି ସୁଯୋଗ ମାଧ୍ୟମରେ ଉପଭୋଗ ବୃଦ୍ଧି:
ଭାରତ ବୈଶ୍ବିକ ଅସ୍ଥିରତାର କଠିନ ସମୟ ଦେଇ ଗତି କରୁଥିଲେ ବି ଆଖିଦୃଶିଆ ଅଭିବୃଦ୍ଧି ରେକର୍ଡ କରିଛି, କିନ୍ତୁ ୨୦୨୩-୨୪ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଭାରତର ମୋଟ ଘରୋଇ ଉତ୍ପାଦ (GDP)କୁ ନେଇ ଗଭୀର ଉଦବେଗ୍ ପ୍ରକାଶ କରୁଛି । ରିପୋର୍ଟରେ ଦେଶର ଅଭିବୃଦ୍ଧି ହାର ୮.୨ ପ୍ରତିଶତରୁ ହ୍ରାସ ପାଇ ୬.୫ରୁ ୭ ପ୍ରତିଶତ ରହିବାର ଆକଳନ କରାଯାଇଛି । ଏମିତିକି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (IMF) ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ମଧ୍ୟ ୨୦୨୪-୨୫ରେ ଭାରତ ଅଭିବୃଦ୍ଧି ୭ ପ୍ରତିଶତ ଆକଳନ କରିଛି ।
ଏହି ସମ୍ଭାବ ସ୍ବଳ୍ପ ଅଭିବୃଦ୍ଧି ଚ୍ୟାଲେଞ୍ଜକୁ ଉପଭୋଗ ବ୍ୟୟ ବା ସରକାରୀ ବ୍ୟୟ ବୃଦ୍ଧି ଅଥବା ନିବେଶ ବ୍ୟୟ ଏବଂ ରପ୍ତାନୀ ବଢାଇ ମୁକାବିଲା କରାଯାଇପାରିବ । ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିତି ଏବଂ ଭୂ-ରାଜନୀତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଉପରୋକ୍ତ ରଣନୀତି କାର୍ଯ୍ୟକାରୀ କରାଯାଇପାରେ ।
ଏପରି ସ୍ଥଳେ ବୁଝିବାକୁ ପଡିବ ଯେ, ବଜେଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅର୍ଥବ୍ୟବସ୍ଥାରେ ଅଧିକ ନିଯୁକ୍ତି ସୃଷ୍ଟି କରି ଉପଭୋଗକୁ ବଢାଇବା । ଅଧିକ ନିଯୁକ୍ତି ମିଳିଲେ ଲୋକଙ୍କ ହାତରେ ଖର୍ଚ୍ଚ ପାଇଁ ଅଧିକ ଟଙ୍କା ରହିବ ଏବଂ ସେମାନଙ୍କ ମଧ୍ୟରେ ଅଧିକ ଦ୍ରବ୍ୟ, ସେବା ଉପଭୋଗ ପାଇଁ ଚାହିଦା ବଢିବ । ଅନୁରୂପ ଭାବେ, ଉପଭୋଗ ବଢିଲେ ଉତ୍ପାଦନ ବଢିବ ଏବଂ ଅଧିକ ଉତ୍ପାଦନ ପାଇଁ ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ । ଏହି ଚକ୍ରାକାର ପ୍ରକ୍ରିୟାରେ ଦେଶ ଉଚ୍ଚ ଜିଡିପି ଅଭିବୃଦ୍ଧି ହାସଲ କରିବା ସହ ଅର୍ଥନୈତିକ ବିକାଶ ସମ୍ଭବପର ହେବ ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିଭିନ୍ନ ନିଯୁକ୍ତି ସୃଷ୍ଟି ଯୋଜନାରେ ଆସନ୍ତା ୫ ବର୍ଷ ପାଇଁ ୨ ଲକ୍ଷ କୋଟି ବଜେଟ ଆବଣ୍ଟନ କରିଛନ୍ତି । ଏଥିରେ ଯୁବବର୍ଗର ଦକ୍ଷତା ବୃଦ୍ଧି ଏବଂ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦକ୍ଷେପର ଏକ ଅଂଶ ଭାବେ ଆସନ୍ତା ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକଙ୍କୁ ଦକ୍ଷ କରିବା ପାଇଁ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଘୋଷଣା ହୋଇଛି । ମଡେଲ ସ୍କିଲିଂ ଲୋନ ସ୍କିମକୁ ସଂଶୋଧିତ କରି ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ସୁବିଧା ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି । ଏଥିସହ କ୍ରେଡିଟ ଗ୍ୟାରେଣ୍ଟି ସ୍କିମ, ୨୦ ଲକ୍ଷ ପର୍ଯ୍ୟନ୍ତ ମୁଦ୍ରାଲୋନ ଲିମିଟ୍ ବୃଦ୍ଧି ଇତ୍ୟାଦି ଋଣ ବ୍ୟବସ୍ଥା ମାଧ୍ୟମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇବାକୁ (MSMEs) ମଧ୍ୟ ବଜେଟରେ ଫୋକସ୍ କରାଯାଇଛି, ଯଦ୍ବାରା ଦେଶର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ତଥାପି, ମନେ ରଖିବାକୁ ହେବ ଯେ ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା ଏବଂ ଆଶାତୀତ ଫଳାଫଳ ମିଳିବା ସମୟ ସାକ୍ଷେପ । ଆହୁରି ମଧ୍ୟ, କେନ୍ଦ୍ର ସରକାର ବଜେଟରେ ବିଭିନ୍ନ ଟିକସ ରିହାତି ଘୋଷଣା କରି ଲୋକଙ୍କ ହାତରେ ଅଧିକ ନଗଦ ରଖିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ଆମେ 'ବ୍ୟବହାର ଯୋଗ୍ୟ' ଆୟ କହିଥାଉ । ବଜେଟରେ ମଧ୍ୟବିତ୍ତ ବର୍ଗକୁ ଖୁସି କରିବା ପାଇଁ ଟିକସ ସ୍ଲାବରେ ପରିବର୍ତ୍ତନ ଆଶା କରଯାଉଥିଲା । ସରକାର ମଧ୍ୟ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୭୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । ତେବେ ଏହାଦ୍ବାରା ଉପଭୋଗ କ୍ଷେତ୍ରରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । କାରଣ ଅଧିକାଂଶ ଟିକସଦାତା ଏବେ ବି ପୁରୁଣା ଟିକସ ବ୍ୟବସ୍ଥାରେ ଆୟକର ରିଟର୍ଣ୍ଣ ଫାଇଲ୍ କରୁଛନ୍ତି ।
ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ କେନ୍ଦ୍ର ସରକାର ସହରାଞ୍ଚଳ ଓ ଗ୍ରାମୀଣ ବଜାର ପାଇଁ ଭିତ୍ତିଭୂମି ବିକାଶ ଯୋଜନା ଉପରେ ମଧ୍ୟ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳରେ ନୂତନ ଆୟ ସୃଷ୍ଟି ହୋଇପାରିବ । ବଜେଟରେ କୃଷି ଯୋଜନା ଏବଂ ଗ୍ରାମୀଣ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଯାହା ପରୋକ୍ଷରେ ଉପଭୋଗ ଖର୍ଚ୍ଚକୁ ବଢାଇବ । ଏହା ବ୍ୟତୀତ, ବେସରକାରୀ ସଂସ୍ଥା ଦ୍ବାରା ଭିତ୍ତିଭୂମି ବିନିଯୋଗକୁ ପ୍ରୋତ୍ସାହିତ କରାଯିବା ସହ ବଜାର ଭିତ୍ତିକ ଆର୍ଥିକ ଢାଞ୍ଚା ମଧ୍ୟ ପ୍ରସ୍ତାବିତ ହୋଇଛି ।
ଏହିସବୁ ପଦକ୍ଷେପ ସତ୍ତ୍ବେ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ଚଳିତ ବଜେଟରେ ମନରେଗା ପାଇଁ ମାତ୍ର ୧୯ ହଜାର ୨୯୭ କୋଟି ବ୍ୟୟବରାଦ ହୋଇଛି, ଯାହାକି ଗତବର୍ଷ ତୁଳନାରେ କମ୍ । ଯଦି ଏହାକୁ ସମୁଦାୟ ବଜେଟର ଅଂଶ ଭାବେ ଦେଖିବା, ତାହେଲେ ଏହି ବ୍ୟୟବରାଦ ଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ । ମନରେଗା ପାଇଁ ଅଧିୟ ବ୍ୟୟବରାଦ ଦ୍ବାରା ଗ୍ରାମୀଣ ଉପଭୋଗ ବୃଦ୍ଧି ହେବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ମୋଟାମୋଟି ଭାବେ କହିବାକୁ ଗଲେ, ଅର୍ଥନୈତିକ ଅଭିବୃଦ୍ଧି ଚ୍ୟାଲେଞ୍ଜର ମୁକାବିଲା ପାଇଁ ବଜେଟରେ ଆର୍ଥିକ ଏକୀକରଣ, ନିଯୁକ୍ତି ଜରିଆରେ ଉପଭୋଗ ବୃଦ୍ଧି ଏବଂ ନିବେଶ ବୃଦ୍ଧି ବା ପୁଞ୍ଜି ବିନିଯୋଗକୁ ଫୋକସ୍ କରାଯାଇଛି । ଏବେ ଏହା କିପରି କାର୍ଯ୍ୟକାରୀ ହେଉଛି, ତାହା ଦେଖିବା ବାକି ରହିଲା ।
Disclaimer- ପ୍ରକାଶିତ ଆଲେଖ୍ୟଟି ଲେଖକଙ୍କ ନିଜସ୍ବ ମତ । ଇଟିଭି ଭାରତର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ବ ମତାମତ କିମ୍ବା ଆଭିମୁଖ୍ୟ ରଖୁନାହିଁ ।