ହାଇଦ୍ରାବାଦ: ଚଳିତ କେନ୍ଦ୍ର ବଜେଟରେ କୃଷି କ୍ଷେତ୍ରକୁ ବେଶ୍ ଫୋକସ୍ କରାଯାଇଛି । ସରକାର ରାଜ୍ୟମାନଙ୍କ ସହ ସହଭାଗିତାରେ ୩ ବର୍ଷ ମଧ୍ୟରେ କୃଷକ ଓ ସେମାନଙ୍କ ଜମିକୁ ଅନ୍ତର୍ଭୁକ୍ତ କରିବା ପାଇଁ କୃଷିକ୍ଷେତ୍ରରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବା ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର (ଡିପିଆଇ) କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ୧ କୋଟି କୃଷକଙ୍କ ଦ୍ବାରା ନ୍ୟାଚୁରାଲ ଫାର୍ମିଂ ପାଇଁ ସରକାର ପଦକ୍ଷେପ ନେବେ । ଏଥିସହ ଉଚ୍ଚ ଉତ୍ପାଦନକାରୀ ଓ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହିତ କରାବାକୁ ଲକ୍ଷ୍ୟ ରଖିଛନ୍ତି ।
କେନ୍ଦ୍ର ବଜେଟ ୨୦୨୪ରେ ସରକାର ମୁଖ୍ୟତଃ ଚାରୋଟି ଗୋଷ୍ଠୀ- କୃଷକ, ଗରିବ, ଯୁବବର୍ଗ ଓ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଛନ୍ତି । 'ବିକଶିତ ଭାରତ' ଲକ୍ଷ୍ୟ ସାଧନରେ କୃଷି କ୍ଷେତ୍ରର ବିକାଶକୁ ଟପ୍ ୯ ପ୍ରାଥମିକତା ମଧ୍ୟରେ ରଖାଯାଇଛି । ତେଣୁ ଚଳିତ ବଜେଟରେ କୃଷି ବ୍ୟୟବରାଦ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି କରାଯାଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଆବଣ୍ଟନ ହୋଇଛି ୧.୫୨ ଲକ୍ଷ କୋଟି ଟଙ୍କା । ଗ୍ରାମାଞ୍ଚଳ ବିକାଶ ପାଇଁ ୨.୬୫ କୋଟି ବ୍ୟୟବରାଦ ହୋଇଛି ଯାହା ୨୦୨୪ ଆର୍ଥିକ ବର୍ଷରେ ୨.୩୮ କୋଟି ଥିଲା । ଏହାରି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କ୍ରେଡିଟ ଲିଙ୍କଡ ସବସିଡି ସ୍କିମ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଇତ୍ୟାଦି ଯୋଜନା ପାଇଁ ଆଖିଦୃଶିଆ ଅର୍ଥ ଆବଣ୍ଟନ କରିଛନ୍ତି ଅର୍ଥମନ୍ତ୍ରୀ ।
ଅଧିକ ବଜେଟ ବ୍ୟୟବରାଦ ଦ୍ବାରା ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ଲୋକଙ୍କ ଆୟ ବୃଦ୍ଧି ହେବ । ଯେମିତି ଆଶା କରାଯାଉଥିଲା, ସାର ସବସିଡି ପାଇଁ ଆବଣ୍ଟନ ରାଶି ୧.୬୪ କୋଟି ଟଙ୍କା ରହିଛି । ୨୦୨୩ ଆର୍ଥିକ ବର୍ଷରେ ଏହି ପରିମାଣ ୨.୫ ଲକ୍ଷ କୋଟି ଥିବାବେଳେ ୨୦୨୪ରେ ଏହା ହ୍ରାସ ପାଇ ୧.୯ ଲକ୍ଷ କୋଟି ରହିଥିଲା । କୃଷକ କଲ୍ୟାଣ ଲାଗି ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM- Kisan) ଯୋଜନା ପାଇଁ ଅଧିକ ବ୍ୟୟବରାଦ ଆଶା କରାଯାଉଥିବା ବେଳେ ସରକାର ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।
'ଆତ୍ମନିର୍ଭର ଭାରତ' ମିଶନକୁ ଫୋକସ୍ରେ ରଖି କେନ୍ଦ୍ର ସରକାର ଡାଲି ଓ ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଏହାର ଉତ୍ପାଦନ, ସଂରକ୍ଷଣ ଓ ମାର୍କେଟିଂକୁ ସୁଦୃଢ କରିବାକୁ ଘୋଷଣା କରିଛନ୍ତି । ସମ୍ପ୍ରତ୍ତି ତୈଳବୀଜ ଓ ଡାଲି ପାଇଁ ଭାରତ ଅନ୍ୟ ଦେଶ ଉପରେ ଅଧିକ ନିର୍ଭରଶୀଳ ରହୁଛି । ଏବେ ଆବଣ୍ଟିତ ବଜେଟ ପାଣ୍ଠିର ଏକ ବଡ ଭାଗ ଏହି ଶସ୍ୟର ଉତ୍ପାଦନ, ସଂରକ୍ଷଣ ଓ ମାର୍କେଟିଂରେ ଖର୍ଚ୍ଚ ହେବ, ଯାହାକି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।
ଫସଲ ବିବିଧିକରଣ:
ଭାରତରେ ଅତ୍ୟଧିକ ମାତ୍ରାରେ ଖାଦ୍ୟଶସ୍ୟ ଉତ୍ପାଦନ ହୁଏ। ଏଥିପାଇଁ ପ୍ରଚୁର ମାତ୍ରାରେ ପ୍ରାକୃତିକ ସମ୍ବଳର ବ୍ୟବହାର କରାଯାଇଥାଏ । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ମାଗଣା ବିଜୁଳି ଓ ସବସିଡିଯୁକ୍ତ ସାର, ଜଳ ଇତ୍ୟାଦି ପଲିସି କୃଷକମାନଙ୍କୁ ଚାଷ କାର୍ଯ୍ୟ ଜାରି ରଖିବାକୁ ପ୍ରୋତ୍ସାହିତ କରେ । ଏବେ ସରକାର ଫସଲ ବିବିଧିକରଣକୁ ପ୍ରୋତ୍ସାହନ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କ୍ରପ ଡାଇଭରସିଫିକେସନ ପ୍ଲାନର ଏକ ଅଂଶ ଭାବେ ସରକାର ପଞ୍ଜାବ ଚାଷୀମାନଙ୍କୁ ଧାନ ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲ ଲଗାଇବା ପାଇଁ ଏକର ପିଛା ୭ ହଜାର ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ତେବେ ଅନ୍ୟ ରାଜ୍ୟର ଚାଷୀମାନଙ୍କୁ ମଧ୍ୟ ସମାନ ସୁବିଧା ପ୍ରଦାନ କରାଯିବା ଉଚିତ୍ ।
ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ:
ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି ପ୍ରୋଗାମ (BPKP) ଅଧିନରେ ସରକାର ନ୍ୟାଚୁରାଲ ଫାର୍ମିଂକୁ ଅଧିକ ପ୍ରୋତ୍ସାହନ ଦେବାକୁ ଯୋଜନା କରିଛନ୍ତି । ପ୍ରଥମ ଥର ବଜେଟରେ ଜୈବିକ ସାର ପାଇଁ ପୃଥକ ଭାବେ ୧୦୦ କୋଟି ବ୍ୟୟବରାଦ ହୋଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ୧ କୋଟି ଚାଷୀଙ୍କୁ ନ୍ୟାଚୁରାଲ ଫାର୍ମିଂ ପାଇଁ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା ରଖିଛନ୍ତି ।
ଡିଜିଟାଲାଇଜେସନ:
ଚଳିତ ବର୍ଷ ଦେଶର ୪୦୦ଟି ଜିଲ୍ଲାରେ ଡିପିଆଇ ବ୍ୟବହାର କରି ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ କରାଯିବ । ଏଥିରେ ୬ କୋଟି କୃଷକ ଏବଂ ସେମାନଙ୍କ ଜମିର ବିବରଣୀ ରେଜିଷ୍ଟର କରାଯିବ । ଏହି ସର୍ଭେ ସଠିକ ଫସଲ ଅନୁମାନ ପ୍ରସ୍ତୁତ କରିବାରେ ସହାୟକ ହେବ । କୃଷିକ୍ଷେତ୍ରର ଡିଜିଟାଲାଇଜେସନ ସରକାରୀ ପଲିସି କାର୍ଯ୍ୟକାରୀ କ୍ଷେତ୍ରରେ ବେଶ୍ ଉପଯୋଗୀ ରହିବ । ଏହି ପଦକ୍ଷେପ ପଶୁପାଳନ, ଦୁଗ୍ଧ, ମତ୍ସ୍ୟଚାଷ ଭଳି କ୍ଷେତ୍ର ଉପରେ ନିର୍ଭରଶୀଳ ଗରିବ ଶ୍ରେଣୀ ପାଖରେ ପହଞ୍ଚିବାରେ ସହାୟକ ହେବ, ଯଦ୍ବାରା ସେମାନଙ୍କ ଆୟ ବୃଦ୍ଧି ହୋଇପାରିବ । ଡିଜିଟାଲିଇଜେସନ, କୃଷିକ୍ଷେତ୍ରରେ ବୈଷୟକୀକରଣ କ୍ଷେତ୍ରରେ ପ୍ରଥମ ସୋପାନ ।
ଏଗ୍ରି-ଟେକ ଇନୋଭେସନ ଦ୍ବାରା ଭାରତୀୟ କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିବ । ଏହି ଟେକ୍ନୋଲୋଜି ବ୍ୟବହାର ଦ୍ବାରା କେବଳ ଘରୋଇ ଉତ୍ପାଦକତା ବୃଦ୍ଧି ହେବନି ବରଂ ଭାରତୀୟ କୃଷି ଉତ୍ପାଦର ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ । ୟୁପି ଓ ତେଲେଙ୍ଗାନା ଭଳି ରାଜ୍ୟ ରାଜ୍ୟ ଭିତ୍ତିକ ଏଗ୍ରି-ଟେକ ପଲିସି ବିକଶିତ କରିଛନ୍ତି । ବ୍ଲକଚେନ ଟେକ୍ନୋଲୋଜି ବ୍ୟବହାର ଦ୍ବାରା ଦାର୍ଜିଲିଂ ଚା, ହିମାଳୟ ବାସୁମତି ଚାଉଳ, ୟୁପିର କାଳାନମକ ଚାଉଳ, କାଶ୍ମୀର କେଶର ଭଳି ଜିଆଇ ମାନ୍ୟତା ପ୍ରାପ୍ତ ସାମଗ୍ରୀର ରପ୍ତାନୀ ଆହୁରି ବଢିପାରିବ ।
ଜଳବାୟୁ ପରିବର୍ତ୍ତନର ମୁକାବିଲା:
ଜଳବାୟୁ ପରିବର୍ତ୍ତନ ଏବେ ଦୂର ବିପଦ ନୁହେଁ, ବରଂ ସାମ୍ପ୍ରତିକ ବାସ୍ତବିକତା ଅଟେ । ଅହସ୍ୟ ଗୀଷ୍ମତାତି ଏହି ସଙ୍କଟର ସ୍ପଷ୍ଟ ଉଦାହରଣ । ଏହାର ମୁକାବିଲା ପାଇଁ ଏକ ଅନୁକୂଳ ରଣନୀତି ପ୍ରସ୍ତୁତ କରିବା ଆଉ ବିକଳ୍ପ ହୋଇରହିନି, ଆବଶ୍ୟକତା ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଜଳବାୟୁ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହନ, ଜଳବାୟୁ ସହନଶୀଳ ପ୍ରଜାତି ଚାଷ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇତ୍ୟାଦିକୁ ବଜେଟରେ ଧ୍ୟାନ ଦେଇଛନ୍ତି । ଚାଷୀ ଯେପରି ଜଳବାୟୁ ସହନଶୀଳ ପ୍ରଜାତି ଏବଂ ବିଭିନ୍ନ ଲାଭଦାୟକ ଫସଲ ଚାଷ କରିବ, ସେଥିପାଇଁ ସବସିଡି, ଗବେଷଣା ଓ ବିଭିନ୍ନ ବିକାଶମୂଳକ ଯୋଜନା ହାତକୁ ନେବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଏହାଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ସହ ଅର୍ଥନୀତିକୁ ବଳ ମିଳିବ ।
କୃଷି ଅନୁସନ୍ଧାନ ଓ ବିକାଶକୁ ( R&D) ଆଗକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ବ ଦିଆଯାଇଛି । ଏକ ନୂତନ ଆର୍ଥିକ ସହାୟତା ଯୋଜନା ସହିତ ଜଳୀୟ କୃଷି କ୍ଷେତ୍ରକୁ ମଧ୍ୟ ବଜେଟରେ ସାମିଲ କରାଯାଇଛି । ଚିଙ୍ଗୁଡି ବ୍ରୁଡଷ୍ଟକ ପାଇଁ ନ୍ୟୁକ୍ଲିୟସ ବ୍ରିଡିଂ ସେଣ୍ଟରର ନେଟୱାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଚିଙ୍ଗୁଡି ଚାଷ, ପ୍ରକ୍ରିୟାକରଣ ଓ ରପ୍ତାନୀ ପାଇଁ ନାବାର୍ଡ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହା ଚିଙ୍ଗୁଡି ଚାଷ ଏବଂ ଏହାର ରପ୍ତାନୀ ବୃଦ୍ଧିରେ ସହାୟକ ହେବ ।
ମୁଖ୍ୟ ଫ୍ୟାକ୍ଟର:
ଭାରତ କୃଷି ଜିଡିପିର ମାତ୍ର ୦.୪ ପ୍ରତିଶତ ଅନୁସନ୍ଧାନ ଓ ବିକାଶ (R&D) ପାଇଁ ଖର୍ଚ୍ଚ କରେ, ଯାହାକି ଚୀନ, ବ୍ରାଜିଲ ଏବଂ ଇସ୍ରାଏଲର ସ୍ତରଠାରୁ ଖୁବ୍ କମ୍ ।