ଇସଲାମବାଦ: ପାକିସ୍ତାନରେ ସୋସିଆଲ ମିଡିଆ ଏକ୍ସ(X) ବନ୍ଦ ନେଇ ପାକିସ୍ତାନର ଏକ ହାଇକୋର୍ଟରେ ଶୁଣାଣି ହୋଇଛି । ଏକ ସପ୍ତାହ ମଧ୍ୟରେ ଏହି ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନିର୍ବାଚନ ସମୟରେ ଅର୍ଥାତ୍ ଫେବ୍ରୁଆରୀ 8ରୁ ଦେଶରେ ଏକ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଜଣାଯାଇଥିଲା ।
ଏହାମଧ୍ୟ ପଢନ୍ତୁ..ପାକିସ୍ତାନରେ କ୍ଷମତା ବଜାୟ ରଖିଲେ ଶେହଓ୍ବାଜ ସରିଫ, 2ୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ
ଫେବୃଆରୀ ମଧ୍ୟଭାଗରୁ ପାକିସ୍ତାନର ଉପଭୋକ୍ତାମାନେ X(ପୂର୍ବର ଟ୍ୱିଟର) ବ୍ୟବହାର କରିବାରେ ସମସ୍ୟା ଭୋଗିଥିଲେ । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ସରକାରଙ୍କ ବିନା କୌଣସି ସୂଚନା ଦେଇ ଏହି ସାଇଟକୁ ବନ୍ଦ କରିଥିବା ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।
ଆଜି ପାକିସ୍ତାନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ଏକ ସପ୍ତାହ ମଧ୍ୟରେ ଏହାକୁ ଦେଶରେ ପୁନଃଚାଲୁ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାରେ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଦର୍ଶାଯାଇଛି ଯେ, ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ସାଇଟ ଏକ୍ସକୁ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସରକାରୀ ନିର୍ଦ୍ଦେଶାବଳୀର ଅନୁପାଳନ କରୁନଥିବା ଅଭିଯୋଗରେ ନିର୍ବାଚନ ସମୟରେ ଅର୍ଥାତ୍ ଫେବ୍ରୁଆରୀ 8ରୁ ଦେଶରେ ଏହାକୁ ବନ୍ଦ କରାଯାଇଥିଲା ।
ଦେଶର ଯୋଗାଯୋଗ କର୍ତ୍ତୃପକ୍ଷ ମଧ୍ୟ ହାଇକୋର୍ଟରେ ଏନେଇ ତଥ୍ୟ ଦାଖଲ କରିଛନ୍ତି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରକୁ ଦେଶରେ ସଟଡାଉନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଯୋଗାଯୋଗ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ପ୍ରମାଣ ଦାଖଲ କରାଯାଇଛି ।
ପିଟିଆଇ ମୁଖ୍ୟ ତଥା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଟିମ ଏକ୍ସରେ ବେଶ ସକ୍ରିୟ ଅଟନ୍ତି । ଏକ୍ସରେ ଇମରାନ ଖାନଙ୍କ ପାଖାପାଖି 20 ମିଲିୟନ ଫଲୋର୍ସ ମଧ୍ୟ ଥିଲେ । ପିଟିଆଇର ନିର୍ବାଚନୀ ପ୍ରଚାରର ବଳିଷ୍ଠ ମାଧ୍ୟମ ସାଜିଥିଲା ଏକ୍ସ । ତେବେ ନିର୍ବାଚନ ସମୟରୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଦେଶରେ ସଠିକ ଭାବେ ଉପଲବ୍ଧ ହେଉନଥିଲା । ଯାହାକୁ ନେଇ ୟୁଜର୍ସମାନେ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ । ତେବେ ଦେଶରେ ଏକ୍ସ ବନ୍ଦ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ଘୋଷଣା କରାଯାଇନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ