ହାଇଦ୍ରାବାଦ: ସାଧାରଣତଃ ନବଜାତ ଶିଶୁ ରାତିରେ ସହଜରେ ଶୁଅନ୍ତି ନାହିଁ । ଏଥିପାଇଁ ବାପାମାଆଙ୍କୁ ଖୁବ୍ ହଇରାଣ ହେବାକୁ ପଡେ । ନବଜାତ ଶିଶୁଙ୍କ କୌଣସି ଟାଇମ୍ ଟେବୁଲ ନଥାଏ । ଯେତେବେଳେ ମନ ହୁଏ କ୍ଷୀର ପିଅନ୍ତି । ଅଧିକ ସମୟ ଶୋଇରୁହନ୍ତି ଓ କମ୍ ସମୟ ଜାଗ୍ରତ ରହନ୍ତି । ଖାସ୍ କରି ରାତିରେ ନବଜାତ ଶିଶୁ ବହୁତ କମ୍ ସମୟ ଶୋଇଥାନ୍ତି । ଜନ୍ମର ପ୍ରାୟ 6 ମାସ ପର୍ଯ୍ୟନ୍ତ ଏମିତି ଚାଲିଥାଏ । ଶିଶୁମାନେ ମନଇଚ୍ଛା ଶୁଅନ୍ତି ଓ ଉଠନ୍ତି । ଏମିତି ବି ଅନେକ ଶିଶୁ ଅଛନ୍ତି ଯେଉଁମାନେ ରାତିରେ ଆଦୌ ଶୁଅନ୍ତି ନାହିଁ । ଏଥିପାଇଁ ମାଆର ନିଦ ପୁରା ହୋଇପାରେ ନାହିଁ ଓ ସେ ସାରା ଦିନ ଚିଡ୍ଚିଡା ଅନୁଭବ କରନ୍ତି ।
ଶିଶୁମାନେ ରାତିରେ ନ ଶୋଇବା ବା କମ୍ ଶୋଇବା ଏକ ସାଧାରଣ କଥା । ତେବେ ବିଭିନ୍ନ ଉପାୟ ଅଛି, ଯାହାଦ୍ବାରା ଶିଶୁଙ୍କୁ ଭଲ ନିଦରେ ସହାୟକ ହୋଇପାରେ । ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା କଥା, ନବଜାତ ଶିଶୁଙ୍କୁ ରାତିରେ ନିଦ ନ ଆସିବା ପଛରେ ଅନେକ ଛୋଟ ଛୋଟ କାରଣ ରହିଛି, ଯେମିତିକି-
ଅଧିକ କ୍ଷୀର ପିଆଇବା: ଡାକ୍ତର ଶର୍ମିଲା କହିଛନ୍ତି, ଶିଶୁମାନେ ରାତିରେ ନ ଶୋଇବାର କାରଣ ଅଧିକ କ୍ଷୀର ପିଆଇବା ହୋଇପାରେ । ଅଧିକ କ୍ଷୀର ପିଇବା ଦ୍ବାରା ନବଜାତ ଶିଶୁକୁ କୋଷ୍ଠକାଠିନ୍ୟ ଓ ଝାଡା ଭଳି ସମସ୍ୟା ହୋଇଥାଏ । ସେହିପରି ଡବା କ୍ଷୀର ପିଉଥିବା ଶିଶୁଙ୍କଠାରେ ଅଧିକ ନିଦ ସମସ୍ୟା ଦେଖାଯାଏ ।
କମ୍ କ୍ଷୀର ପିଆଇବା: ଡାକ୍ତରଙ୍କ କହିବା କଥା, ଶିଶୁଟି ଆବଶ୍ୟକ ପରିମାଣରେ କ୍ଷୀର ନ ପିଇଲେ ବା ପେଟ ପୁରିନଥିଲେ ମଧ୍ୟ ରାତିରେ ଶୋଇପାରେ ନାହିଁ । ଶିଶୁର ପେଟ ଛୋଟ ଓ ମାଆ କ୍ଷୀର ଶୀଘ୍ର ହଜମ ହୋଇଯାଏ । ଏହି କାରଣରୁ ତାକୁ ଜଲ୍ଦି ଭୋକ ଲାଗେ । ଭୋକ ଲାଗିଲେ ତାକୁ ନିଦ ଆସେ ନାହିଁ ଓ ସେ କାନ୍ଦିଥାଏ । ତେଣୁ ଯଦି ଆପଣ ନିଜ ଶିଶୁକୁ କିଛି ସମୟ ବ୍ୟବଧାନରେ କ୍ଷୀରପାନ କରାଉଛନ୍ତି ତାହେଲେ ସେ ଆରାମରେ ଶୋଇଯାଏ ।
ଅତ୍ୟଧିକ ଉତ୍ତେଜନା: ଶିଶୁମାନେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି । ଅଧିକ ଉତ୍ତେଜନା ବା ଶବ୍ଦ ତାଙ୍କ ନିଦରେ ବାଧା ଦେଇଥାଏ ।
ଅସୁସ୍ଥତା: ନବଜାତ ଶିଶୁ ଅନ୍ୟନ୍ତ ସମ୍ବେଦନଶୀଳ ହୋଇଥିବା କାରଣରୁ ସବୁବେଳେ କିଛି ନା କିଛି ସମସ୍ୟା ଅନୁଭବ କରେ । ଥଣ୍ଡା, କଫ, ପେଟ ଯନ୍ତ୍ରଣା ଯୋଗୁଁ ମଧ୍ୟ ଶିଶୁ ରାତିରେ ଶୋଇପାରେ ନାହିଁ । ତେଣୁ କ'ଣ ସମସ୍ୟା ହେଉଛି, ତାହାକୁ ଧ୍ୟାନ ରଖିବା ସହ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।
ଓଦା ଲାଗିବା: ରାତିରେ ଶିଶୁ ପରିଶ୍ରା କରି ବିଛଣା ଓଦା କରିଦିଏ । ଆଉ ଆମକୁ ଜଣାପଡେ ନାହିଁ । ଏଥିପାଇଁ ସେ ଶୋଇପାରେନି ଓ କାନ୍ଦିବାକୁ ଲାଗେ । ତେଣୁ ଶୋଇବା ପୂର୍ବରୁ ଡାଏପର ବ୍ୟବହାର କରନ୍ତୁ ।
ଥକ୍କାପଣ: ଶିଶୁ ସାରା ଦିନ ନିଜର ହାତଗୋଡ ହଲାଇ ଖେଳିଥାଏ । ଏଥିପାଇଁ ସେ ଥକ୍କା ଅନୁଭବ କରେ । ଏହି ଥକ୍କାପଣ କାରଣରୁ ଶୋଇବା ବେଳେ ସମସ୍ୟା ହୁଏ । ଗୋଟିଏ ନବଜାତ ଶିଶୁକୁ ଦିନରେ 11ରୁ 12 ଘଣ୍ଟା ନିଦ ଦରକାର । ଯେତେବେଳେ ଏହା ପୁରା ନ ହୁଏ ସେ ଥକ୍କା ଅନୁଭବ କରେ ।
ଯେତେବେଳେ ଶିଶୁଟି ଗର୍ଭରେ ଥାଏ, ମାଆ ଦିନସାରା ଏପଟ ସେପଟ ହୋଇଥାଏ । ସେତେବେଳେ ତାକୁ ଝୁଲିଲା ଭଳି ଅନୁଭବ ହୋଇଥାଏ ଓ ସେ ଗଭୀର ନିଦ୍ରାରେ ଶୋଇପଡେ । ଯେତେବେଳେ ରାତିରେ ମାଆ ଶୋଇଥାଏ, ସେବେ ସବୁ ଶାନ୍ତ ରହିଥାଏ ଓ କୌଣସି ହଲଚନ ନହେବା କାରଣରୁ ଶିଶୁ ସାରା ରାତି ଜାଗ୍ରତ ରୁହେ । ଫଳରେ ଜନ୍ମ ହେବାର କିଛି ମାସ ଯାଏଁ ସେ ଏହିଭଳି ଆଚରଣ କରେ, ଯାହାକି ସ୍ବାଭାବିକ ।
ସେହିପରି ଶିଶୁ 3ରୁ 4 ମାସର ହେଲା ପରେ ରାତି ଓ ଦିନ ଭିତରେ ପାର୍ଥକ୍ୟ ଚିହ୍ନିବାକୁ ଲାଗେ । ଫଳରେ ଦିନରେ ଖେଳିବା ଓ ରାତିରେ ଶୋଇବା ଆରମ୍ଭ କରେ । ଶିଶୁ ରୋଗ ବିଶେଷଜ୍ଞ ଡ. ଶର୍ମିଲା କହିଛନ୍ତି, ଜନ୍ମର ପାଖାପାଖି 3ରୁ 4 ମାସ ପର୍ଯ୍ୟନ୍ତ ଶିଶୁଟି ମନଇଚ୍ଛା ଶୁଏ ଓ ଉଠେ । କାରଣ ସେ ଦିନ ଓ ରାତି ଭିତରେ ଅନ୍ତର ଜାଣିନଥାଏ । ତେବେ ସମୟ ସମୟରେ ନିଜ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ । କାରଣ ଅନେକ ସମୟରେ ଶିଶୁ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ରାତିରେ ଶୋଇପାରେନି ।
Disclaimer- ଏଠାରେ ପ୍ରଦତ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।