ହାଇଦ୍ରାବାଦ: ଅଧିକାଂଶ ଆମିଷ ଖାଉଥିବା ଲୋକଙ୍କର ପ୍ରିୟ ଖାଦ୍ୟ ଚିକେନ୍ । ସପ୍ତାହକୁ ଥରେ କି ଦୁଇଥର ଅନେକଙ୍କ ଘରେ ଚିକେନ ରୋଷେଇ ହୋଇଥାଏ । କିନ୍ତୁ ରୋଷେଇ କରିବା ପୂର୍ବରୁ ଅନେକ ଲୋକଙ୍କର ଚିକେନ୍ ଧୋଇବାର ଅଭ୍ୟାସ ଥାଏ । ଚିକେନକୁ ରାନ୍ଧିବା ପୂର୍ବରୁ ଲୋକେ ଏହାକୁ ଭଲଭାବେ ଧୋଇଥାନ୍ତି । ତେବେ ଆପଣ ଜାଣନ୍ତି କି, ଏହା କରିବା ଦ୍ବାରା ଆପଣକୁ ପଡ଼ିପାରେ ମହଙ୍ଗା ? ଆପଣ ଶରୀରକୁ ପହଞ୍ଚିପାରେ କ୍ଷତି ?
ଦ କନଭରସେସନର ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଏବଂ ନିୟାମକମାନେ ପରାମର୍ଶ ଦେଇଛନ୍ତି ଯେ, ରାନ୍ଧିବା ପୂର୍ବରୁ କଞ୍ଚା ଚିକେନ ଧୋଇବା ଉଚିତ୍ ନୁହେଁ । ଏହାର କାରଣ ଏହା ରୋଷେଇ ଘର ଚାରିପାଖରେ ବ୍ୟାକ୍ଟେରିଆ ବ୍ୟାପିବାର ଆଶଙ୍କା ବଢାଇଥାଏ । ଏହାକୁ ନ ଧୋଇ ଚିକେନ୍ ରାନ୍ଧିବା ଭଲ । ଏହି ପଦ୍ଧତି ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକାଂଶ ଲୋକ ଏ ବିଷୟରେ ଜାଣନ୍ତି ନାହିଁ ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଚିକେନକୁ ଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଦ କନଭରସେସନ ନାମକ ଏକ ରିପୋର୍ଟ ଅନୁଯାୟୀ, ରାନ୍ଧିବା ପୂର୍ବରୁ ଚିକେନ୍ ସଫା କରାଯିବା ଉଚିତ ନୁହେଁ ବୋଲି ଦର୍ଶାଯାଇଛି । ଏହାଦ୍ୱାରା ଆପଣ ଗୁରୁତର ରୋଗର ଶିକାର ହୋଇପାରନ୍ତି ବୋଲି କୁହାଯାଇଛି ।
କାହିଁକି ଧୋଇବା ଉଚିତ ନୁହେଁ ଚିକେନ ?
ଚିକେନ ଧୋଇବା ସାଧାରଣ କଥା । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଚିକେନରେ କ୍ଷତିକାରକ ମାଇକ୍ରୋବସ୍ ଥାଏ । ଏଣୁ ରାନ୍ଧିବା ପୂର୍ବରୁ ଚିକେନ୍ ଖଣ୍ଡ ଧୋଇବା ଦ୍ୱାରା ସେହି ଜୀବାଣୁ ଦୂର ହୁଏ ନାହିଁ । ଚିକେନରେ ସାଧାରଣତଃ ସଲମାନେଲା ଏବଂ କ୍ୟାମ୍ପିଲୋବ୍ୟାକ୍ଟର୍ ଭଳି ଜୀବାଣୁ ରହିଥାଏ । ଏଗୁଡିକ ଗୁରୁତର ରୋଗର କାରଣ ହୋଇପାରେ । ସଂକ୍ରମଣ, ଜ୍ୱର, ବାନ୍ତି ଏବଂ ଝାଡ଼ା ଭଳି ସମସ୍ୟା ସୃଷ୍ଟି କରିପାରେ । ଯାହାଫଳରେ ଶିଶୁ, ବୃଦ୍ଧ ଏବଂ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ଶୀଘ୍ର ଏହି ସମସ୍ତ ରୋଗର ଶିକାର ହୋଇଥାନ୍ତି ।
ମୃତ୍ୟୁମୁଖରେ ବି ପଡ଼ିପାରନ୍ତି ?
ବେଳେବେଳେ ସଲମାନେଲା ଏବଂ କ୍ୟାମ୍ପିଲୋବ୍ୟାକ୍ଟର କାରଣରୁ ଗୁରୁତର ରୋଗର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇପାରନ୍ତି । କୁହାଯାଏ ଯେ, କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇପାରେ । ଚିକେନକୁ ଏପରି ବ୍ୟାକ୍ଟେରିଆ ସହ ରୋଷେଇ ଘରୁ ବାହାର କରି ହାତରେ ସଫା କଲେ ଏହି ବ୍ୟାକ୍ଟେରିଆ ସବୁଆଡେ ରହିଯାଆନ୍ତି । ଯଦି ଆମେ ଗୋଟିଏ ଚିକେନ୍ ଧରିଥାଉ, ଆମେ ସମାନ ହାତରେ ଅନ୍ୟ ଜିନିଷକୁ ସ୍ପର୍ଶ କରୁ, ତେବେ ସେହି ଜୀବାଣୁ ଅନ୍ୟତ୍ର ଜାଗାରେ ଲାଗି ରହିଥାଏ । ଏଣୁ ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ଜୀବାଣୁ ଆଖି, ନାକ ଏବଂ ପାଟି ଦେଇ ଶରୀରରେ ପ୍ରବେଶ କରିବାର ସମ୍ଭାବନା ଅଛି । ତେଣୁ ଚିକେନକୁ ନ ଧୋଇ ରାନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।
ଜୀବାଣୁ ବିଷୟରେ ଲୋକଙ୍କ ଧାରଣା କ'ଣ ଥାଏ?
ସାଧାରଣତଃ ଲୋକେ ଭାବନ୍ତି ଯେ, ଚିକେନକୁ ବିନା ଧୋଇ ରାନ୍ଧିଲେ ସେଥିରେ ଲାଗି ଥିବା ଜୀବାଣୁ ସିଧାସଳଖ ଶରୀରକୁ ଯାଏ, ଫଳରେ ଅନେକ ରୋଗ ହୋଇପାରେ । ତେବେ ଏହି ପ୍ରସଙ୍ଗରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । କାରଣ ଚିକେନକୁ ଆମେ ଉତ୍ତାପରେ ରାନ୍ଧିବା ଦ୍ୱାରା ସେଥିରେ ଥିବା ଜୀବାଣୁ ନଷ୍ଟ ହୋଇ ଯାଆନ୍ତି । ଏଣୁ ଚିକେନକୁ ନ ଧୋଇ ସିଧାସଳଖ ରୋଷେଇ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଚିକେନ ରାନ୍ଧିବାବେଳେ ନାକ ଏବଂ ମୁହଁରେ ହାତ ନ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପରିକି ରାନ୍ଧିବା ପରେ ହାତ ଏବଂ ପାତ୍ରକୁ ସାବୁନରେ ଭଲଭାବେ ସଫା କରିବାକୁ ପରାମର୍ଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ