ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବହୁ ଚର୍ଚ୍ଚିତ ସମ୍ବଲପୁରୀ ଗାୟିକା ରୁକ୍ସାନା ବନୋ ମୃତ୍ୟୁ ଘଟଣା । ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ କବର ଖୋଳିବାକୁ ଯାଇଥିବା ବେଳେ ପରିବାର ଲୋକ ବିରୋଧ କରିଥିଲେ । ଯାହା ପରେ ଖାଲି ହାତରେ ଫେରିଛନ୍ତି ପୋଲିସ ଓ ଅତିରିକ୍ତ ମାଜିଷ୍ଟ୍ରେଟ । କବର ସ୍ଥାନରେ ରୁକ୍ସାନାଙ୍କ ମାଆ ପୋଲିସକୁ ବିରୋଧ କରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଥିଲେ । ସେ କହିଥିଲେ, ''ପୋଲିସ ଉପରେ ଆମର ଭରସା ନାହିଁ । ଯଦି ସିବିଆଇ ତଦନ୍ତ କରାଯିବ ତେବେ ଆମେ ଝିଅର କବର ଖୋଲିବାକୁ ଦେବୁ ।''
କବର ସ୍ଥାନରୁ ଖାଲି ହାତରେ ଫେରିଲା ପୋଲିସ
ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ରୁକ୍ସାନାଙ୍କ ମାଆ ଓ ଭଉଣୀ ଭବାନୀପାଟଣା ଟାଉନ୍ ଥାନାରେ କିଛି ଜଣଙ୍କ ନାଁରେ ଥାନାରେ ଅଭିଯୋଗ ଦେଇଥିଲେ । ଯାହା ପରେ ରୁକ୍ସାନା ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ପାଇଁ କବର ଖୋଳି ମୃତେଦହ ବ୍ୟବଚ୍ଛେଦ କରିବାକୁ ଭବାନୀପାଟଣା କବର ସ୍ଥାନକୁ ଯାଇଥିବା ବେଳେ ପରିବାର ଲୋକେ ମୃତଦେହ ବାହାର କରିବା ପାଇଁ ମନା କରିବା ସହ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ଫଳରେ ପରିବାର ଲୋକଙ୍କୁ ବୁଝାଇବାରେ ଅସଫଳ ହୋଇଥିଲେ ପୋଲିସ ଓ ଅତିରିକ୍ତ ମାଜିଷ୍ଟ୍ରେଟ ଏବଂ ସେଠାରୁ ଫେରିଯାଇଥିଲେ । ସେପଟେ ଘଟଣାର ସିବିଆଇ ତଦନ୍ତ କରାଗଲେ ଆମେ ମୃତଦେହ ମାଟି ତଳୁ ବାହାର କରିବାକୁ ଅନୁମତି ଦେବୁ ବୋଲି ପରିବାରଲୋକେ ସୂଚନା ଦେଇଛନ୍ତି ।
ସିବିଆଇ ତଦନ୍ତ ଦାବି କଲେ ପରିବାର
ଘଟଣାକୁ ନେଇ ରୁକ୍ସାନାଙ୍କ ମାଆ ସାହିଦା ବେଗମ କହିଛନ୍ତି, "ଗତକାଲି ଆମେ ଏସପିଙ୍କୁ ଫୋନ୍ କରି କହିଥିଲୁ ଯେ ଆମେ ପୋଷ୍ଟମଟମ୍ କରିବୁ ନାହିଁ ଯଦି ସିବିଆଇ ତଦନ୍ତ ଯଦି ହେବେ ତା ହେଲେ ଆମେ ପୋଷ୍ଟମାର୍ଟମ କରିବା ପାଇଁ ଅନୁମତି ଦେବୁ ଏହା କହିବା ପରେ ଏସପି ଏହାକୁ ଲିଖିତ ଭାବରେ ଦେବାକୁ କହିଥିଲେ । ଏହାକୁ ଆଜି ସକାଳୁ ଆମେ ଲେଖିଲା ବେଳକୁ ପୋଲିସ ଘର ସାମ୍ନାରେ ପହଞ୍ଚି କବର ସ୍ଥାନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଏହାକୁ ଆମେ ବିରୋଧ କରିବା ସହ ପୋଲିସ ଉପରେ ଆମର ବିଶ୍ୱାସ ନାହିଁ । ସିବିଆଇ ଏହାର ତଦନ୍ତ କଲେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆମେ ସହଯୋଗ କରିବୁ ବୋଲି କହିଛୁ ।" ତେବେ ଏନେଇ କଳାହାଣ୍ଡି ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପୋଲିସ ଉପରେ ଭରସା ନଥିବା ପରିବାର ଲୋକେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ସସ୍ପେନ୍ସ; ସ୍କ୍ରବ ଟାଇଫସ୍ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ
ଗତ ୧୫ ଦିନ ତଳେ ଏକ ଆଲବମ ସୁଟିଂ ପାଇଁ ରୁକ୍ସାନା ବଲାଙ୍ଗୀର ଯାଇଥିଲେ । ସେଠାରୁ ଫେରିବା ପରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବା ପରେ ପରିବାର ଲୋକେ ପ୍ରଥମେ ଭବାନୀପାଟଣା ମେଡିକାଲ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରେ ବରଗଡର ଏକ ଘରୋଇ ହସ୍ପିଟାଲର ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ହଠାତ ଆହୁରି ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ରୁକ୍ସାନା ସ୍କ୍ରବ ଟାଇଫସ୍ ରୋଗରେ ମୃତ୍ୟୁ ଘଟିଥିବା କୁହାଯାଇଥିବା ବେଳେ ପରିବାର ଲୋକେ ଖାଦ୍ୟରେ ସ୍ଲୋ ପଏଜନ ମିଶାଇ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ତେବେ ଏବେ ବି ରୁକ୍ସାନାଙ୍କ ମୃତ୍ୟୁ ନେଇ ସସପେନ୍ସ ଲାଗି ରହିଛି ।
ଇଟିଭି ଭାରତ, କଳାହାଣ୍ଡି