ହାଇଦ୍ରାବାଦ: ବାପାଙ୍କ ପାଇଁ ଦିନଟିଏ । ଆଜି ହେଉଛି ବିଶ୍ବ ପିତୃ ଦିବସ, ଯାହାକି ପ୍ରତିବର୍ଷ ୧୬ ଜୁନରେ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିନକୁ ପିତାଙ୍କ ସମର୍ଥନ, ଭଲପାଇବା ଏବଂ ଯତ୍ନଙ୍କୁ ମନେ ପକାଇ ତାଙ୍କ ପାଇଁ ଉତ୍ସାହର ସହ ପାଳନ କରାଯାଏ । ଏଭଳି ଦିନରେ ସେଲିବ୍ରିଟିମାନେ ଏହି ଦିବସକୁ ଧୁମଧାମରେ ପାଳନ କରିଛନ୍ତି । ବଲିଉଡରୁ ଓଲିଉଡ ସମସ୍ତ ତାରକା ପିତୃ ଦିବସରେ ନିଜ ବାପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଅନେକ ସେଲିବ୍ରିଟି ନିଜେ ପ୍ରଥମ ଥର ପାଇଁ ବାପା ହୋଇଥିବାବେଳେ ଏହି ଦିବସ ପାଳନ କରିଛନ୍ତି । ଓଲିଉଡ ତାରକା ବାବୁସାନ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବଲିଉଡର ସଞ୍ଜୟ ଦତ୍ତ, ବିପାଶା ବସୁ, ବରୁଣ ଧାୱନ ଓ ଇଶା ଦେଓଲଙ୍କ ସମେତ ସେଲିବ୍ରିଟିମାନେ ପିତୃ ଦିବସ ପାଳନ କରିଛନ୍ତି ।
ବାବୁସାନ ମହାନ୍ତିଙ୍କ ପୋଷ୍ଟ
ଓଲିଉଡ ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ବାବୁସାନ ନିଜ ପୁଅକୁ ପାଠ ପଢାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, ଜୀବନରେ ବାପାଙ୍କ ମହତ୍ତ୍ୱ, ବାପାଙ୍କ ଆଦର୍ଶ ଏବଂ ନିଜ ପିଲା ପାଇଁ ବାପାଙ୍କ ସମପର୍ଣକୁ ଏକ ଉକ୍ତି ମାଧ୍ୟମରେ ସେ ବର୍ଣ୍ଣନା କରିଛନ୍ତି ।
ନିଜ ଝିଅର ଝଲକ ଦେଖାଇଲେ ବରୁଣ ଧୱନ
ବଲିଉଡ ଅଭିନେତା ବରୁଣ ଧୱନ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ତାଙ୍କ ଲାଡଲୀଙ୍କ ହାତ ଧରିଥିବା ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ ସେ ତାଙ୍କ କୁକୁର ସହ ନଜର ଆସିଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅର ଚେହେରା ପ୍ରକାଶ କରିନାହାଁନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''ପିତୃ ଦିବସ ଶୁଭେଚ୍ଛା । ମୋ ବାପା ମୋତେ ଶିଖାଇଛନ୍ତି ଯେ ଏହି ଦିନଟି ପାଳନ କରିବାର ଶ୍ରେଷ୍ଠ ଉପାୟ ହେଉଛି ବାହାରକୁ ଯାଇ ମୋ ପରିବାର ପାଇଁ କାମ କରିବା, ତେଣୁ ମୁଁ ତାହା କରୁଛି । ଗୋଟିଏ ଝିଅର ପିତା ହୋଇଥିବାରୁ ଏହାଠାରୁ ଅଧିକ ଖୁସି ଆଉ ମୋ ପାଇଁ କିଛି ନାହିଁ ।'' ସୂଚନା ଥାଉ କି, ଜୁନ ୩ରେ ବରୁଣ ଧାୱନ ଏବଂ ନତାଶା ଦଲାଲ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ । ତେବେ ଚଳିତ ଥର ଝିଅ ସହ ସେ ପ୍ରଥମ ପିତୃଦିବସ ପାଳନ କରିଛନ୍ତି ।
ଆମୀର ଖାନ-ଚଙ୍କି ପାଣ୍ଡେଙ୍କୁ ଶୁଭେଚ୍ଛା ଜଣାଇଲେ ଇରା ଓ ଅନନ୍ୟା
ପିତୃ ଦିବସ ଅବସରରେ ଆମୀର ଖାନଙ୍କ ପ୍ରିୟ ଇରା ଖାନ ତାଙ୍କ ପିତାଙ୍କ ସହ ତାଙ୍କ ବିବାହର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଆମୀର ତାଙ୍କ ଝିଅ ପାଇଁ ଏକ ଗୀତ ଗାଇବା, ତାଙ୍କୁ ପ୍ରଶଂସା କରିବା, ହଗ୍ କରୁଥିବା ଏବଂ ଏପରିକି ତାଙ୍କୁ ସଜାଉଥିବା ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ପାଇଁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ନିଜ ପିତାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି - 'ସମଗ୍ର ଦୁନିଆର ଶ୍ରେଷ୍ଠ ବାପା ।'
ବାପାଙ୍କୁ ଶୁଭେଚ୍ଛା ଜଣାଇଲେ ବିପାଶା ବସୁ-ଇଶା ଦେଓଲ
ବିପାଶା ବସୁ ତାଙ୍କ ପିତାଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ତାଙ୍କ ପିଲାଦିନର ଏକ ଫଟୋ ମଧ୍ୟ ଅଛି ଯେଉଁଥିରେ ସେ ତାଙ୍କ ପିତାଙ୍କ କୋଳରେ ନଜର ଆସିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି - 'ମୋ ବାପାଙ୍କ ପରି କେହି ନାହାଁନ୍ତି । ତୁମକୁ ଭଲ ପାଏ ପିତୃ ଦିବସର ଶୁଭେଚ୍ଛା ।' ପିତୃ ଦିବସରେ ଇଶା ଦେଓଲ ବାପା ଧର୍ମେନ୍ଦ୍ରଙ୍କ ସହ ସୁନ୍ଦର ମୁହୁର୍ତ୍ତର ଭିଡିଓ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ତୁମେ ଶ୍ରେଷ୍ଠ ବାପା । ପିତୃ ଦିବସ ଶୁଭେଚ୍ଛା ବାପା, ମୁଁ ତୁମକୁ ବହୁତ ଭଲ ପାଏ । ସେହିପରି ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଅଲ୍ଲୁ ଅର୍ଜୁନ, କରଣ ଜୋହର ମଧ୍ୟ ପିତୃ ଦିବସରେ ବାପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସନ୍ତାନର ସୁରକ୍ଷା କବଚ ବାପା; ତାଙ୍କ ଗାଳି ଲୁହ ନୁହଁ, ଦେଇଥାଏ ଲୁହାର ବଳ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ