ହାଇଦ୍ରାବାଦ: ଫିଲ୍ମ 'ଲାହୋର ୧୯୪୭'କୁ ନେଇ ଚର୍ଚ୍ଚାରେ ରହିଥିବା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଜେଲ୍ । ଚେକ ବାଉନ୍ସ ମାମଲାରେ ଗୁଜୁରାଟର ଜାମନଗର କୋର୍ଟ ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ନିର୍ମାତାଙ୍କୁ ଦୁଇ କୋଟିର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ରାଜକୁମାର ସନ୍ତୋଷୀ ଜାମନଗରର ଅଶୋକଲାଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଆଉ ଫେରସ୍ତ କରିନଥିଲେ । ଏଭଳି ପରିସ୍ଥିତିରେ ଅଶୋକଲାଲ ନିର୍ମାତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ । ଏହି ପ୍ରସଙ୍ଗରେ ଜାମନଗର କୋର୍ଟ ଶୁଣାଣି କରି ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ।
ଏହି ମାମାଲା ୨୦୧୫ ମସିହାର ଅଟେ । ଅଶୋକଲାଲଙ୍କ ଦାବି ଅନୁସାରେ, ୨୦୧୫ରେ, ସେ ସନ୍ତୋଷୀଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ । ଏହି ଋଣ ପରିଶୋଧ ବାବଦକୁ ରାଜକୁମାର ଅଶୋକଙ୍କୁ ୧୦ ଲକ୍ଷ ଟଙ୍କା ୧୦ଟି ବ୍ୟାଙ୍କ ଚେକ୍ ଦେଇଥିଲେ, ହେଲେ ଏହି ଚେକ୍ ବାଉନ୍ସ ହୋଇଗଲା । ଏହାପରେ ଅଶୋକଲାଲ ରାଜକୁମାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ରାଜକୁମାର ତାଙ୍କ ସହ ଯୋଗାଯୋଗ କରୁନଥିଲେ, ଯାହାଫଳରେ ସେ ଜାମନଗର କୋର୍ଟରେ ଏନେଇ ମାମଲା ରୁଜୁ କରିଥିଲେ । ଏହି ମାମଲାର ରୁଜୁ ପରେ ରାଜକୁମାର ୧୮ ଥର ଶୁଣାଣିରେ ବି କୋର୍ଟରେ ପହଞ୍ଚି ନଥିଲେ ।
ପ୍ରାରମ୍ଭିକ ଶୁଣାଣିରେ କୋର୍ଟ ପ୍ରତ୍ୟେକ ବାଉନ୍ସ ହୋଇଥିବା ଚେକ୍ ପାଇଁ ଅଭିଯୋଗକାରୀଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିଲେ । ତଥାପି ଫିଲ୍ମ ନିର୍ମାତା କୋର୍ଟରେ ହାଜର ହୋଇନଥିଲେ । ଫଳରେ ଶନିବାର ଜାମନଗର କୋର୍ଟ ମାମଲାର ଶୁଣାଣି କରି ଅଶୋକଲାଲଙ୍କୁ ଦୁଇ ଗୁଣ ଋଣ ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ସହ ବର୍ତ୍ତମାନ ଏକ କୋଟି ଟଙ୍କା ବଦଳରେ ଦୁଇ କୋଟି ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏହା ମଧ୍ୟ ପଢନ୍ତୁ: 'ଲାହୋର ୧୯୪୭'ରେ ପ୍ରୀତି ଜିଣ୍ଟାଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ଆସିବେ ନଜର
କହିରଖୁଛୁ କି, ୬୭ ବର୍ଷୀୟ ରାଜକୁମାର ସନ୍ତୋଷୀ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା । ସେ ସନ୍ନି ଦେଓଲ, ସାହିଦ କପୁର, ରଣବୀର କପୁର, କ୍ୟାଟ୍ରିନା କୈଫ, ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ଭଳି ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି । ସେ 'ଖାକି', 'ଅଜବ ପ୍ରେମ କି ଗଜବ କାହାନୀ', 'ଦାମିନୀ' ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ସେ 'ପୁକାର', 'ଲଜ୍ଜା', 'ଦିଲ ହେ ତୁମାରା' ଏବଂ 'ଅନ୍ଦାଜ ଅପନା ଅପନା' ଭଳି ଚଳଚ୍ଚିତ୍ର ମଧ୍ୟ ଲେଖିଛନ୍ତି ।