ରାୟପୁର: ଛତିଶଗଡ ବିଜାପୁରରେ ପୁଣି ମୁଣ୍ଡ ଗଡାଇଲେ ନକ୍ସଲ । ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ । ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଉଛନ୍ତି କୈଳାଶ ନାଗ ଓ ସେ ଦଳର ବ୍ୟାପାର ସେଲର ମଣ୍ଡଳ ଉପାଧ୍ୟକ୍ଷ ଥିଲେ । ଆଜି ସଂଧ୍ୟାରେ ତାଙ୍କୁ କୋଟମେଟା ଅଞ୍ଚଳରୁ ଅପହରଣ କରିନେଇଥିଲେ ନକ୍ସଲ । ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ମିଳିତ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘‘ନକ୍ସଲମାନେ ବିଜାପୁରର ବିଜେପି ନେତା କୈଳାଶ ନାଗଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କୋଟମେଟା ଏରିଆରେ ଏକ ନୂତନ ପୋଖରୀ ନିର୍ମାଣ କରାଯାଉଥିବା ବେଳେ କୈଳାଶଙ୍କୁ ସେଠାରୁ ଅପହରଣ କରାଯାଇଥିଲା । ନକ୍ସଲମାନେ ପୋଖରୀ ଖୋଳା କାମରେ ନିୟୋଜିତ ଏକ ଜେସିବି ଓ ଅନ୍ୟ ମେସିନ ମଧ୍ୟ ପୋଡି ଦେଇଛନ୍ତି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ସର୍ଚ୍ଚ ଅପରେସନ ଜାରି ରହିଛି ।’’
ତେବେ ଛତିଶଗଡରେ ରାଜନେତାଙ୍କୁ ନକ୍ସଲ ହତ୍ୟା କରିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ସ୍ଥାନୀୟ ରାଜନେତା ଲାଲବାହିନୀ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି । ଏଥିମଧ୍ୟରେ ଏକାଧିକ ବିଜେପି ନେତା ରହିଛନ୍ତି । ସର୍ବାଧିକ ହତ୍ୟାକାଣ୍ଡ ଗତବର୍ଷ ଘଟିଥିଲା । ନଜର ପକାନ୍ତୁ ନକ୍ସଲଙ୍କ ହତ୍ୟାକାଣ୍ଡ ଉପରେ ।
- 2023 ଫେବୃଆରୀ 5 ତାରିଖରେ ବିଜାପୁରରେ ନୀଳକଣ୍ଠ କାକେମଙ୍କୁ ହତ୍ୟା ।
- 2023 ଫେବୃଆରୀ 10 ତାରିଖରେ ନାରାୟଣପୁରରେ ବିଜେପି ନେତା ସାଗର ସାହୁଙ୍କୁ ହତ୍ୟା ।
- 2023 ଫେବୃଆରୀ 11 ରେ ଦାନ୍ତୱାଡାରେ ରାମଧର ଆଲାମିଙ୍କୁ ହତ୍ୟା ।
- 2023 ମାର୍ଚ୍ଚ 29ରେ ରାମଜୀ ଦୋଡିଙ୍କୁ ହତ୍ୟା କରିଥିଲେ ନକ୍ସଲ ।
- 2023 ଜୁନ 21ରେ ବିଜେପି ନେତା ଅର୍ଜୁନ କାକାଙ୍କୁ ହତ୍ୟା ।
- 2023 20 ଅକ୍ଟୋବରରେ ମୋହଲା ମନପୁରରେ ବିଜେପି କର୍ମୀ ବିରଜୁ ତାରାମଙ୍କୁ ହତ୍ୟା
- 2023 ନଭେମ୍ବର 4ରେ ନାରାୟଣପୁରରେ ବିଜେପି ନେତା ରତନ ଦୁବେଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ
ତେବେ ଗତବର୍ଷ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ରାଜ୍ୟର ଏକାଧିକ ସ୍ଥାନରେ ହତ୍ୟାକାଣ୍ଡ ଘଟାଇଥିଲେ ନକ୍ସଲ । ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ବସ୍ତର କାର୍ଯ୍ୟକ୍ରମର ମାତ୍ର କିଛି ଘଣ୍ଟା ପୂର୍ବରୁ ମଧ୍ୟ କାଙ୍କେରରେ ଲାଲବାହିନୀ ସ୍ଥାନୀୟ ଲୋକଙ୍କୁ ହତ୍ୟା କରିବା ସହ ଭୋଟବର୍ଜନ ପାଇଁ ଧମକ ଦେଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ବୁଥରେ ଭୋଟିଂ ଶେଷ ହୋଇଥିଲା । କିଛି ସ୍ଥାନରେ ନିର୍ଦ୍ଧାରିତ ସଂଧ୍ୟା 5ଟା ପରିବର୍ତ୍ତେ ଅପରାହ୍ନ 3ଟାରେ ମଧ୍ୟ ଭୋଟିଂ ଶେଷ କରିବାକୁ ପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ